ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ନେଇ ଓଡ଼ିଶାରେ କଂଗ୍ରେସ ଏକଘରିକିଆ ହୋଇଯାଇଛି। ମାଟିକୁ ଦେଖିବ ନା ପାର୍ଟିକୁ ଜଗିବ ତାକୁ ନେଇ ନୂଆ ପିସିସି ସଭାପତିଙ୍କ ଟିମ୍‌ ଅଡ଼ୁଆରେ ପଡ଼ିଛନ୍ତି।

୨୦୧୯ ଲଢ଼େଇ ପାଇଁ ନବନିର୍ବାଚିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରୋଡମ୍ୟାପ ପ୍ରସ୍ତୁତ କରୁଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ତାଙ୍କ ଦଳ ଯେଉଁ ମହାଭିଯୋଗ ଆଣିଛି ତାହା ରାଜ୍ୟ କଂଗ୍ରେସକୁ କାଳ ହୋଇଛି।

ଗୋଟିଏ ପଟେ ଶାସକ ବିଜେଡି ଓ ବିରୋଧୀ ବିଜେପି ଜଷ୍ଟିସ ମିଶ୍ରଙ୍କ ପଛରେ ଠିଆ ହୋଇଥିଲା ବେଳେ କଂଗ୍ରେସ ଏଥିରେ ଏକଘରିକିଆ ହୋଇପଡ଼ିଛି। ଅଧିକାଂଶ ରାଜ୍ୟ କଂଗ୍ରେସ ନେତା ସ୍ୱୀକାର କରିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ ବିରୋଧରେ କଂଗ୍ରେସ ଓ ଅନ୍ୟ ୬ଟି ଦଳ ଯେଉଁ ନୋଟିସ ଦେଇଛନ୍ତି ତାହା ଦଳକୁ କୋଣଠେସା କରିଦେଇଛି।

ନିଜ ନାମ ପ୍ରକାଶ ନକରି ଜଣେ କଂଗ୍ରେସ ନେତା କହିଛନ୍ତି,”କୌଣସି ଓଡ଼ିଆ ଚାହିଁବ ନାହିଁ ଓଡ଼ିଶା ମାଟିର ସନ୍ତାନ ଜଷ୍ଟିସ ମିଶ୍ରଙ୍କ ବିରୋଧରେ କୌଣସିଦଳ ଅଭିଯାନ ଚଳାଉ।”

ବିରୋଧୀ ଦଳ ଭାବେ କଂଗ୍ରେସକୁ ପଛକୁ ଠେଲିଦେଇଥିବା ବିଜେପି ଜଷ୍ଟିସ ମିଶ୍ରଙ୍କ ବରଖାସ୍ତ ଦାବିକୁ ଓଡ଼ିଶା-ବିରୋଧୀ ବୋଲି ଆଖ୍ୟା ଦେଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଧିକ ଟୁଇଟରେ କହିଛନ୍ତି ଯେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଦିଆଯାଇଥିବା ମହାଭିଯୋଗ ନୋଟିସ କଂଗ୍ରେସର ଓଡ଼ିଶା ବିରୋଧୀ ମନୋଭାବକୁ ପଦାରେ ପକାଇଦେଇଛି। ଯେତେବେଳେ ବି କଂଗ୍ରେସ କେନ୍ଦ୍ରରେ ସରକାର କରିଛି ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ଅଣଦେଖା କରି ଆସିଛି।

ଜଷ୍ଟିସ ଦୀପକ ମିଶ୍ର ଘଟଣାକୁ କଂଗ୍ରେସର ଓଡ଼ିଶା-ବିରୋଧୀ ମନୋଭାବର ପ୍ରତିଫଳନ ବୋଲି ଧର୍ମେନ୍ଦ୍ର ବର୍ଣ୍ଣନା କରିଛନ୍ତି। ଶାସକ ବିଜେଡି ମଧ୍ୟ କଂଗ୍ରେସର ଏହି ପଦକ୍ଷେପକୁ ‘ରାଜନୀତି’ ବୋଲି କହିଛି।

ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି,”ନ୍ୟାୟପାଳିକାକୁ ଧମକ ଦେବା ଭଳି ପଦକ୍ଷେପ ଦ୍ୱାରା କଂଗ୍ରେସ ଅତି ତଳକୁ ଖସିଯାଇଛି।”

ତାଙ୍କ ମତରେ ଏହି ବରଖାସ୍ତ ଦାବି ସହିତ କିଛି ରାଜନୈତିକ ଘଟଣାର ସମ୍ପର୍କ ରହିଛି। ଗୋଟିଏ ଜାତୀୟ ଦଳଠାରୁ ଏହା ଆଶା କରାଯାଏନା ବୋଲି ସେ ମତ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଅଣାଯାଇଛି ସେ ସବୁର ଉତ୍ତର ବହୁ ଆଗରୁ ମିଳି ସାରିଛି। ଏଥିରେ କୌଣସି ସତ୍ୟତା ନାହିଁ। ଏଣେ ରାଜ୍ୟର ଓକିଲମାନେ ଏ ସମ୍ପର୍କିତ ଘଟଣାକୁ ନିନ୍ଦା କରିବା ସହ ଜଷ୍ଟିସ ମିଶ୍ରଙ୍କୁ ସମର୍ଥନ କରିଛନ୍ତି। ପୂର୍ବରୁ ଏହି ମାମଲାରେ ହାଇକୋର୍ଟର ଓକିଲମାନେ ଗୋଟିଏ ଦିନ ପାଇଁ କାର୍ଯ୍ୟ ବନ୍ଦ କରିଥିଲେ।

Comment