ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱାନ ମେନ ୱାନ ପୋଷ୍ଟ ନୀତିକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ମଧ୍ୟ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ନେଇ ଅସନ୍ତୋଷ ଜାହିର କରିଛନ୍ତି।

ରାଜ୍ୟ କଂଗ୍ରେସରେ ତେଜିଲା ଅସନ୍ତୋଷ। ଜିଲ୍ଲା ସଭାପତି ଚୟନ ପରେ ବିଷ ଓଗାଳିଛନ୍ତି ନେତା। ବରିଷ୍ଠ ନେତା ସୁର ରାଉତରାୟ, ମନୋରଞ୍ଜନ ଦାସ ଏବଂ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ତିନି କଂଗ୍ରେସ ନେତା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି।

ସୁର ରାଉତରାୟ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରହିଛନ୍ତି। ସେ ତାଙ୍କ ପଦବୀ ବଜାୟ ରଖିଥିବାରୁ ପିସିସି ସଭାପତିଙ୍କ ଉପରେ ଖୁସି ହେବା କଥା। ହେଲେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିସିସି ସଭାପତିଙ୍କ ୱାନ ମେନ ୱାନ ପୋଷ୍ଟ ନୀତିକୁ ସମାଲୋଚନା କରିଛନ୍ତି।

ସୁର ରାଉତରାୟ କହିଛନ୍ତି, “ୱାନ ମେନ ୱାନ ପୋଷ୍ଟ ନୀତିକୁ ମୁଁ ମାନିବିନି। ମୋତେ ଯଦି ୨୦୧୯ରେ ଟିକେଟ ଦିଆ ନଯାଏ ତାହାଲେ ପରିସ୍ଥିତି ଭଲ ହେବନି। କାରଣ ମୋର ଟିକେଟ ଦରକାର। ୨୦୧୯ ହେଉଁଛି ମୋ ପାଇଁ ଶେଷ ନିର୍ବାଚନ। ମୋତେ ସବୁ ଦଳ ଡାକୁଛନ୍ତି। ହେଲେ ମୁଁ କଂଗ୍ରେସ ଛାଡ଼ିକି ଯାଇନି। ଟିକେଟ ନମିଳିଲେ ବି ମୁଁ ଦଳ ଛାଡ଼ିବିନି। କିନ୍ତୁ ଅବଶୋଷ ରହିଯିବ।”

ସୁର ରାଉତରାୟ ଆହୁରି କହିଛନ୍ତି ଯେ ଯଦି ୱାନ ମେନ ୱାନ ପୋଷ୍ଟ ନୀତି ଲାଗୁ କରାଯିବ ତାହାଲେ ନିରଞ୍ଜନ ପଟ୍ଟନାୟକ, ତିନି କାର୍ଯ୍ୟକାରୀ ସଭାପତି ମଧ୍ୟ ନିର୍ବାଚନ ଲଢ଼ି ପାରିବେ ନାହିଁ।

ୱାନ ମେନ ୱାନ ପୋଷ୍ଟ ନୀତି ଯୋଗୁଁ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ବେହେରା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏପଟେ ସୁର ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ହୋଇଥିବାରୁ ତାଙ୍କୁ ମଧ୍ୟ ୨୦୧୯ରେ ଟିକେଟ ମିଳି ନପାରେ ବୋଲି ସେ ଆଶଙ୍କା କରିଛନ୍ତି।

ସୁରଙ୍କ ପରେ କୋରାପୁଟ ଜିଲ୍ଲା କଂଗ୍ରେସୁ ସଭାପତି କୃଷ୍ଣ ଚନ୍ଦ୍ର ଶଗରିଆ ମଧ୍ୟ ଜିଲ୍ଲା ସଭାପତି ଚୟନରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତିଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଶଗରିଆ।

ଶଗରିଆ କହିଛନ୍ତି, “ମିନାକ୍ଷୀ ବାହିନୀପତି ପୂର୍ବରୁ ମଧ୍ୟ ଜିଲ୍ଲା କଂଗ୍ରେସ ସଭାପତି ରହିଥିଲେ। ହେଲେ ସେ କୁଆଡ଼େ ଯାଆନ୍ତି ନାହିଁ। ନିର୍ବାଚନ ସମୟରେ ବି ତାଙ୍କର ଦେଖା ମିଳେନି। ଯେଉଁ ବିଧାୟକମାନେ ଜିତିଛନ୍ତି ସେମାନେ କଂଗ୍ରେସ କର୍ମୀଙ୍କ ସହଯୋଗରେ ଜିତିଛନ୍ତି।”

LEAVE A REPLY

Please enter your comment!
Please enter your name here