ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ କଂଗ୍ରେସ। ସୋମବାର ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଏହି ଆନ୍ଦୋଳନ ଚାଲିବ। କେବଳ କଟକ-ଭୁବନେଶ୍ୱର ଟୁଇନ ସିଟିରେ କଂଗ୍ରେସ ଚକାଜାମ୍ ଆନ୍ଦୋଳନ ଡାକରା ଦେଇଛି। ଲାଗାତାର ତେଲ ଦର ବଢ଼ୁଥିବାରୁ କଂଗ୍ରେସ ଏହାର ପ୍ରତିବାଦ କରୁଛି।

ସକାଳ ୬ଟାରୁ ଦିନ ୧୨ଟା ଯାଏଁ କୌଣସି ଗାଡ଼ି ନଚଲାଇବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।

“କେନ୍ଦ୍ର ସରକାର ୪ ବର୍ଷରେ ସର୍ବାଧିକ ତେଲ ଦର ବୃଦ୍ଧି କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିଲେ ବି କେନ୍ଦ୍ର ସରକାର ମନଇଚ୍ଛା ତେଲ ବଢ଼ାଇ ଲୋକଙ୍କୁ ଶୋଷଣ କରୁଛନ୍ତି। ଏଣୁ ଏହାର ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ କରୁଛି”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

କଂଗ୍ରେସର ଏହି ଆନ୍ଦୋଳନକୁ ବିଜେଡି ସ୍ୱାଗତ କରିଛି। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଥିବା ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି।

ବନ୍ଦକୁ ସଫଳ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଯୁବ କଂଗ୍ରେସ କର୍ମୀମାନେ ବାଇକ୍ ଶୋଭାଯାତ୍ରା କରି ଆନ୍ଦୋଳନକୁ ସଫଳ କରିବା ପାଇଁ ନିବେଦନ କରିଥିଲେ।

Comment