ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦୧୭ ସେପ୍ଟେମ୍ବର ୧୦ରେ ଭୁଶୁଡ଼ିଥିଲା ଓଭରବ୍ରିଜ ଛାତ
  • ଆଜି ଭୁଶୁଡ଼ିଲା ଲୁହା ରେଲିଂ
  • ଛାତ ଭୁଶୁଡ଼ିବା ବେଳେ ଯାଇଥିଲା ଜଣେ ବାଇକ ଆରୋହୀଙ୍କ ଜୀବନ
  • ପଣ୍ଡା ଇନଫ୍ରା କମ୍ପାନିର ସ୍ୱଚ୍ଛତା ଉପରେ ପ୍ରଶ୍ନ
  • ଖୋର୍ଦ୍ଧା ଜିଲ୍ଲାପାଳ ଘଟଣାର ନିନ୍ଦା କଲେ
  • ତଦନ୍ତ ଖୁବଶୀଘ୍ର: ଜିଲ୍ଲାପାଳ

ମୃତ୍ୟୁର ଦୂତ ପାଲଟିଛି ବମିଖାଲ ଓଭରବ୍ରିଜ। ୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ଏହି ଓଭରବ୍ରିଜର ଛାତ ଭୁଶୁଡ଼ି ଜଣେ ବାଇକ ଆରୋହୀଙ୍କ ଜୀବନ ଯାଇଥିବା ବେଳେ ଆଜି ଜଣେ କାର୍ଯ୍ୟରତ ଶ୍ରମିକଙ୍କ ଜୀବନ ଯାଇଛି। ଫଳରେ ବମିଖାଲ ଓଭରବ୍ରିଜ କାମର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମୃତ ଶ୍ରମିକ ଜଣକ ହେଲେ ଅଜୟ ନାୟକ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଅଞ୍ଚଳରେ। ରାତିରେ ଓଭରବ୍ରିଜର ଲୁହା ରେଲିଂ କାମ ଚାଲୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।  ଲୁହା ରେଲିଂ ଖସିପଡ଼ିବାରୁ ଦୁଇ ଜଣ ଶ୍ରମିକ ତଳେ ଚାପି ହୋଇ ରହିଥିଲେ। ଏହି ଶ୍ରମିକ ଦୁଇ ଜଣ ହେଲେ ଅଜୟ ନାୟକ ଏବଂ ଆନନ୍ଦ ନାୟକ। ଉଭୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ।

ଏହି ଶ୍ରମିକମାନେ ପଣ୍ଡା ଇନଫ୍ରା କମ୍ପାନି ଅଧିନରେ କାମ କରୁଥିଲେ। ଲୁହା ରେଲିଂ ଖସିପଡ଼ିବାରୁ ଅଜୟ ଏବଂ ଆନନ୍ଦ ଗୁରୁତର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ହେଲେ ଡାକ୍ତର ଅଜୟଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଆନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉତ୍ତେଜନା ଦେଖାଦେଇଛି। ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପଣ୍ଡା ଇନଫ୍ରା ମାଲିକକୁ ଗିରଫ କରିବାକୁ ଦାବି କରିଛନ୍ତି। ନହେଲେ ନବୀନ ନିବାସ ଘେରାଉ କରିବାକୁ ସେ ଚେତାବନୀ ଦେଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଘଟଣାକୁ ନିନ୍ଦା କରିଛନ୍ତି। ସେ ନିର୍ମାଣ କାମ ନିମ୍ନମାନର ହୋଇଥିବା ସନ୍ଦେହ କରୁଛନ୍ତି। ପୂର୍ତ୍ତ ବିଭାଗଙ୍କ ସହ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଖୁବଶିଘ୍ର ତଦନ୍ତ ଆରମ୍ଭ କରାଯିବ। ନିର୍ମାଣ କାମରେ ଅବହେଳା ହୋଇଥିଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ହେଲେ ସବୁଠୁ ବଡ଼ କଥା ହେଉଛି ରେଲିଂ ଖସିଥିଲେ ମଧ୍ୟ ଘଟଣାସ୍ଥଳକୁ ପଣ୍ଡା ଇନଫ୍ରାର କୌଣସି କର୍ମଚାରୀ ଆସି ନାହାନ୍ତି।

୨୦୧୭ରେ ଓଭରବ୍ରିଜ ଭୁଶୁଡ଼ିଥିବା ବେଳେ ୧୧ ଜଣ ଶ୍ରମିକ ଆହତ ହୋଇଥିଲେ। ସେହି ବାଟ ଦେଇ ଯାଉଥିବା ବାଇକ ଆରୋହୀ ଏବଂ ତାଙ୍କ ଝିଅ ଶିତଳ ଗୁରୁତର ହୋଇଥିଲେ। ପରେ ଶିତଲଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ। ପଣ୍ଡା ଇନଫ୍ରା କମ୍ପାନିର ସମସ୍ତ ନିର୍ଦ୍ଦେଶକଙ୍କ ବିରୋଧରେ ପୋଲିସ ଲୁକ୍ ଆଉଟ ସର୍କିୁଲାର ଜାରି କରିଥିଲା। ଏହାପରେ ପୁଣି ପଣ୍ଡା ଇନଫ୍ରା କମ୍ପାନିକୁ କେମିତି ପୂର୍ତ୍ତ ବିଭାଗ କାମ ଦେଲା ତାହା ହିଁ ଏବେ ସବୁଠୁ ବଡ଼ ପ୍ରଶ୍ନ।

Comment