ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍ କେମିତି ହେବ? ଏହି ଟିମ୍‌ରେ କିଏ ରହିବେ ଏବଂ କିଏ ବାଦ୍ ପଡ଼ିବେ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ନିରଞ୍ଜନ ପଟ୍ଟନାୟକ ନୂଆ ପିସିସି ସଭାପତି ହେବା ପରେ ବିଭିନ୍ନ ସ୍ଥାନରେ ଚାଲିଛି ସମ୍ବର୍ଦ୍ଧନା ସଭା। ତିନି କାର୍ଯ୍ୟକାରୀ ସଭାପତି ମଧ୍ୟ ବିଭିନ୍ନ ଜିଲ୍ଲା ବୁଲି ବୈଠକ କରୁଛନ୍ତି। ସଙ୍ଗଠନକୁ କିପରି ମଜଭୁତ କରାଯିବ ସେନେଇ ଆଲୋଚନା କରୁଛନ୍ତି। ୧୫ ତାରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ କମିଟି ଏବଂ ୩୦ ତାରିଖ ସୁଦ୍ଧା ବ୍ଲକ ସ୍ତରୀୟ କମିଟି ଗଠନ କରିବାକୁ ପ୍ରସ୍ତାବ ରହିଛି। ଏ ଦିଗରେ ପିସିସି ଟିମ୍ କାମ ଆରମ୍ଭ କରିଛନ୍ତି। ତେବେ ଏସବୁ ଭିତରେ ନିରଞ୍ଜନ ପଟ୍ଟନାୟକଙ୍କ ନୂଆ ପିସିସି ଟିମ୍ ଉପରେ ସମସ୍ତଙ୍କ ନଜର ରହିଛି।

ପ୍ରସାଦ ହରିଚନ୍ଦନଙ୍କ ଭଳି ନିରଞ୍ଜନ ବଡ଼ ଟିମ୍‌ ଗଠନ କରିବେ ନା ଛୋଟ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନିରଞ୍ଜନ ତାଙ୍କ ମତ ରଖିଛନ୍ତି।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି,  “ତାଙ୍କ ଟିମଟି ଏକ ଛୋଟ ଟିମ୍ ହେବ। ପ୍ରସାଦ ହରିଚନ୍ଦନଙ୍କ ସମୟରେ ଯେମିତି ୧୦୦ ଜଣିଆ କର୍ମକର୍ତ୍ତାଙ୍କୁ ନେଇ ଟିମ୍ ଗଠିତ ହୋଇଥିଲା ଏଥର ତାହା ହେବ ନାହିଁ। ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ସମ୍ପାଦକ ଜିତେନ୍ଦ୍ର ସିଂହଙ୍କ ପରାମର୍ଶ କ୍ରମେ ନୂଆ ଟିମ୍ ଗଠନ କରାଯିବ।”

ନୂଆ ସଭାପତି ସୂଚନା ଦେଇଛନ୍ତି ଯେ ୧୫ ତାରିଖ ସୁଦ୍ଧା ଜିଲ୍ଲା କମିଟି ଗଠନ କାର୍ଯ୍ୟ ଶେଷ ହେବ। ଇସ୍ତାହାରକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ସେ ସମ୍ପର୍କରେ ମଧ୍ୟ ମତ ଦେଇଛନ୍ତି ନିରଞ୍ଜନ। ସାଧାରଣ ଲୋକମାନଙ୍କ ମତାମତକୁ ନେଇ କଂଗ୍ରେସ ଇସ୍ତାହାର ତିଆରି ହେବ।

ଇତି ମଧ୍ୟରେ ଦଳର ତିନି କାର୍ଯ୍ୟକାରୀ ସଭାପତି ନବ  ଦାସ, ପ୍ରଦୀପ ମାଝି  ଓ ଚିରଞ୍ଜୀବ ବିଶ୍ୱାଳ ବିଭିନ୍ନ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି। ଏହି ସଭାପତିମାନେ ତୃଣମୂଳ ସ୍ତରରେ କଂଗ୍ରେସର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ। ଆସନ୍ତା ୧୫ ତାରିଖ ସୁଦ୍ଧା ତିନି ଜଣ କାର୍ଯ୍ୟକାରୀ ସଭାପତି ସେମାନଙ୍କ ରିପୋର୍ଟ ଦେବେ।

LEAVE A REPLY

Please enter your comment!
Please enter your name here