ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କଂଗ୍ରେସ ପକ୍ଷରୁ ଏକ ନୂଆ ଫର୍ମୁଲା ବାହାର କରାଯାଇଛି। ଫର୍ମୁଲାଟି ହେଉଛି ଜଣେ ବ୍ୟକ୍ତି ଯେ କୌଣସି ଗୋଟିଏ ପଦବୀରେ ରହିପାରିବେ।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ନବକଳେବର। କଂଗ୍ରେସ ଏକ ନୂଆ କୌଶଳ ଆପଣାଇଛି। ତାହା ହେଉଛି ଜଣେ ବ୍ୟକ୍ତି ଯେକୌଣସି ଗୋଟିଏ ପଦବୀ। ଏହା ପଛରେ ଉଦ୍ଦେଶ୍ୟ ହେଉଛି ଦଳକୁ ଓ ସଙ୍ଗଠନକୁ ସୁଦୃଢ଼ କରିବା।

କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କୁଆଡେ ଏହି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଗ୍ରହଣ କରି ପ୍ରଥମେ କାମରେ ଦେଖାଇଛନ୍ତି ସାଲେପୁର ବିଧାୟକ ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ବେହେରା।

ଖବର ଅନୁସାରେ ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ଭାବେ ଠିଆ ହେବେ ସେମାନଙ୍କୁ ଦଳୀୟ ପଦବୀ ଛାଡ଼ିବା ପାଇଁ କୁହାଯାଇଛି। ଯାହା ନିଷ୍ପତ୍ତି ନିଆଯାଇଛି, ଯେଉଁମାନଙ୍କର ନିର୍ବାଚନ ଜିତିବା ସମ୍ଭାବନା ନାହିଁ ସେମାନଙ୍କୁ ହିଁ ଦଳୀୟ ପଦବୀ ମିଳିବ।

ଏହି ଦଳୀୟ ପଦବୀ ଭିତରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ହେଉଛି ଜିଲ୍ଲା କଂଗ୍ରେସ ସଭାପତି ପଦ। ଦଳର ସଭାପତି ନିରଞ୍ଜନ ପଟନାୟକଙ୍କ କହିବା ଅନୁଯାୟୀ ଯେଉଁ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ କଂଗ୍ରେସର ବିଧାୟକ ଅଛନ୍ତି ସେହି ନିର୍ବାଚନ କ୍ଷେତ୍ରକୁ ସୁଦୃଢ଼ କରାଯିବ ଯାହା ଫଳରେ ସେ ସେହି ଆସନରୁ ପୁଣି ଥରେ ଜିତିପାରିବେ।

ଜଣେ ବ୍ୟକ୍ତି ଗୋଟିଏ ପଦବୀ ସୂତ୍ରକୁ ଦଳର କିଛି ବରିଷ୍ଠ ନେତା ସ୍ୱାଗତ କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ଏହି ଫର୍ମୁଲା ଲାଗୁ ହେଲେ ସମସ୍ତେ ସମସ୍ତଙ୍କ କାମ ଠିକଣା ଢଙ୍ଗରେ କରିପାରିବେ ଓ କାହା ଉପରେ ଅଯଥା କାମ ବୋଝ ରହିବ ନାହିଁ।

ଏହି ସୂତ୍ରକୁ ସମର୍ଥନ କରୁଥିବା ଆଉ ଜଣେ ନେତା ହେଉଛନ୍ତି ବିଧାନସଭାରେ କଂଗ୍ରେସ ଦଳର ମୁଖ୍ୟ ଛାଟିଆ ଓ କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି। ବାହିନୀପତିଙ୍କ କହିବା କଥା ଯେ ତିନି ତିନି ଥର ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ ମଧ୍ୟ ଦୁଇଟି ପଦବୀରେ କେବେ ବି ରହିନାହାନ୍ତି। ବରିଷ୍ଠ ନେତାମାନେ ଯେହେତୁ ଶୃଙ୍ଖଳିତ ଭାବରେ ଏହି ନୂଆ ସୂତ୍ରକୁ ମାନିବା ଆରମ୍ଭ କରିଛନ୍ତି, ଆଶା କରାଯାଉଛି ଏହା ନିଶ୍ଚିତରେ କାମ କରିବ।

LEAVE A REPLY

Please enter your comment!
Please enter your name here