ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲା ବାଙ୍କୀ ନିର୍ବାଚନମଣ୍ଡଳୀରେ ରବି ମଲ୍ଲିକ ଏବଂ ଦେବାଶିଷ ପଟ୍ଟନାୟକ ସମାନ୍ତରାଳ ସଭା କରୁଥିବାରୁ ଅଡ଼ୁଆରେ ପଡ଼ିଛନ୍ତି କର୍ମୀ।

ବାଙ୍କୀ,(ଆଶିଷ ମହାପାତ୍ର): ପାଖେଇ ଆସୁଛି ୨୦୧୯ ନିର୍ବାଚନ। ୨୦୧୯ ପାଇଁ ଶାସକ ବିଜେଡି ବାଙ୍କୀରେ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କଂଗ୍ରେସ କିନ୍ତୁ ପଛରେ ପଡ଼ିଯାଇଥିବା ପରି ମନେହେଉଛି। ବାଙ୍କୀରେ କଂଗ୍ରେସ ମଙ୍ଗ ସମ୍ଭାଳିବାକୁ ନେତା ନଥିବାରୁ କର୍ମୀମାନେ ଅଡ଼ୁଆରେ ପଡ଼ିଛନ୍ତି। ସବୁଠୁ ବଡ଼ କଥା ହେଉଛି ଦେବାଶିଷ ପଟ୍ଟନାୟକ ଏବଂ ରବି ମଲ୍ଲିକ ବାଙ୍କୀ କଂଗ୍ରେସର ନେତୃତ୍ୱ  ନେଉଥିବା କହୁଥିବାରୁ କର୍ମୀମାନେ କାହାକୁ ନିଜର କରିବେ ଏବଂ କାହାକୁ ପର କରିବେ ସେନେଇ ଠୋସ୍ ନିଷ୍ପତ୍ତି ନେଇପାରୁ ନାହାନ୍ତି।

୨୦୦୦ରୁ ଦେବାଶିଷ ବାଙ୍କୀରେ କଂଗ୍ରେସର ନେତୃତ୍ବ ନେଇ ଆସୁଥିଲେ। ୨୦୦୦ରେ ସେ ବିଧାୟକ ଭାବେ ଲଢ଼ିଥିଲେ ମଧ୍ୟ ବିଜେଡିର ପ୍ରଭାତ ତ୍ରିପାଠୀଙ୍କଠାରୁ ପରାଜିତ ହୋଇଥିଲେ। ୨୦୦୪ରେ ସମୀକରଣ ବଦଳିଥିଲା। ଦେବାଶିଷ ମାତ୍ର ସ୍ୱଳ୍ପ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଧାନସଭା ଆସିଥିଲେ। ହେଲେ ୨୦୦୯ରେ ଦେବାଶିଷ ପୁଣି ପରାଜିତ ହୋଇଥିଲେ।

ଲୋକ ସମ୍ପର୍କ ଅଭାବ ଏବଂ ସଙ୍ଗଠନକୁ ଅଣଦେଖା କରିବାରୁ ସେ ପରାଜିତ ହୋଇଥିବା ଚର୍ଚ୍ଚା ହୋଇଥିଲା। ୨୦୧୩ ଏନଏସି ନିର୍ବାଚନରେ ବି କଂଗ୍ରେସକୁ ଝଟକା ଦେଇଥିଲା ବିଜେଡି। ଏହାପରେ ୨୦୧୪ ନିର୍ବାଚନ ପାଇଁ ବିଗୁଲ ବାଜିଥିଲା। ମାତ୍ର ଦେବାଶିଷ ବାଙ୍କୀ ବଦଳରେ ବେଗୁନିଆ-ବୋଲଗଡ଼ରୁ ପ୍ରାର୍ଥୀ ହୋଇଥିଲେ। ବାଙ୍କୀରେ ପ୍ରାର୍ଥୀ ହୋଇଥିଲେ ଗୋବିନ୍ଦପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ।

ଦେବାଶିଷ ଯେଉଁ ଉଦ୍ଦେଶ୍ୟ ନେଇ ବୋଲଗଡ଼-ବେଗୁନିଆ ଯାଇଥିଲେ ତାହା ପୂରଣ ହୋଇପାରିଲା ନାହିଁ। ବିପୁଳ ଭୋଟରେ ଦେବାଶିଷ ପରାଜିତ ହେବା ସହ ବାଙ୍କୀରେ କଂଗ୍ରେସ ଟିକେଟରୁ ଲଢ଼ିଥିବା ରବି ମଲ୍ଲିକଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ବୋଲଗଡ଼-ବେଗୁନିଆବାସୀ ଦେବାଶିଷଙ୍କୁ ଗ୍ରହଣ ନକରିବାରୁ ସେ ବାଙ୍କୀ ମୁହାଁ ହୋଇଥିଲେ। ସଙ୍ଗଠନ ମଜଭୁତ କରିବା ପାଇଁ ଉଦ୍ୟମ କରିଥିଲେ।

ରବି ମଲ୍ଲିକ ନିଜ ସମର୍ଥକଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ଦେବାଶିଷ ମଧ୍ୟ ନିଜ ସମର୍ଥକଙ୍କୁ ନେଇ ବନ୍ଧୁମିଳନ ଆୟୋଜନ କରିଥିବା ନଜିର ରହିଛି। ବାଙ୍କୀ କଂଗ୍ରେସ ଭାଗ ଭାଗ ହୋଇଯାଇଥିବା ଚର୍ଚ୍ଚା ହେଲା। ହେଲେ ପଞ୍ଚାୟତ ଭୋଟରେ ଦେବାଶିଷଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା କଂଗ୍ରେସ। କଂଗ୍ରେସର ଭୋଟହାର ବୃଦ୍ଧି ପାଇଥିବା ଆଲୋଚନା ହୋଇଥିଲା।

ଦେବାଶିଷ ପଞ୍ଚାୟତ ଭୋଟ ପରିଚାଳନା କରିବାରୁ ରବି ମଲ୍ଲିକଙ୍କୁ ଆଉ ବାଙ୍କୀରେ ଦେଖିବାକୁ ମିଳି ନଥିଲା। କିନ୍ତୁ ଏବେ ରବି ପୁଣି ବାଙ୍କୀ ଆସୁଥିବାରୁ ନେତୃତ୍ୱକୁ ନେଇ ଚର୍ଚ୍ଚା ବଢ଼ିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ରବି ଗୋଟିଏପଟେ ସଭା କରୁଥିବା ବେଳେ ଦେବାଶିଷ ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି ସଭାରେ ଯୋଗ ଦେଉଛନ୍ତି। ଦୁଇ ନେତା ସମାନ୍ତରାଳ ଭାବେ ସଭା କରୁଥିବାରୁ କର୍ମୀମାନେ ଅଡ଼ୁଆରେ ପଡ଼ିଛନ୍ତି।

କିଛିଦିନ ତଳେ କଂଗ୍ରେସର ବହୁ କର୍ମୀ ନବୀନ ନିବାସରେ ବିଜେଡିରେ ସାମିଲ୍ ହୋଇଛନ୍ତି। ଦେବାଶିଷ ମଧ୍ୟ ବିଜେଡିରୁ କିଛି କର୍ମୀଙ୍କୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ କରିଥିବା ଦାବି କରୁଛନ୍ତି। ପିସିସି ସଭାପତିଙ୍କ ନିକଟତର ହୋଇ ଦେବାଶିଷ ଟିକେଟ ପାଇଁ ଲବି ଚଳାଇଥିବା ବେଳେ ରବି ମଲ୍ଲିକ ବି ଭିତିରିଆ ଗୋଟି ଚାଳନା କରୁଛନ୍ତି। ଏପରିସ୍ଥଳେ ବାଙ୍କୀରୁ କିଏ କଂଗ୍ରେସ ପ୍ରାର୍ଥୀ ହେବେ ତ’ ଉପରେ ସମସ୍ତଙ୍କ ନଜର ରହିଛି।

LEAVE A REPLY

Please enter your comment!
Please enter your name here