ଭାସ୍କର ପରିଚ୍ଛା

‘ରାତିସାରା ଗୁଡାଏ କଦର୍ଯ୍ୟ ଭୀତିପ୍ରଦ ସ୍ୱପ୍ନ ଦେଖି ପ୍ରବଳ ଛଟପଟ ହୋଇ ଦିନେ ସକାଳୁ ଉଠି ଗ୍ରେଗର ସାମ୍ସା ଆବିଷ୍କାର କଲା ଯେ ଗୋଟିଏ ବିରାଟ ବିକୃତ ପୋକ ପାଲଟି ଖଟରେ ପିଠି ମାଡି ପଡିଛି’ – ମେଟାମୋର୍ଫୋସିସ (ରୂପାନ୍ତର) – ଫ୍ରାଞ୍ଜ କାଫକାଙ୍କ ‘ମେଟାମୋର୍ଫୋସିସ’ ଏକ ଅନବଦ୍ୟ କୃତି।
ବିଶ୍ୱର ବିଭିନ୍ନ ଭାଷାରେ ଅନୁଦିତ ହେବା ସହିତ ଦୀର୍ଘ ଶହେ ବର୍ଷ ଧରି ଲେଖକ ଏବଂ ପାଠକମାନଙ୍କୁ ଏହି ଉପନ୍ୟାସଟି ପ୍ରଭାବିତ କରି ଆସିଛି। ଏହି ବଡ଼ ଗପରୁ ଆଧୁନିକ ସାହିତ୍ୟର ଆରମ୍ଭ ବୋଲି ମଧ୍ୟ କୁହାଯାଏ।
କାଫକା ଥିଲେ ଜଣେ ଦିଗଦର୍ଶକ ଓ ଦୂରଦର୍ଶୀ। ୧୯୧୫ରେ ଏହି ଗପଟି ଲେଖାଯାଇଥିଲା। ୨୦୧୫ରେ ଶତବାର୍ଷିକୀ ପାଳିଥିଲା ଏହି କାଳଜୟୀ ସାହିତ୍ୟକୃତି। ଏହି ନଭେଲାକୁ ନେଇ କେତେ ଯେ ସଙ୍ଗୀତ ନାଟକ,ଅପେରା, ଚଳଚ୍ଚିତ୍ର ,ଆଲୋଚନା ଓ ସମାଲୋଚନା ଲେଖାହୋଇଛି ତା’ର ହିସାବ ନାହିଁ।
ମେଟାମୋର୍ଫୋସିସ ବା ସରଳ ଭାଷାରେ କହିଲେ କାୟାର ରୂପାନ୍ତର, ପଢ଼ିବା ପାଇଁ ଏକ ଅତି ଜଟିଳ ପୁସ୍ତକ ନୁହେଁ । କିନ୍ତୁ ଏହାର ଥିମରେ ଅତିବାସ୍ତବତାର ଶକ୍ତ ପରିପ୍ରକାଶ ଘଟିଛି। ଦୁନିଆରେ ସବୁ କିଛି ସମ୍ଭବ ଓ ଏହା ଗ୍ରହଣୀୟ ହେବାକୁ ବାଧ୍ୟ ଏହି ତତ୍ତ୍ୱକୁ ନେଇ ଜର୍ମାନ ଭାଷାରେ ଲିଖିତ ମେଟାମୋର୍ଫୋସିସ ହିନ୍ଦୀ ସମେତ ବହୁ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି।
‘ଚାରି କୋଣ’ ଓ ‘ଧଉଳି ବୁକ୍ସ’ର ମିଳିତ ଉଦ୍ୟମରେ କାଫକାଙ୍କ କୃତିର ଏହି ସଦ୍ୟତମ ଓଡ଼ିଆ ରୂପାନ୍ତରଣ ଏକ ମହତ ଉଦ୍ୟମ। ଅନୁବାଦକ କମଳାକାନ୍ତ ମହାପାତ୍ର ନଭେଲାଟିକୁ ସିଧାସଳଖ ଅନୁବାଦ କରି ଥୋଇ ଦେଇନାହାନ୍ତି। ମୁଖବନ୍ଧ,ପୃଷ୍ଠବନ୍ଧ ଓ ଅନ୍ୟାନ୍ୟ ଉପାଦାନ ସହିତ ଏହାକୁ ସେ ଏକ ପୂର୍ଣ୍ଣାଙ୍ଗ କାର୍ଯ୍ୟ ଭାବରେ ଓଡ଼ିଆ ପାଠକଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି। ଫଳରେ ସୁବିଧା ଏୟା ହୋଇଛି ଯେ ଯଦି ଆପଣ କାଫକାଙ୍କ ବିଷୟରେ କିମ୍ବା ମେଟାମୋର୍ଫୋସିସ ସମ୍ପର୍କରେ ସବୁକିଛି ଜାଣିବା ପାଇଁ ଚାହିଁବେ ଆପଣଙ୍କୁ ଅନ୍ୟ ସୂତ୍ରକୁ ଯିବାର ଆବଶ୍ୟକତା ପଡିବ ନାହିଁ।
ବିଶ୍ଵସାହିତ୍ୟ/ଉପନ୍ୟାସ/ଅନୁବାଦ ଶ୍ରେଣୀର ଏହି ଅନୁବାଦଟି ଓଡ଼ିଆ ସାହିତ୍ୟ ପାଇଁ ଏକ ମହତ ସଂଯୋଜନା। ମେଟାମୋର୍ଫୋସିସର ଓଡ଼ିଆ ଅନୁବାଦ ଯେ ଆଗରୁ ହୋଇନାହିଁ, ତାହା ନୁହେଁ। ଦୁଇଟି ଅନୁବାଦ ଥିବା ସତ୍ତ୍ୱେ ଆଉ ଏକ ଓଡ଼ିଆ ଅନୁବାଦର ଆବଶ୍ୟକତା ରହିଥିବାର ଉପଲବ୍ଧି ଯେତିକି ସତ, ଏହାର ସଚିତ୍ର ଉପସ୍ଥାପନା ସେତିକି ସମୟ ଉପଯୋଗୀ।
ପୃଷ୍ଠବନ୍ଧରେ ଶ୍ରୀ ମହାପାତ୍ର କହିଛନ୍ତି କିଭଳି ଏହି ଉପନ୍ୟାସିକା ବିଷୟରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ଶୁଣିଥିଲେ, କେମିତି ଅନୁବାଦକୁ ଭୟ କରୁଥିଲେ ଓ କିଭଳି ସେ ଏକ କ୍ଲାସିକକୁ ସାବଲୀଳ ଭାବେ ଅନୁବାଦ କରିବାକୁ ଲାଗିଲେ ଇତ୍ୟାଦି। ପରିଶିଷ୍ଟ କ୍ରମେ ଏହି ବିଶ୍ୱପ୍ରସିଦ୍ଧ ଲେଖାର ଏକ ବ୍ୟାପକ ପୃଷ୍ଠଭୂମି ଓ ସଚିତ୍ର ଅବତାରଣାରୁ ପାଠକଟି ଜାଣିପାରିବ ରଚନାର ମହନୀୟତା। ଉଭୟ ପୃଷ୍ଠପୋଷକ ଓ ପ୍ରକାଶକ ଏହିଭଳି ଏକ ଚମତ୍କାର କାର୍ଯ୍ୟ ପାଇଁ ଧନ୍ୟବାଦର ପାତ୍ର ହେବେ।








