ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସରେ କନ୍ଦଳ ଥମୁନି। କୋରାପୁଟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦୁଇ ବିଧାୟକ ଏବଂ ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତକୁ ନେଇ କଂଗ୍ରେସରେ ଫାଟ ରହିଥିବା ଚର୍ଚ୍ଚା ହେଉଛି।

ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ମଧ୍ୟ ଏହାକୁ ମାନୁ ନାହାନ୍ତି ନେତା। ଏହାର ନମୁନା ଆଜି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ।

କୋରାପୁଟ ଜିଲ୍ଲାରେ ଆୟୋଜିତ ସମ୍ବର୍ଦ୍ଧନା ସଭା ଏବଂ ରାଲିରେ ଜିଲ୍ଲା ସଭାପତି ଓ କେତେକ ବିଧାୟକ ଅନୁପସ୍ଥିତ ରହିବାରୁ ଦଳରେ ଫାଟ ରହିଥିବା ଚର୍ଚ୍ଚା ହେଉଛି।

କୋରାପୁଟ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରୂପକ ତୁରୁକଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ଏଥିରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ମଧ୍ୟ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ ତରଫରୁ ଏକ ରାଲି ଆୟୋଜନ କରାଯାଇଥଲା। ହେଲେ ଏହି ରାଲିରେ ଜିଲ୍ଲାର ବହୁ ତୁଙ୍ଗ ନେତା ଏବଂ ବିଧାୟକ ଉପସ୍ଥିତ ନଥିଲେ।

ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଏହି ରାଲି ଏବଂ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ନଥିଲେ। ଖାଲି ସେତିକି ନୁହେଁ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି ମଧ୍ୟ ଅନୁପସ୍ଥିତ ଥିଲେ।

ରାଲିରେ କେବଳ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଏବଂ ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା ଯୋଗଦେଇଥିଲେ।

ଜିଲ୍ଲାର ଦୁଇ ଜଣ ବିଧାୟକ ଏବଂ ଜିଲ୍ଲା ସଭାପତି ଅନୁପସ୍ଥିତ ଥିବାରୁ କୋରାପୁଟ କଂଗ୍ରେସରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି।

ନିକଟରେ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ କୃଷ୍ଣଚନ୍ଦ୍ର ଶଗରିଆଙ୍କ ମଧ୍ୟରେ ତୁତୁ ମେମେ ଲାଗିଥିଲା। ମୀନାକ୍ଷୀ ବାହିନୀପତିଙ୍କୁ ଜିଲ୍ଲା ସଭାପତି କରାଯିବା ପରେ ଶଗରିଆ ଖୋଲାଖୋଲି ବିରୋଧ କରିଥିଲେ। ଜିଲ୍ଲା ସଭାପତି କୁଆଡ଼େ ଯାଆନ୍ତି ନାହିଁ ବୋଲି ସେ କହିଥିଲେ।

ସେହିପରି କଂଗ୍ରେସଭବନରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସଭାପତିଙ୍କ ବୈଠକରେ ମଧ୍ୟ ମୀନାକ୍ଷୀ ବାହିନୀପତି ଅନୁପସ୍ଥିତ ଥିଲେ। ଜିଲ୍ଲା ସଭାପତି କାହିଁକି ଅନୁପସ୍ଥିତ ଥିଲେ ବୋଲି ବିଧାୟକ କୈଳାସ କୁଲେସିକା ପ୍ରଶ୍ନ କରିଥିଲେ। ଫଳରେ ତାରା ବାହିନୀପତି ଏବଂ କୈଳାସ କୁଲେସିକାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା।

LEAVE A REPLY

Please enter your comment!
Please enter your name here