ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଲୋକାୟୁକ୍ତ ସହ ରାଜସ୍ୱ ବିଭାଗ ପ୍ରସଙ୍ଗରେ ଆଲୋଚନା
  • ପୂର୍ବ ବର୍ଷ ତୁଳନାରେ ରାଜସ୍ୱ ଆଦାୟ କମିଛି
  • ବାଲି ଚୋରା ଚାଲାଣକୁ ସ୍ୱୀକାର କଲେ ମନ୍ତ୍ରୀ
  • ୧୦ଟି ତହସିଲରେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀଙ୍କୁ ନିୟୋଜିତ କରାଯିବ: ମନ୍ତ୍ରୀ

ଲୋକାୟୁକ୍ତ ନିଯୁକ୍ତିକୁ ନେଇ ସୋମବାର ହୁଲସ୍ତୁଲ ହୋଇଛି ବିଧାନସଭା। ସରକାର କାହିଁକି ଲୋକାୟୁକ୍ତ ନିଯୁକ୍ତି କରୁ ନାହାନ୍ତି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଉ ଏବଂ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ବିବୃତି ରଖନ୍ତୁ ବୋଲି ସେ ଦାବି କରିଥିଲେ।

ବିରୋଧୀ ଦଳ ନେତାଙ୍କ ଏହି ଦାବିକୁ ସମର୍ଥନ କରିଥିଲେ କଂଗ୍ରେସ ଏବଂ ବିଜେପି ସଭ୍ୟ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ହଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ୧୨ଟା୩୦ ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ।

୧୨ଟା୩୦ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ଅନୁରୂପ ଦାବି ଉଠାଇଥିଲେ ବିରୋଧୀ। ଫଳରେ ଗୃହକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି।

“ଚାରି ବର୍ଷ ତଳେ ରାଜ୍ୟ ସରକାର ଲୋକାୟୁକ୍ତ ବିଲ୍‌ ପାସ୍‌ କରିଛନ୍ତି। ଏହି ଆଇନ୍ ୬ ମାସ ଭିତରେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ କରାଯାଉଛି”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ଅପରାହ୍ଣ ୩ଟା ପରେ ବି ଗୃହରେ ଲୋକାୟୁକ୍ତ ନିଯୁକ୍ତିକୁ ନେଇ ହଙ୍ଗାମା ହୋଇଥିଲା।

ଲୋକାୟୁକ୍ତ ନିଯୁକ୍ତି ସହ ଗୃହରେ ରାଜସ୍ୱ ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ ବାଲି ଚୋରା ଚାଲାଣ ହେଉଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ଏହାସହ ଲଘୁ ଖଣିଜଦ୍ରବ୍ୟର ଚୋରା ଚାଲାଣକୁ ସ୍ୱୀକାର କରିଛନ୍ତି ରାଜସ୍ୱ ମନ୍ତ୍ରୀ। ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି।

ରାଜସ୍ୱ ମନ୍ତ୍ରୀ କହିଛନ୍ତି, “ଚୋରା ଚାଲାଣ ହେଉଥିବା ୧୦ଟି ତହସିଲକୁ ଚିହ୍ନଟ କରାଯାଇଛି। ଏସବୁ ସ୍ଥାନରେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀଙ୍କୁ ନିୟୋଜିତ କରାଯିବ। କର୍ମଚାରୀ ଅଭାବ ଯୋଗୁଁ ଖଣିଜଦ୍ରବ୍ୟ ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ପାଇଁ ପ୍ରୟାସ କରୁଥିବା ରାଜସ୍ୱ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଉଛି। ୩ ଜଣ ତହସିଲଦାରଙ୍କୁ ଇତିମଧ୍ୟରେ ଆକ୍ରମଣ କରାଯାଇଛି।”

୨୦୧୬-୧୭ ବର୍ଷରେ ୨ ହଜାର ୨୯୩ କୋଟି ୮୯ ଲକ୍ଷ ରାଜସ୍ବ ଆଦାୟ ହୋଇଥିଲା। ୨୦୧୭-୧୮ ବର୍ଷରେ ୧୭୬୦ କୋଟି ୩୦ ଲକ୍ଷ ଟଙ୍କା ଆଦାୟ ହୋଇଥିବା ମନ୍ତ୍ରୀ କହିଛନ୍ତି। ପୂର୍ବ ବର୍ଷ ତୁଳନାରେ ରାଜସ୍ୱ ଆଦାୟ ହ୍ରାସ ପାଇଥିବା ମନ୍ତ୍ରୀ କହିଛନ୍ତି।

Comment