ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ବର୍ଷର ପ୍ରତୀକ୍ଷା ପରେ ସୋମବାର ଖୋଲିବ ଶ୍ରୀମନ୍ଦିରର ଜଗମୋହନ। ଏଣିକି ଭକ୍ତ ଭିତରକାଠ ନିକଟରୁ ଶ୍ରୀଜିଉଙ୍କୁ କରିବେ ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା।

ସୋମବାର ଖୋଲିବ ଶ୍ରୀମନ୍ଦିରର ଜଗମୋହନ। ଦୁଇ ବର୍ଷ ପରେ ଜଗମୋହନ ଖୋଲୁଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଶ୍ରୀଜଗନ୍ନାଥଙ୍କୁ ଭିତରକାଠ ନିକଟରୁ ଦର୍ଶନ କରିବାର ସୁବିଧା ମିଳିବାକୁ ଥିବାରୁ ଭକ୍ତମହଲରେ ଉତ୍ସାହ ଦେଖିବାକୁ ମିଳିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୬ ତାରିଖରେ ଖୋଲୁଛି ଶ୍ରୀମନ୍ଦିର ଜଗମୋହନ। ଭିତରକାଠ ପାଖରୁ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସକାଳ ଧୂପ ପରେ ଭକ୍ତମାନଙ୍କୁ ଜଗମୋହନ ପାଖକୁ ଛଡ଼ାଯିବ।

ନୀତିକାନ୍ତି ସମୟରେ ଜଗମୋହନ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ସାଧାରଣ ଦିନରେ ମଙ୍ଗଳ ଆଳତୀରୁ ଗୋପାଳବଲ୍ଳଭ ନୀତି ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ। ଜୟ ବିଜୟ ଦ୍ବାର ଦେଇ ଭକ୍ତ ଜଗମୋହନରେ ପ୍ରବେଶ କରିବେ। ବେହରଣ ଦ୍ୱାର ଦେଇ ଫେରିବେ। ସାହାଣମେଲା ଦର୍ଶନକୁ ବାରଣ କରାଯାଇଛି।

ଗର୍ଭଗୃହକୁ ପାଳିଆ ସେବାୟତଙ୍କ ବ୍ୟତୀତ ଅନ୍ୟ ସେବାୟତମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏଥିରେ ଛତିଶା ନିଯୋଗ ସମିତି ଅସନ୍ତୋଷ ପ୍ରକାଶ କରିଛି।

୨୦୧୬ ଜାନୁଆରୀରୁ ଜଗମୋହନ ବନ୍ଦ ରହିଥିଲା। ଏଏସ୍‌ଆଇ ପକ୍ଷରୁ ଜଗମୋହନ ମରାମତି କାମ ଚାଲିଥିଲା। ବାହାରକାଠ ପାଖରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ ଭକ୍ତ।

ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଗର୍ଭଗୃହ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଥିଲେ ହାଇକୋର୍ଟ। ଗର୍ଭଗୃହ ମଧ୍ୟକୁ କେଉଁମାନେ ପ୍ରବେଶ କରିବେ ସେ ପ୍ରସଙ୍ଗରେ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜଗମୋହନ ପ୍ରସଙ୍ଗରେ ଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠରେ ଅଗଷ୍ଟ ୧ ପର୍ଯ୍ୟନ୍ତ ଜଗମୋହନ ଖୋଲିବା ନିମନ୍ତେ ମହଲତ ପ୍ରଦାନ କରିବାକୁ ଦର୍ଶାଯାଇଥିଲା। ହେଲେ ହାଇକୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିବାସହ ମହଲତକୁ ଅଗ୍ରାହ୍ୟ କରିଦେଇଥିଲେ। ନୀତି ପ୍ରଶାସକଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ନୀତିପ୍ରଶାସକ ବ୍ୟକ୍ତିଗତ ଭାବେ ହାଜର ହୋଇ ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବା ପାଇଁ ସମ୍ମତି ଜଣାଇଥିଲେ।

Comment