ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ବଡ଼ ସଫଳତା ବଖାଣିଛନ୍ତି। ଏହାସହ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ୩ ଡି ମନ୍ତ୍ର ଦେଇଛନ୍ତି।

ପାଞ୍ଚ ବର୍ଷରେ ପଦାର୍ପଣ କରିଛନ୍ତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଚତୁର୍ଥ ପାଳି ସରକାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ସଚିବାଳୟରେ ଚାରି ବର୍ଷରେ ତାଙ୍କ ସରକାର କରିଥିବା ବିଭିନ୍ନ ଲୋକପ୍ରିୟ ଯୋଜନାର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି। ଚତୁର୍ଥ ପାଳି ସରକାରର ୧୦ଟି ବଡ଼ ସଫଳତା ଏବଂ ଥ୍ରୀ-ଡି ଉପରେ ନବୀନ ଆଜି ଫୋକସ୍ କରିଛନ୍ତି।

୧୦ ବଡ଼ ସଫଳତା

-ଚାରି ବର୍ଷରେ ୧୭ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି। ୨୦୧୯ ମାର୍ଚ୍ଚ ୫ ସୁଦ୍ଧା ଆଉ ୭  ଲକ୍ଷ ପକ୍କା ଘର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

-ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଛି। ବିଜୁ ସେତୁ ଯୋଜନାରେ ୬୦୦ ପୋଲ ନିର୍ମାଣ କରାଯାଇଛି।

-ଚାଷଜମିକୁ ଜଳସେଚନ କରିବାରେ ସରକାର ସଫଳତା ହାସଲ କରିଛନ୍ତି। ଚାଷୀଙ୍କ ବିକାଶ ପାଇଁ ଆମ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଭାଗଚାଷୀଙ୍କ ପାଇଁ ଋଣ ସୁବିଧା କରାଯାଇଛି।

-ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି।

-୯ ଲକ୍ଷ ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରାଯାଇଛି। ଆଗାମୀ ଦିନରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଆଉ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ।

– ପ୍ରସ୍ତାବିତ ୯ଟି ମେଡିକାଲ କଲେଜ ଏବଂ ହସ୍ପିଟାଲ ମଧ୍ୟରେ ୪ଟିର ନିର୍ମାଣ ଶେଷ ହୋଇଛି।

-୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ନେଇ ଆଦିବାସୀ ଉନ୍ନୟନ ପରିଷଦ ଗଠନ କରାଯାଇଛି।

-ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି।

-ମମତା ଯୋଜନାରେ ୩୦ ଲକ୍ଷ ମହିଳା ଉପକୃତ ହୋଇଛନ୍ତି।

-କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଛିଡ଼ା ହୋଇଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାରେ ଆୟୋଜନ କରାଯାଇଛି।

“ଥ୍ରୀ-ଟି: ଟ୍ରାନ୍ସପରେନ୍ସୀ, ଟିମ୍‌ ୱାର୍କ, ଟେକ୍ନୋଲୋଜିକୁ ମନ୍ତ୍ର ଭାବେ ଗ୍ରହଣ କରି ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସଫଳ ହୋଇଛନ୍ତି। ଓଡ଼ିଶାର ବିକାଶ ପାଇଁ ଆମ ସରକାର ଅନେକ ଲୋକପ୍ରିୟ ଯୋଜନା ପ୍ରଣୟନ କରିଛନ୍ତି। ଆଗାମୀ ଦିନରେ ଏହି ସଫଳତାର ଧାରାକୁ ବଜାୟ ରଖିବାକୁ ପଡ଼ିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୩-ଡି ଉପରେ ଫୋକସ୍

ଚତୁର୍ଥ ପାଳି ସରକାରର ଚାରି ବର୍ଷ ପୂର୍ତ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥ୍ରୀ-ଡି ଉପରେ ଫୋକସ୍ କରିଛନ୍ତି। ଡିଟରମିନେସନ, ଡେଡିକେସନ ଏବଂ ଡିଭୋସନକୁ ମୂଳ ମନ୍ତ୍ର କରିବା ପାଇଁ ନବୀନ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରତି ମୁହୂର୍ତ୍ତରେ କଠନି ପରିଶ୍ରମ କରି ଲୋକଙ୍କ ନିକଟତର ହେବା ପାଇଁ ନବୀନ କହିଛନ୍ତି।

ଚତୁର୍ଥ ପାଳି ସରକାରର ଚାରି ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମେ ୮ ତାରିଖରୁ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ। ଗତ ଚାରି ବର୍ଷ ଭିତରେ ମନ୍ତ୍ରୀମାନେ କ’ଣ ଉନ୍ନୟନମୂଳକ କାମ କରିଛନ୍ତି ତାର ଟିକି ନିଖି ହିସାବ ଦେଇଥିଲେ।

ବିରୋଧୀଙ୍କ ସମାଲୋଚନା

ନବୀନଙ୍କ ଚତୁର୍ଥ ପାଳିର ସରକାରକୁ ସମାଲୋଚନା କରିଛନ୍ତି ବିରୋଧୀ କଂଗେସ ଏବଂ ବିଜେପି। ନିର୍ବାଚନ ସମୟରେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ସେସବୁ ପୂରଣ କରିବାରେ ସରକାର ବିଫଳ ବୋଲି ବିରୋଧୀ କହିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶାରେ ବେକାରୀ ବଢ଼ିଛି। ଚାଷୀମାନଙ୍କ ସମସ୍ୟାରେ କୌଣସି ପରିବର୍ତ୍ତନ ହୋଇନି। ନାରୀ ନିର୍ଯାତନା ବଢ଼ିଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେଇପାରି ନାହାନ୍ତି ସରକାର। ସରକାର ସଫଳତାର କାହାଣୀ ବଖାଣିବା ଦୁର୍ଭାଗ୍ୟଜନକ।

“୧୮ ବର୍ଷର ଶାସନ ଭିତରେ ରାଜ୍ୟରେ ବହୁ ଦୁର୍ନୀତି ହୋଇଛି। ଦୁର୍ନୀତିର ଗନ୍ତାଘର ପାଲଟିଛନ୍ତି ରାଜ୍ୟ ସରକାର। ବିଜେପି ଏହି ମହାଦୁର୍ନୀତିକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ଯିବ”, କହିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

LEAVE A REPLY

Please enter your comment!
Please enter your name here