ଓଡ଼ିଶାଲାଇଭ୍ ବ୍ୟୁରୋ

- ରତ୍ନଭଣ୍ଡାରକୁ ଯିବେ ୧୦ ଜଣିଆ ଟିମ୍
- ଯାଞ୍ଚ ବେଳେ ସାଧାରଣ ଦର୍ଶନ ବନ୍ଦ ରହିବ
- ଏସ୍ଓପି କଡ଼ାକଡ଼ି ପାଳନ ହେବ
- ଲୋକନାଥଙ୍କ ପାଖରେ ଶପଥ ନେବେ ଟିମ୍ ସଦସ୍ୟ
- ରତ୍ନଭଣ୍ଡାରରେ ଯାହା ଦେଖିବେ କାହାକୁ ନକହିବା ପାଇଁ ନେବେ ଶପଥ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆସନ୍ତା ୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ଧାର୍ଯ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ମନୋନିତ ହୋଇଥିବା ୧୦ ଜଣିଆ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି, “ଶ୍ରୀମନ୍ଦିର ରତ୍ନଭଣ୍ଡାର ଏପ୍ରିଲ ୪ରେ ଯାଞ୍ଚ କରାଯିବ। ପୂର୍ବରୁ ମନୋନିତ ହୋଇଥିବା ସଦସ୍ୟମାନେ ରତ୍ନଭଣ୍ଡାର ଯାଞ୍ଚ କରିବେ। ସେମାନେ କେବେଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଯାଞ୍ଚ କରିବେ। ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଯାଞ୍ଚ ବେଳେ କଡ଼ାକଡ଼ି ଭାବେ ଏସ୍ଓପି ପାଳନ ହେବ।”
ରତ୍ନଭଣ୍ଡାର ଯାଞ୍ଚ୍ ପାଇଁ ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, ଦେଉଳ କରଣ, ଏଏସ୍ଆଇର ଦୁଇ ଜଣ ଯନ୍ତ୍ରୀ, ଏଏସ୍ଆଇ କୋର୍ କମିଟି ସଦସ୍ୟ, ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ୍ ଏନ୍ କେ ମହାନ୍ତି ଯିବେ। ଛତିଶା ନିଯୋଗ ବୈଠକରେ ଏହା ନିଷ୍ପତ୍ତି ହୋଇଛି।
ଏହି ସଦସ୍ୟମାନେ ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଶ୍ରୀଲୋକନାଥଙ୍କୁ ପୂଜା କରିବେ। ଭିତରେ ଯାହା ଦେଖିବେ ତାହା ବାହାରେ ପ୍ରକାଶ ନକରିବା ପାଇଁ ଶପଥ ନେବେ। ଯାଞ୍ଚ ପରେ ହିଁ ଏହି ଟିମ୍ ସାଙ୍ଗେ ସାଙ୍ଗେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ।
ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଚାହିଁଥିଲା। ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍ଆଇ କର୍ତ୍ତୃପକ୍ଷ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠ ଆଧାରରେ ମାର୍ଚ୍ଚ ୨୬ ଏବଂ ୨୭ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ।ହେଲେ ଏହାକୁ କିଛି ସେବାୟତ ବିରୋଧ କରିଥିଲେ। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଅଡ଼ୁଆରେ ପଡ଼ିଥିଲେ।
ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଆଇନ ବିଭାଗର ଅନୁମତି ଲୋଡ଼ିଥିଲେ। ଆଇନ ବିଭାଗ ସବୁ ଦିଗକୁ ବିଚାର କରି ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ଖୋଲିବା ପାଇଁ ଚିଠି ଦେଇଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସ୍ଆଇ ଅଧିକାରୀ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ ମାର୍ଚ୍ଚ ୨୬ରେ ରତ୍ନଭଣ୍ଡାର ବାହାର ପଟ ଯାଞ୍ଚ କରିଛନ୍ତି। ବାହାର ପଟ କାନ୍ଥ ଏବଂ ଛାତ ଠିକ୍ ଥିବା ଏଏସ୍ଆଇ ଅଧିକାରୀ କହିଛନ୍ତି। ତେବେ ୨୬ ତାରିଖରେ ରତ୍ନଭଣ୍ଡାରକୁ ନେଇ ରହିଥିବା ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।୨୯ରେ ଛତିଶା ନିଯୋଗ ବୈଠକ ବସିଥିଲା।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଥିଲେ ଯେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ହେବ। କିନ୍ତୁ କେତେ ପରିମାଣର ଗହଣା ଅଛି ତାହା ଆକଳନ କରାଯିବ ନାହିଁ।














