ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବସିଲା ସର୍ବଦଳୀୟ ବୈଠକ
  • ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସବୁ ଦଳର ନେତା ସାମିଲ
  • ଗୁରୁବାର ଲୋକାୟୁକ୍ତ ପ୍ରସଙ୍ଗରେ ବିବୃତି ରଖିବେ ସରକାର
  • ବିବୃତି ପରେ ଗୃହ ହେବ ସ୍ୱାଭାବିକ

ତିନି ଦିନ ହେଲା ସ୍ୱାଭାବିକ ହେଉନି ବିଧାନସଭା। ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ଦଳ ସଭ୍ୟ ଗୃହରେ ହୋ ହଲ୍ଲା କରୁଥିବାରୁ ବାଚସ୍ପତି ପୁଣି ଗୃହ ମୁଲତବି କରିଛନ୍ତି। ଗୃହ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକିଥିଲେ ବି ଗୃହ ଠିକ୍‌ ଭାବେ ଚାଲିପାରିନି।

୨୬ ତାରିଖରୁ ବିଧାନସଭାରେ ବହୁଛି ଲୋକାୟୁକ୍ତ ଝଡ଼। ରାଜ୍ୟ ସରକାର କାହିଁକି ଲୋକାୟୁକ୍ତ ନିଯୁକ୍ତି କରି ନାହାନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ। ଫଳରେ ବାଚସ୍ପତି ସେହିଦିନ ଗୃହ ମୁଲତବି କରିଥିଲେ।

୨୭ ତାରିଖରେ ପୁଣି ବିଧାନସଭାରେ ଉଠିଥିଲା ଲୋକାୟୁକ୍ତ ଝଡ଼। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ନରଖିବାରୁ ବିରୋଧୀ ଦଳ ନିଜ ଆସନ ଛାଡ଼ି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଚାଲି ଆସିଥିଲେ। ସରକାର ବିରୋଧୀ ନାରା ଦେଇ ଧାରଣା ଦେଇଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଧାରଣାରେ ବସିଥିଲେ। ଗୃହ କାର୍ଯ୍ୟ ସ୍ବାଭାବିକ ନହେବାରୁ ବାଚସ୍ପତି ପୁଣି ଗୃହ ମୁଲତବି କରିଥିଲେ।

୨୮ ତାରିଖରେ ମଧ୍ୟ ଅନୁରୂପ ଦାବି ଉପସ୍ଥାପନ କରିଥିଲେ ବିରୋଧୀ। ଗୃହରେ ପ୍ଲାକାର୍ଡ ଏବଂ ବ୍ୟାନର ଦେଖାଇ ବିରୋଧୀ ସଭ୍ୟ ହଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି କରିଥିଲେ। ପରିସ୍ଥିତିରେ ସୁଧାର ଆଣିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ। ବୈଠକ ଶେଷ ହୋଇଛି। ଗୁରୁବାର ସରକାର ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ବିବୃତି ରଖିବେ ବୋଲି  ବୈଠକରେ ନିଷ୍ପତ୍ତି ହୋଇଛି।

“ସର୍ବ ଦଳୀୟ ବୈଠକ ସକରାତ୍ମକ ହୋଇଛି। ଗୃହରେ ସରକାର ବିବୃତି ରଖିବେ ବୋଲି ନିଷ୍ପତ୍ତି ହୋଇଛି। ବିବୃତି ପରେ ଗୃହକାର୍ଯ୍ୟ ଠିକ୍ ଭାବେ ଚାଲିବ”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, “ସର୍ବ ଦଳୀୟ ବୈଠକରେ ଆଲୋଚନା ହୋଇଛି। ସରକାର ବିବୃତି ରଖିବେ ବୋଲି କହିଛନ୍ତି। ବିବୃତି ଦେବା ପରେ ଜଣାପଡ଼ିବ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲୁଛି କି ନାହିଁ।”

Comment