ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନ ପୂର୍ବରୁ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ଆଜି ମୌସୁମୀର ପ୍ରଥମ ବର୍ଷାରେ ଭିଜିଛି। ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଉପକୂଳ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
୧୦ ତାରିଖରେ ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥିବାରୁ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ମହାରାଷ୍ଟ୍ର ଏବଂ ଛତିଶଗଡ଼ ଦେଇ ମୌସୁମୀ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଛି।
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ୨୪ ଘଣ୍ଟା ଭିତରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
“ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ପହିଲି ବର୍ଷା ହୋଇଛି। ୨୪ ଘଣ୍ଟା ଭିତରେ ଅନ୍ୟ ଜିଲ୍ଲାରେ ମୌସୁମୀ ସକ୍ରିୟ ହେବ ବୋଲି ଆଶା କରାଯାଉଛି। ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଲଘୁଚାପ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଅଧିକ ସକ୍ରିୟା କରିବାରେ ସହାୟକ ହେବ”, କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ଅଧିକାରୀ ଏଚ୍ ଆର୍ ବିଶ୍ୱାସ।

















