ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିବା ପରେ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ। ଏହି ନିଷ୍ପତ୍ତି ବିରୋଧରେ ଦଳ ସୁପ୍ରିମକୋର୍ଟ ଯିବ ବୋଲି କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି।
ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛି ବିରୋଧୀ କଂଗ୍ରେସ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ଠିକ୍ ଭାବେ ବିଚାର କରାଯାଇ ନଥିବା କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ କଂଗ୍ରେସ ସୁପ୍ରିମକୋର୍ଟ ଯିବ।
କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି, “ରାଜ୍ୟସଭା ଅଧ୍ୟକ୍ଷ ନିୟମ ବିରୋଧୀ କାମ କରିଛନ୍ତି। ବିନା ଯାଞ୍ଚରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦିଆଯାଇଛି। ଭାରତର ଇତିହାସରେ ଏହା ହେଉଛି ପ୍ରଥମ ଘଟଣା। ଏହି ମାମଲାରେ ପ୍ରଥମେ ରାଜ୍ୟସଭା ଅଧ୍ୟକ୍ଷ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବାର ଥିଲା। ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ନିଷ୍ପତ୍ତି ନେବାର ଥିଲା।”
ମହାଭିଯୋଗ ପ୍ରସ୍ତାବରେ କେତେଜଣ ସାଂସଦ ଦସ୍ତଖତ କରିଛନ୍ତି ତାହା କେବଳ ରାଜ୍ୟସଭା ଅଧ୍ୟକ୍ଷ ଯାଞ୍ଚ କରିଥାନ୍ତେ। ଅଭିଯୋଗ ସତ କି ମିଛ ତାହା ଜାଣିବା ପାଇଁ ଏକ ଯାଞ୍ଚ କମିଟି ଗଠନ କରିବାର ଆବଶ୍ୟକତା ଥିଲା। ଯାଞ୍ଚ କମିଟି ଅଭିଯୋଗର ଯଦି କିଛି ସୁରାଗ ପାଇଥାନ୍ତେ ତାହାଲେ ଏହା ସଂସଦରେ ଉପସ୍ଥାପନ କରାଯାଇଥାନ୍ତା। କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ସେମିତି କିଛି କଲେ ନାହିଁ ବୋଲି କଂଗ୍ରେସ ନେତା ଶିବଲ କହିଛନ୍ତି।
୫ଟି ଅଭିଯୋଗକୁ କେନ୍ଦ୍ର କରି ରାଜ୍ୟସଭାରେ ଆସିଥିଲା ମହାଭିଯୋଗ ପ୍ରସ୍ତାବ। ଏହି ପ୍ରସ୍ତାବରେ କଂଗ୍ରେସ ସମେତ ୭ଟି ରାଜନୀତିକ ଦଳର ସାଂସଦ ଦସ୍ତଖତ କରିଥିଲେ। ହେଲେ ସୋମବାର ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ଏହି ଅଭିଯୋଗରେ କୌଣସି ସତ୍ୟତା ନଥିବାରୁ ଆଇନ୍ ବିଶାରଦଙ୍କ ସହ ବିଚାର ବିମର୍ସ କରି ରାଜ୍ୟସଭା ଅଧ୍ୟକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।