ଓଡ଼ିଶାଲାଇଭ୍ ବ୍ୟୁରୋ
ଏଇ କିଛି ଦିନ ହେଲା ରାଜଧାନୀ ଯୁବପିଢ଼ିଙ୍କୁ ଚଢ଼ିଛି ଏକ ଅଜବ ସଉକ୍। ନିଜ ଇତିହାସକୁ ପରଖିବାର ନିଶା ଘାରିଛି ସେମାନଙ୍କୁ। ନିଜ ସହରକୁ ଚିହ୍ନିବାର ଇଚ୍ଛାରେ ସେମାନେ ଅତିକ୍ରମ କରୁଛନ୍ତି ମାଇଲ୍ ମାଇଲ୍ ରାସ୍ତା। କେତେବେଳେ ଚଉଷଠି ଯୋଗିନୀ ତ ଆଉ କେତେବେଳେ ଏକାଠି ହେଉଛନ୍ତି ପ୍ରାଚୀ ଉପତ୍ୟକାରେ। ପୁଣି କେତେବେଳେ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ରାସ୍ତାରେ ତ ଆଉ କେତେବେଳେ ଜିରାଙ୍ଗରେ ପହଞ୍ଚୁଛନ୍ତି ଏମାନେ। ବାଇକରେ ବୁଲି ଏମାନେ ଓଡ଼ିଶାକୁ ଚିହ୍ନିବା ପାଇଁ ଅଭିନବ ପୟାସ କରିଛନ୍ତି।
ରାଜ୍ୟ ପର୍ଯ୍ୟଟନ ବିଭାଗ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ କର୍ତ୍ତୃପକ୍ଷ କି କୌଣସି ଟୁର୍ ଅପେରଟରଙ୍କ ବିନା ସହାୟତାରେ ଯୁବକମାନେ ବାହାରୁଛନ୍ତି ନିଜର ଇପ୍ସିତ ଲକ୍ଷ୍ୟରେ। ଜାଣିବାର ପ୍ରୟାସ କରୁଛନ୍ତି ଓଡ଼ିଶାର ସମୃଦ୍ଧ ଐତିହ୍ୟ, କଳା, ସଂସ୍କୃତି, ପରିବେଶ ଓ ପର୍ଯ୍ୟଟନକୁ।
ପ୍ରାଚୀ ଉପତ୍ୟକାରେ ମନ
ହାତରେ ଖଣ୍ଡେ ବାଇକ୍ ଓ ଗାଇଡ ମ୍ୟାପ୍ ଧରି ଓଡ଼ିଶାକୁ ଖୋଜିବାର ମନ ରଖୁଥିବା ଏମିତି ଜଣେ ବ୍ୟକ୍ତି ହେଲେ ଆଶିଷ ଷଡ଼ଙ୍ଗୀ। ଏଥିରେ ତାଙ୍କୁ ସାଥ୍ ଦେଇଛନ୍ତି ତାଙ୍କର ତିନି ବନ୍ଧୁ ବିକାଶ ମହାନ୍ତି, ସୁବ୍ରୋଜିତ୍ ରଥ ଓ ତାରିଣୀସେନ୍। ଭିନ୍ନ ଭିନ୍ନ ବୃତ୍ତିରୁ ଆସିଥିଲେ ବି ନିଶା ଏମାନଙ୍କର ବୁଲାବୁଲି। ତେବେ ଟିକେ ନିଆରା ଢ଼ଙ୍ଗରେ। ଏ ନିଶା ଆଜିର ନୁହେଁ , ବରଂ ୨୦୧୩ ମସିହାରୁ ଚାଲିଛି ଏମିତି ଖୋଜ୍। ରବିବାର ହେଲେ ବାଇକ୍ ଧରି ବାହାରିପଡନ୍ତି ଚାରି ବନ୍ଧୁ। ଗାଡି ଯାଇ ଅଟକେ ପ୍ରାଚୀ ଉପତ୍ୟକାରେ।
ମହାନଦୀର ଶାଖାନଦୀ ଭାବେ ଜଣାଶୁଣା ଏହି ପ୍ରାଚୀ ନଦୀ ରାଜଧାନୀ ଭୁବନେଶ୍ୱରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ବେଳେ ଜଗତସିଂପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ସ୍ପର୍ଶ କରିଛି। ପ୍ରତ୍ନତତ୍ତ୍ୱବିତମାନେ ପ୍ରାଚୀ ଉପତ୍ୟକାରେ ଗଢ଼ିଉଠିଥିବା ସଭ୍ୟତା ମେହେଞ୍ଜୋଦାରୋ ଓ ହରପ୍ପା ସଭ୍ୟତାର ସମୟସାମୟିକ ବୋଲି ଦାବି କରୁଥିବା ବେଳେ ଏଠାରେ ରହିଛି ବୁଦ୍ଧନାଥ, ଗଙ୍ଗେଶ୍ୱରୀ, ବରାହୀ, ଅଙ୍ଗେଶ୍ୱର, ମାଧବ, ବ୍ରହ୍ମା ଓ ଶୋଭନେଶ୍ୱର ମନ୍ଦିର।
ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ଆରମ୍ଭ କରି ୧୧ଶହ ଶତାବ୍ଦୀ ସମୟ ମଧ୍ୟରେ ନିର୍ମାଣ ହୋଇଥିବା ଏହିସବୁ ମନ୍ଦିର କଳିଙ୍ଗ ମନ୍ଦିର ଗଠନର ଶୈଳୀ ଓ ସମୃଦ୍ଧ ସଂସ୍କୃତିର ପରିଚୟ ଦିଏ। ପ୍ରାଚୀ ଉପତ୍ୟକାରେ ଗଢ଼ି ଉଠିଥିବା ଏହି ପୂରାତନ ସଭ୍ୟତା ବାବଦରେ ଅଧିକ ଜାଣିବା ଆଶାରେ ଆଶିଷ ଓ ସାଥୀଙ୍କ ଏହି ଯାତ୍ରା। ଆଜିକୁ ୫ ବର୍ଷ ହେଲାଣି ନିୟମିତ ଭାବେ ଆଶିଷ ନିଜର ତିନି ସାଥୀଙ୍କୁ ଧରି ପ୍ରାଚୀ ଉପତ୍ୟକା ଅନ୍ୱେଷଣରେ ଯାଉଥିବା ବେଳେ ୨୦୧୭ରୁ ସେମାନଙ୍କ ସହ ସାମିଲ ହୋଇଛନ୍ତି ଆଉ କିଛି ଯୁବପିଢ଼ି। ସେମାନଙ୍କ ମଧ୍ୟରେ କିଛି କର୍ପୋରେଟ ଚାକିରିଆ, କିଛି ସରକାରୀ ଚାକିରିଆ, ଛାତ୍ରଛାତ୍ରୀ ଓ ଫେଟାଗ୍ରାଫର ରହିଛନ୍ତି।
ଆଶିଷ କହନ୍ତି, ” ଭୁବନେଶ୍ୱର ଉତ୍ତରାଛକ, ବାଳକାଟି ଦେଇ ଗଲେ ଜଣେ ଏହି ଉପତ୍ୟକାରେ ପହଞ୍ଚି ପାରିବ। ତେବେ ନଖରା, ଅଡଶପୁର, ଅଠାନ୍ତର, ନିଆଳି ଦେଇ ମଧ୍ୟ ରାସ୍ତା ଅଛି। ଆମେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାସ୍ତାରେ ଏଠାକୁ ଯାଉ। ପ୍ରାଚୀ ଉପତ୍ୟକାର ପ୍ରାୟ ୩୦୦ରୁ ଅଧିକ ପ୍ରାଚୀନ କିର୍ତ୍ତିରାଜୀ ଓ ପୁରାତନ ମନ୍ଦିର ରହିଛି। ତେଣୁ ଯେତେଥର ଗଲେ ମଧ୍ୟ ଏଠାରେ ଏକ ଭିନ୍ନ ଅନୁଭୂତି ମିଳିଥାଏ।”
ଏହାଛଡା ଜେଣ ଚାହିଁଲେ ପ୍ରାଚୀ ଉପତ୍ୟକାର କଟକ ଭାଗ ଭାବେ ମୟୂର ଉପତ୍ୟକା, ସିଦ୍ଦେଶ୍ୱର ମନ୍ଦିର, ରାମେଶ୍ୱର ମନ୍ଦିର ଓ ଧବଳେଶ୍ୱର ମନ୍ଦିର ଦେଖି ପାରିବ।
ଆକ୍ଟିଭାରେ ଶାମୁକା ଟାପୁ
ବୁଲିବା ପାଇଁ ଦାମିକା ବାଇକ୍ ନୁହେଁ ବରଂ ଝୁଙ୍କ ଥିବା ଦରକାର। ଏମିତି ବିଶ୍ୱାସ ରଖନ୍ତି ଅବିନାଶ ପଟ୍ଟନାୟକ। ନିଜ ଆକ୍ଟିଭା ଓ କିଛି ସାଥୀଙ୍କ ସହ ମିଶି ଅବିନାଶ ଖୋଜିଛନ୍ତି କଟକର ବୟାଳିଶ ମଉଜା ଅଞ୍ଚଳରେ ଥିବା ଟର୍ଟଲ୍ ପଏଣ୍ଟ ଓ ପୁରୀ ଚିଲିକା ସମୁଦ୍ର ବେଳାଭୂମିରେ ଶାମୁକା ଆଇଲ୍ୟାଣ୍ଡ। ଅବିନାଶପଟ୍ଟନାୟକ, ଦେବାଶିଷ ମହାପାତ୍ର, ସଜଲ ସେଠ, ସମରେଶ ବିଶ୍ୱାଳ, ମନିଷ ମେହତା ଓ ସୁମିତ୍ ଦାଶ ରାଜ୍ୟ ପର୍ଯ୍ୟଟନର ଅନାଲୋଚିତ ଦିଗକୁ ଆବିଷ୍କାର କରିବା ପାଇଁ ଏକାଠି ହୋଇଛନ୍ତି। ଏମାନେ କେହି ସ୍କୁଲ, କି କଲେଜ ବେଳର ସାଥୀ ନୁହନ୍ତି, ନୂଆ ଜାଗା ଖୋଜିବାର ମନବୃତ୍ତି କିନ୍ତୁ ଏକାଠି କରିଛି ଏମାନଙ୍କୁ।
ରବିବାର ହେଉ, କି କୌଣସି ସରକାରୀ ଛୁଟିଦିନ। ଏମାନେ ବାହାରିପଡ଼ନ୍ତି ଓଡିଶା ଅନ୍ୱେଷଣରେ। କେତେବେଳେ ଭୁବନେଶ୍ୱର-କଟକ, ପ୍ରେସକ୍ଲବ-ବୟାଳିଶ ମଉଜା ଗାଁ ଦେଇ ପହଞ୍ଚନ୍ତି “ଟର୍ଟଲ୍ ପଏଣ୍ଟ’ରେ ତ ପୁଣି କେତେବେଳେ ସେଠାରୁ ବିରିଡି-ଜଗତସିଂପୁର ଦେଇ ଯାଜପୁରର ପୀର ବାବା ଦରଘା ଯାଏଁ ଗାଡି ଗଡ଼େ। ୪ ହଜାର ପାହାଚ ଟ୍ରେକିଂ କରି ଏମାନେ ପହଁଞ୍ଚନ୍ତି ଯାଜପୁର ସହରର ସବୁଠାରୁ ଉଚ୍ଚା ଟାପୁରେ ଥିବା ପୀର ପୀଠରେ। ଯେଉଁଠି ଏବେବି ଓଡ଼ିଶାର ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟକ ଅପହଞ୍ଚ। କେବଳ ସେଇଠି ନୁହେଁ ପୁରୀରୁ ଚିଲିକା ମୁହାଣ ପର୍ଯ୍ୟନ୍ତ ଯାଇ ଏମାନେ ଖୋଜି ପାଇଛନ୍ତି ଶାମୁକା ଟାପୁ।
ସମୁଦ୍ର ବେଳାଭୂମିରେ ଦେଖାଯାଉଥିବା ସାଧାରଣ ଶାମୁକା ଅପେକ୍ଷା ଏଠାରେ ମିଳୁଥିବା ଶାମୁକା ସଂଖ୍ୟା ଢେ଼ର ଅଧିକ ଥିବା ବେଳେ ଆକାରରେ ମଧ୍ୟ ବଡ଼। ତେଣୁ ସ୍ଥାନୀୟ ଲୋକ ଏହାକୁ ଶାମୁକା ଟାପୁ ବୋଲି କହିଥାନ୍ତି।
ଓଡ଼ିଶାକୁ ନିରେଖି ଦେଖିବାର ଆଗ୍ରହ ରଖୁଥିବା ଅବିନାଶ କହନ୍ତି “ପୂର୍ବରୁ ମୁଁ ଏକା ଏକା ବୁଲୁଥିଲି। ମାତ୍ର ୨୦୧୭ରୁ ମୋତେ ମୋ ଭଳି ମାନସିକତାର କିଛି ସାଥୀ ମିଳିଲେ। ଆଉ ସେବେଠୁ ବୁଲିବା ଆରମ୍ଭ କରିଛି। ଇତି ମଧ୍ୟରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ବୁଲିବାର ସୁଯୋଗ ପାଇଛି। ତେବେ ଟ୍ୟାକ୍ସି ଓ କ୍ୟାବରେ ବୁଲିବା ଠାରୁ ବାଇକ୍ ଓ ସ୍କୁଟିରେ ବୁଲିବାର ଏକ ଅଲଗା ମଜା ରହିଛି। ଅଫ୍ ରୋଡ ଟ୍ରାଭେଲରେ ଆପଣ କେବଳ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ପାଖରୁ ଜାଣିବେନି ବରଂ ଏହା ଆପଣଙ୍କ ଭିତରେ ଭାଇଚାରା ଓ ସୌହାର୍ଦ୍ଦ୍ୟ, ଧୌର୍ଯ୍ୟ ଓ ସଂଯମତା ବଢ଼ାଇବାରେ ସହାଯ୍ୟ କରିବ।
ସୁପର ବାଇକରେ ସାରା ଓଡ଼ିଶା
ଏମାନେ କିନ୍ତୁ ଟିକେ ଭିନ୍ନ ଭାବେ ଦେଖନ୍ତି ଓଡ଼ିଶାକୁ। ଓଡ଼ିଶା ବାହାରର ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ସହ ଓଡ଼ିଶାର ଖାଦ୍ୟ, ପାନୀୟ ଓ ପର୍ଯ୍ୟଟନ ସ୍ଥଳୀ ବାବଦରେ ଅବଗତ କରାଇବା ପାଇଁ ଏମାନେ ଧରିଛନ୍ତି ସୁପରବାଇକ୍। ଆଖି ପିଛୁଳାକେ ଅତିକ୍ରମ କରୁଛନ୍ତି ମାଇଲ୍ ମାଇଲ୍ ବାଟ। କେତେବେଳେ ଦେଓମାଳିର ସୁଉଚ୍ଚ ପର୍ବତାମଳା ଭିତରେ ତ ପୁଣି କେତେବେଳେ ଜିରାଙ୍ଗର ଶାନ୍ତ ପରିବେଶ ଭିତରେ। ପୁଣି କେତେବେଳେ ସମୁଦ୍ର ବେଳାଭୂମିରେ ତ କେତେବେଳେ ଅପ୍ ଟ୍ରାକରେ କଟକର ମୁଣ୍ଡୁଳିରେ ପହଞ୍ଚନ୍ତି ଏମାନେ। ପେଶା ଭିନ୍ନ। ହେଲେ ନିଶା ଓଡ଼ିଶା ଖୋଜ୍। ରାଜଧାନୀରେ ଏବେ ଏମିତି ଏକ ସୁପରବାଇକ୍ କ୍ଲବ୍ ତିଆରି ହୋଇଛି ଯାହାର ମୂଳ ଲକ୍ଷ୍ୟ ଓଡ଼ିଶାର ଅନାଲୋଚିତ ପର୍ଯ୍ୟଟନ ସ୍ଥଳୀକୁ ଖୋଜି ବାହାର କରିବା।
‘ଦ ମୋଟରସାଇକେଲିଷ୍ଟ’ ନାଁରେ ତିଆରି ହୋଇଥିବା ଏହି ଦଳରେ ଏବେ ୧୦୦ରୁ ଅଧିକ ସଦସ୍ୟ। ଯେଉଁମାନେ କି ନିୟମିତ ଭାବେ ସପ୍ତାହର ପ୍ରତି ରବିବାର ବାହାରନ୍ତି କୌଣସି ଏକ ଅଜଣା ଗାଁ ବା ସହରର ଆବିଷ୍କାରରେ। ଯାହାର ମୁଖ୍ୟ ନାୟକ ସାଜିଛନ୍ତି ହିମାଂଶୁ ନାୟକ। ‘ଚା ବିସ୍କୁଟ୍’ଖଟିରୁ ଆରମ୍ଭ ହୁଏ ଯାତ୍ରା। ଆଉ ତାଙ୍କୁ ସାଥ୍ ଦିଅନ୍ତି ସୁମନ୍ ପରିଡା, ଆଶିଷ ଗୁପ୍ତା, ଅଦ୍ନାନ୍ ଅଲ୍ଲୀ, ଅଭିନାଶ ପଣ୍ଡା। ଇତି ମଧ୍ୟରେ ଦଳର ସଦସ୍ୟମାନେ ଜିରାଙ୍ଗ, ଦାରିଙ୍ଗବାଡି, ମହେନ୍ଦ୍ରଗିରି, ଦେଓମାଳି, ସାନଘାଗରା, ବଡଘାଗରା, ମୁଣ୍ଡଳି, କପିଳାସ, ଚନ୍ଦକା, ଚାନ୍ଦିପୁର ଯିବା ସହ ଅନେକ ବିଚ୍ ରାଇଡ ମଧ୍ୟ କରିଛନ୍ତି।
ଓଡ଼ିଶା ବ୍ୟତୀତ ଦଳର ସଦସ୍ୟମାନେ ଭୁବେନଶ୍ୱରରୁ ରାଜ୍ୟ ବାହାରର ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଛନ୍ତି। ଏ ବାବଦେର ଦଳର ସୁମନ ପରିଡ଼ା କହନ୍ତି, “ଗତ ୨ ବର୍ଷ ହେଲା ଯୁବପିଢ଼ିଙ୍କ ଭିତରେ ବାଇକ୍ ଟ୍ରାଭେଲ୍ କ୍ରେଜ୍ ବଢ଼ିଛି। ମୋଟରସାଇକେଲ୍ ସବୁ ସ୍ଥାନକୁ ସବୁ ସମୟରେ ପହଞ୍ଚି ପାରିବ। ତେଣୁ ଏହା ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ। ଏହାଛଡା ଆପଣ ବାଇକରେ ଗଲେ କୌଣସି ସ୍ଥାନୀୟ ଅଞ୍ଚଳର ଖାଦ୍ୟ, ସେଠାକାର ଲୋକଙ୍କ ସଂସ୍କୃତି ଓ ଆଚାର ବ୍ୟବହାରକୁ ପାଖରୁ ପରଖିବାର ସୁଯୋଗ ପାଇବେ।”
ବାଇକରମାନେ ରାଜ୍ୟ ପର୍ଯ୍ୟଟନକୁ ନିରବରେ ବିଶ୍ୱ ମଞ୍ଚରେ ପ୍ରଚାର କରୁଛନ୍ତି। ଏହାର ଏକ ଉଦାହରଣ ହେଲା ଆମ ବାଇକର ଓ ରାଇଡରମାନଙ୍କ ‘ପାନ୍ ଇଣ୍ଡିଆ’ ନାମରେ ଏକ ଗ୍ରୁପ୍ ଅଛି । ଯେଉଁଠାରେ ଆମେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଫଟୋ ଉଠାଇ ଅପଲୋଡ କରୁଛୁ । ଫଳସ୍ୱରୂପ ଦୁଇ ବର୍ଷ ଭିତରେ ଓଡ଼ିଶା ବୁଲିବାକୁ ୬୦ରୁ ଅଧିକ ସଲୋ ରାଇଡର ଆସିଥିବା ବେଳେ ପାଖାପାଖି ୮୦ ରାଇଡର ବିଭିନ୍ନ ସ୍ଥାନକୁ ଯିବା ବେଳେ ଓଡ଼ିଶାରେ ସ୍ୱଳ୍ପ ରହଣି କରୁଛନ୍ତି।
ଆଗାମୀ ଦିନରେ ଏହା ନିଶ୍ଚିତ ଭାବେ ବାଇକର ଡେଷ୍ଟିନେସନ୍ ହୋଇ ପାରିବ ବୋଲି ଆଶା। ଏହାଛଡା ସୁପରବାଇକରଙ୍କ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରାସ୍ତା ବହୁତ ଭଲ। ତେବେ ବେଳେ ବେଳେ ଆମେ ଅପ୍ ଟ୍ରାକ୍ ରାଇଡ ବି କରୁଛୁ। ସୁପରବାଇକ୍ ଗ୍ରୁପ୍ ତିଆରି କରିବାର ଆଉ ଏକ କାରଣ ହେଲା ଏଠାରେ ଏକ ସାଧାରଣ ବର୍ଗ ଲୋକମାନେ ସଦସ୍ୟ ହୋଇ ପାରିବେ । ପର୍ଯ୍ୟଟନ ସ୍ଥଳୀରେ ସ୍ୱଚ୍ଛତା ଓ ପରିମଳ ସମ୍ପର୍କରେ ସେଚତନତା ସୃଷ୍ଟି କରିବା ସହ ଟ୍ରାଫିକ୍ ନିୟମ ମାନିବା ଓ ଶୃଙ୍ଖଳା ବଜାୟ ରଖିବା ଦିଗରେ ‘ଦ ମୋଟରସାଇକେଲିଷ୍ଟ’ କାର୍ଯ୍ୟ କରୁଛି।
(ରିପୋର୍ଟ-ପ୍ରତିଭା)









Jitu be care ful