ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଦିନକ ପରେ ଏଚ୍‌ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ହେଲେ ଏଯାଏଁ କିଏ ମନ୍ତ୍ରୀ ହେବେ ତାହା ଚୂଡ଼ାନ୍ତ ହୋଇପାରୁ ନାହିଁ।

କଂଗ୍ରେସ-ଜେଡିଏସ୍‌ ମେଣ୍ଟର ନେତା ଏଚ୍‌ ଡି କୁମାରସ୍ୱାମୀ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏନେଇ କର୍ଣ୍ଣାଟକରେ ଚାଲିଛି ଜୋରଦାର ପ୍ରସ୍ତୁତି। ହେଲେ ମେଣ୍ଟ ସରକାରରେ କେଉଁ ଦଳର କେତେ ମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଅଙ୍କ ଛିଣ୍ଡୁନି।

କଂଗ୍ରେସ ଚାହୁଁଛି ଅଧିକ ମନ୍ତ୍ରୀପଦ ସହ ଉପ-ମୁଖ୍ୟମନ୍ତ୍ରୀ ପଦ ନେବା ପାଇଁ। କିନ୍ତୁ ଏଥିରେ ଜେଡିଏସ୍‌ ନେତା ସହମତ ହେଉ ନଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଡ଼ୁଆକୁ ତୁଟାଇବା ପାଇଁ ମାନସ ମନ୍ଥନ ଚାଲିଛି।

ମଙ୍ଗଳବାର ଅପରାହ୍ଣ ସୁଦ୍ଧା ଖବର ଆସିଥିଲା ଯେ କଂଗ୍ରେସରୁ ୨୦ ଜଣ ଏବଂ ଜେଡିଏସ୍‌ର ୧୪ ଜଣ ବିଧାୟକ ମନ୍ତ୍ରୀ ହେବେ। ହେଲେ ଉପ-ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଆଲୋଚନା ଚାଲିଥିଲା। କିନ୍ତୁ ମନ୍ତ୍ରିମଣ୍ଡଳ ଏବଂ ଉପ-ମୁଖ୍ୟମନ୍ତ୍ରୀ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ।

କୁହାଯାଉଛି ଯେ ଉପ-ମୁଖ୍ୟମନ୍ତ୍ରୀ କେହି ହୁଅନ୍ତୁ ବୋଲି ଜେଡିଏସ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏଚ୍‌ ଡି ଦେବେଗୌଡା ଚାହୁଁ ନାହାନ୍ତି। କାରଣ ଉପ-ମୁଖ୍ୟମନ୍ତ୍ରୀ ହେଲେ ସରକାରରେ ଦୁଇଟି ପାୱାର କରିଡର ସୃଷ୍ଟି ହେବାର ଆଶଙ୍କା ରହିଛି।

କଂଗ୍ରେସକୁ ବାଚସ୍ପତି ପଦ ମିଳିବାର ସମ୍ଭାବନା ରହିଛି। ଏଥିପାଇଁ ହଲିୟାଲ ନିର୍ବାଚନମଣ୍ଡଳୀରୁ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଆର୍‌ବି ଦେଶପାଣ୍ଡେ ଏବଂ ଶ୍ରୀନିବାସପୁରରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କେଆର୍ ରମେଶ କୁମାରଙ୍କ ନାଁ ଚର୍ଚ୍ଚା ହେଉଛି। ତେବେ ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ ସେନେଇ ତାଲିକା ଚୂଡ଼ାନ୍ତ ହୋଇପାରୁନି।

କଂଗ୍ରେସ କର୍ଣ୍ଣାଟକରେ ୭୮ ଆସନରେ ବିଜୟୀ ହୋଇଛି। ଏଣୁ କୌଣସି ବିଧାୟକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି। ବିଶେଷକରି ଏମ୍‌ବି ପାଟିଲ, ଆରବି ଦେଶପାଣ୍ଡେ, ଡିକେ ଶିବକୁମାର, ସମନୁର ଶଙ୍କରପ୍ପା ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିବାରୁ କଂଗ୍ରେସ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ ଜାରି ରଖିଛି।

ୟେଦୁରପ୍ପା ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ନପାରିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ରାଜ୍ୟପାଳ କୁମାରସ୍ୱାମୀଙ୍କୁ ଶପଥ ଗ୍ରହଣ କରିବାକୁ ଡାକିଛନ୍ତି। ହେଲେ ଉପ-ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ନେଇ ଅଙ୍କ ଛିଣ୍ଡୁନି।

Comment