ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡରେ ଏମିତି କିଛି ନାୟକ ଅଛନ୍ତି, ଯେଉଁମାନଙ୍କ ପ୍ରଥମ ସିନେମା ଆଜିଯାଏଁ ରିଲିଜ୍ ହୋଇନାହିଁ। କାହାର ସୁଟିଂ ଆରମ୍ଭ ହୋଇନାହିଁ ତ କାହାର ଅଧାରେ ଅଟକି ଯାଇଥିଲା।
ଆସନ୍ତୁ ଜାଣିବା କେଉଁ ଓଲିଉଡ ନାୟକଙ୍କ କ୍ଷେତ୍ରରେ ତାହା ଘଟିଛି…
ଅରିନ୍ଦମ୍
ଖୁବ୍ କମ୍ ଲୋକ ଜାଣନ୍ତି ଯେ ଅରିନ୍ଦମଙ୍କୁ ହିରୋ ଭାବେ ବ୍ରଜରାଜ ମୁଭିଜ୍ ଲଞ୍ଚ୍ କରିବା ପୂର୍ବରୁ ତାଙ୍କୁ ନେଇ ଅନ୍ୟ ଜଣେ ନିର୍ଦ୍ଦେଶକ ଏକ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ। ଏହି ନିର୍ଦ୍ଦେଶକ ଜଣକ ହେଲେ ଘଣ୍ଟେଶ୍ବର ଗୁରୁ। ସେ ଅରିନ୍ଦମଙ୍କୁ ନେଇ କହିବାକୁ ଅଛି ଆଇ ଆମ୍ ସରି ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଥିଲେ।
ଏହି ସିନେମାର ସ୍କ୍ରିପ୍ଟ କାମ ସରିଥିଲା, ମାତ୍ର ତାହାର ସୁଟିଂ ଆରମ୍ଭ ହୋଇନଥିଲା। ଏହି କାରଣରୁ ତାହା ଆଜି ଯାଏଁ ପରଦାକୁ ଆସିପାରିନାହିଁ।
ବାବୁସାନ୍
ଓଲିଉଡ ସୁପରଷ୍ଟାର ବାବୁସାନଙ୍କୁ ଲଞ୍ଚ୍ କରିଥିଲେ ବ୍ରଜରାଜ ମୁଭିଜ୍। ବାବୁସାନଙ୍କ ଡେବ୍ୟୁ ଫିଲ୍ମ ହେଲା ‘ରୋମିଓ ଦ ଲଭରବୟ’। କିନ୍ତୁ ଏହାପୂର୍ବରୁ ଓଲିଉଡର ଓଣ୍ଡରବୟ ନିର୍ଦ୍ଦେଶକ ସଞ୍ଜୟ ନାୟକ ବାବୁସାନଙ୍କୁ ନେଇ ଅନ୍ୟ ଏକ ସିନେମାର ପ୍ଲାନିଂ କରିଥିଲେ।
ସଞ୍ଜୟ ନାୟକ ବାବୁସାନଙ୍କୁ ନେଇ ‘ତତେ ତରକୁ ମତେ ଅଠର’ ଟାଇଟଲରେ ଏକ ଫିଲ୍ମ କରିବେ ବୋଲି ଘୋଷଣା କରିଥିଲେ। ଏହାର ସ୍କ୍ରିପ୍ଟ ସରିଥିଲା, ମାତ୍ର ଏହା ଫ୍ଲୋର୍କୁ ଯାଇ ପାରିନଥିଲା। ଏଯାଏଁ ଏହି ସିନେମା ପରଦାକୁ ଆସିନାହିଁ।
ଅଙ୍କିତ୍ କୁମାର
ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ଏକ ନୂଆ ଓଡ଼ିଆ ସିନେମା ‘ପାଗଳ ମୁଁ ତୋ’ ପାଇଁ’। ଏନ୍ ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଦର୍ଶକ ଭେଟିବେ ଜଣେ ନୂଆ ନାୟକଙ୍କୁ। ତାଙ୍କର ନାଆଁ ହେଲା ଅଙ୍କିତ କୁମାର।
ଅଙ୍କିତ ଅବଶ୍ୟ ଜଣେ ଜଣାଶୁଣା ଟେଲି ତାରକା। ହେଲେ ଆପଣ କ’ଣ ଜାଣନ୍ତି କି ଅଙ୍କିତ କୁମାର ‘ପାଗଳ ମୁଁ ତୋ’ ପାଇଁ’ ପୂର୍ବରୁ ଅନ୍ୟ ଏକ ସିନେମାରେ ଡେବ୍ୟୁ କରିଥିଲେ। ଏହାର ଟାଇଟଲ ହେଲା ‘ଲଭର୍ସ ପଏଣ୍ଟ’। ଅମୀୟ ସ୍ବାଇଁଙ୍କ ନିର୍ଦ୍ଦେଶନାରେ ଆରମ୍ଭ ହୋଇଥିଲା ଏହି ଫିଲ୍ମର ସୁଟିଂ। ପ୍ରାୟ ସତୁରି ଭାଗ ସୁଟିଂ ମଧ୍ୟ ସରିଥିଲା, ମାତ୍ର ପରେ ପ୍ରଯୋଜକଙ୍କ ଅର୍ଥାଭାବ ହେତୁ ତାହା ଅଧାରେ ଅଟକି ରହିଲା। ଏହି କାରଣରୁ ଅଙ୍କିତ କୁମାରଙ୍କ ଡେବ୍ୟୁ ଫିଲ୍ମ ‘ଲଭର୍ସ ପଏଣ୍ଟ’ ଆଜି ଯାଏଁ ରିଲିଜ୍ ହୋଇପାରିନାହିଁ।
କରଣ
ଚଳିତବର୍ଷ ମୁକ୍ତିଲାଭ କରିଥିବା ଏକ ଚର୍ଚ୍ଚିତ ଓଡ଼ିଆ ସିନେମା ହେଲା ‘ଶକ୍ତି’। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଫିଲ୍ମରେ ଦର୍ଶକ ଜଣେ ଜଣେ ନୂଆ ହିରୋଙ୍କୁ ଦେଖିବାକୁ ପାଇଛନ୍ତି।
ଏହି ନାୟକ ଜଣକ ହେଲେ କରଣ୍। କିନ୍ତୁ ପ୍ରକୃତରେ ‘ଶକ୍ତି’ କରଣଙ୍କର ଡେବ୍ୟୁ ଫିଲ୍ମ ନୁହେଁ। ଏହା ଆଗରୁ ସେ ଅନ୍ୟ ଏକ ଫିଲ୍ମରେ ନାୟକ ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେହି ଫିଲ୍ମର ଟାଇଟଲ୍ ଥିଲା ‘ମନ କହେ ଲଭ୍ ୟୁ ଲଭ୍ ୟୁ’।
ରଣଜିତ୍ ମହାନ୍ତିଙ୍କ ନିର୍ଦ୍ଦେଶନାରେ ମନ କହେ ଲଭୟୁ ଲଭୟୁ’ର ସୁଟିଂ ବି ଆରମ୍ଭ ହୋଇଥିଲା। ଗୋଟିଏ ସିଡ୍ୟୁଲର ସୁଟିଂ ବି ସରିଥିଲା। ହେଲେ ତା’ପରେ ଆଉ ଏହି ସିନେମାର କାମ ଆଗକୁ ଯାଇ ନଥିଲା। ସେଇଠି ଅଟକି ଯାଇଥିଲା ଫିଲ୍ମଟି। ଆଜି ଯାଏଁ ଏହି ସିନେମା ରିଲିଜ୍ ହୋଇପାରିନାହିଁ। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ୍ ମଜୁମଦାର।


















