ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେଉଁ ଟୁଇଟର୍‌ରେ ଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଫଟୋ ପୋଷ୍ଟ କରି ବିବାଦୀୟ ହୋଇଥିଲେ ସେହି ପୋଷ୍ଟରେ ନିଜ ଭୁଲ୍ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ।

ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲକୁ ନେଇ ନିଜ ଭୁଲ୍ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ। ଏହାସହ ଟୁଇଟର୍‌ରେ ପୋଷ୍ଟ କରିଥିବା ସମସ୍ତ ଫଟୋ ସେ ହଟାଇ ଦେଇଛନ୍ତି।

ଯେଉଁ ଟୁଇଟର୍‌ରେ ଫଟୋ ପୋଷ୍ଟ କରି ବିବାଦୀୟ ହୋଇପଡ଼ିଥିଲେ ସେହି ଟୁଇଟର୍‌ରେ କ୍ଷମା ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ।

ଟୁଇଟର୍‌ରେ ବିଜୟ ଗୋଏଲ ଲେଖିଛନ୍ତି, “ଗତବର୍ଷ ଓଡ଼ିଶା ଗସ୍ତ ଅବସରରେ ମୁଁ ଲିଙ୍ଗରାଜ ମନ୍ଦିର ଯାଇଥିଲି। ଉତ୍କଳ ଦିବସ ଅବସରରେ ଓଡ଼ିଶାବାବସୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏହି ଫଟୋ ମୁଁ ଟୁଇଟର୍‌ରେ ପୋଷ୍ଟ କରିଥିଲି। ଏହି ଫଟୋ ପୋଷ୍ଟ କରି ମୁଁ କହାର ଭାବାବେଗକୁ ଆଘାତ ଦେବାକୁ ଚାହିଁନି। ଏବେ ଏହି ଫଟୋକୁ ମୁଁ ଟୁଇଟର୍‌ ପୋଷ୍ଟରୁ ପ୍ରତ୍ୟାହାର କରି ନେଇଛି।”

ଉତ୍କଳ ଦିବସ ଅବସରରେ ଟୁଇଟର୍‌ରେ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ।

ଲିଙ୍ଗରାଜ ମନ୍ଦିରର ୩ଟି ଫଟୋ ସହ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ ସେ। ଗତବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମୟର ଏହି ଫଟୋ ବୋଲି ଉଲ୍ଲେଖ ବି କରିଥିଲେ।

ଏହି ତିନୋଟି ଫଟୋ ଭିତରୁ ଗୋଟିଏ ମନ୍ଦିର ପ୍ରାଙ୍ଗଣରେ ଏବଂ ଆଉ ଦୁଇଟି ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା କରିବା ସମୟର। ମନ୍ଦିରକୁ ମୋବାଇଲ୍ ଏବଂ କ୍ୟାମେରା ନିଷିଦ୍ଧ ଥିବା ବେଳେ କେନ୍ଦ୍ରମନ୍ତ୍ରୀ କିଭଳି ଗର୍ଭଗୃହ ଭିତରୁ ଏ ଫଟୋ ଉଠାଇଲେ ତାକୁ ନେଇ ପ୍ରଶ୍ନ ଉଠିଥିଲା।

ଲିଙ୍ଗରାଜ ମନ୍ଦିରର ସେବାୟତମାନେ ଏହାକୁ ବିରୋଧ କରିଥିଲେ। ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ଲୋକ ଦାବି କରିଥିଲେ।

ବିଜୟ ଗୋଏଲ୍‌ଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିଦେବା ଦରକାର। ବିଜୟ ଗୋଏଲ୍‌ ମନ୍ତ୍ରିମଣ୍ଡଳରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବହିଷ୍କାର କରନ୍ତୁ ବୋଲି  କଂଗ୍ରେସ ନେତା ସୁର ରାଉତରାୟ ଦାବି କରିଥିଲେ।

Comment