ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲା ସଭାପତିଙ୍କୁ ପ୍ରଥମ ଦିନ ଟିକେଟ ଫର୍ମୁଲା ବିଷୟରେ ପାଠ ପଢ଼ାଇଥିବା ପିସିସି ସଭାପତି ଆଜି ଶୃଙ୍ଖଳା ମନ୍ତ୍ର ଦେଇଛନ୍ତି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଶୃଙ୍ଖଳା ପାଠ ପଢ଼ାଇଛନ୍ତି। ଦଳରେ ବିଶୃଙ୍ଖଳା ଆଚରଣ କଲେ ବରଦାସ୍ତ କରାଯିବ ନାହିଁ ବୋଲି ନିରଞ୍ଜନ ରୋକଠୋକ୍ ଶୁଣାଇଛନ୍ତି।
ପ୍ରଥମ ଦିନ ଟିକେଟ ଫର୍ମୁଲା ଉପରେ ୧୦ଟି ଜିଲ୍ଲାର ଜିଲ୍ଲା ସଭାପତିଙ୍କୁ ପାଠ ପଢ଼ାଇଥିବା ନିରଞ୍ଜନ ଆଜି ଦ୍ବିତୀୟ ଦିନ ବୈଠକରେ ୨୩ଟି ଜିଲ୍ଲାର ସଭାପତିଙ୍କୁ ଶୃଙ୍ଖଳା ମନ୍ତ୍ର ଦେଇଛନ୍ତି।
“ପଦ ପଦବୀ ପଛରେ ନଗୋଡ଼ାଇ ଦଳ ପାଇଁ କାମ କର। କଠିନ ପରିଶ୍ରମ କଲେ ହିଁ ଦଳ ଉଠିବ। ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କର। ଲୋକଙ୍କ ସୁଖଦୁଃଖରେ ଛିଡ଼ା ହୁଅ”, ନବ ନିର୍ବାଚିତ ଜିଲ୍ଲା ସଭାପତିଙ୍କୁ ଆଜି ଏହି ମନ୍ତ୍ର ଦେଇଛନ୍ତି ନିରଞ୍ଜନ।
ପ୍ରଥମ ଦିନ ନିରଞ୍ଜନ ଭୁବନେଶ୍ୱରରେ ବସିଲେ ଟିକେଟ ମିଳିବ ନାହିଁ ବୋଲି କହିଥିଲେ। ଗାଁରେ ରହୁଥିବା ନେତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି କହିଥିଲେ। ଏହାସହ ପ୍ରତି ୧୫ ଦିନରେ ଥରେ ଜିଲ୍ଲା ସଭାପତିମାନେ ସେମାନଙ୍କ ଜିଲ୍ଲାର ପ୍ରୋଗ୍ରେସ ରିପୋର୍ଟ ଦେବାକୁ ପରାମର୍ଶ ଦେଇଛନ୍ତି। କେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ଏବଂ କେଉଁମାନେ କରୁ ନାହାନ୍ତି ତାହା ଜାଣିବା ପାଇଁ ନିରଞ୍ଜନ ଏହି ଫର୍ମୁଲା ଆପଣାଇଛନ୍ତି। ଏହାକୁ ଆଧାର କରି ଆମେ ୨୦୧୯ ପାଇଁ ପ୍ରାର୍ଥୀ ଚୟନ କରିବ କଂଗ୍ରେସ।
ଖାଲି ସେତିକି ନୁହେଁ, ବୁଥ୍ ସ୍ତରୀୟ କମିଟି ଏବଂ ପ୍ରତି ଜିଲ୍ଲା ପରିଷଦ ଜୋନରେ ସଭାପତି ନିଯୁକ୍ତି କରିବାକୁ କଂଗ୍ରେସ ଜୋର୍ ଦେଇଛି। ଜୁଲାଇ ୧୦ ସୁଦ୍ଧା ବୁଥ୍ ସ୍ତରୀୟ କମିଟି ଗଠନ ଶେଷ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି।