ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତ ହେଉଛି କଳିଙ୍ଗ ଷ୍ଟାଡିୟମ। ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ସମସ୍ତ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ନଭେମ୍ବର ୨୮ରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ପୁରୁଷ ବିଶ୍ୱକପ୍ ହକି। ଏଥିପାଇଁ ଆଜି ସଚିବାଳୟରେ ବସିଥିଲା ପଞ୍ଚମ ଏକ୍ଜିକ୍ୟୁଟିଭ୍ ବୈଠକ। ଏହି ବୈଠକରେ ଗୃହ ବିଭାଗ, ପୂର୍ତ୍ତ ବିଭାଗ, ପୋଲିସ ଡିଜି, ହକି ଇଣ୍ଡିଆର କର୍ମକର୍ତ୍ତା ଓ ଏଫ୍ଆଇଏଚ୍ର ସଦସ୍ୟମାନେ ଯୋଗ ଦେଇଥିଲେ।
“ସେପ୍ଟେମ୍ବର ମାସ ସୁଦ୍ଧା କଳିଙ୍ଗ ଷ୍ଟାଡିୟମର ୯୦ ପ୍ରତିଶତ ପୁନରୁଦ୍ଧାର କାମ ଶେଷ କରାଯିବ। ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ହକି ବିଶ୍ୱକପ୍ ପାଇଁ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯିବ”, କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।
ଜୁଲାଇ ୨୪ରୁ ଲଣ୍ଡନରେ ହେବାକୁ ଥିବା ମହିଳା ବିଶ୍ୱକପ୍ ହକିରେ ଓଡ଼ିଶା ବିଶ୍ବକପ୍ ହକିର ଗୋଟିଏ ବ୍ରାଣ୍ଡିଂ ବସ୍ ବୁଲିବ। ସାରା ଭାରତରେ ଓଡ଼ିଶା ବିଶ୍ୱକପ୍ ହକିର ପ୍ରମୋସନାଲ ପାଇଁ ଟର୍ଚ୍ଚ ରାଲି ଆୟୋଜନ କରାଯିବ।
ଏଫ୍ଆଇଏଚ୍ର ପ୍ରତିନିଧି ଦଳ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି। ହକି ବିଶ୍ୱକପ୍ ପାଇଁ ଯେଉଁ ପ୍ରସ୍ତୁତି ଚାଲିଛି ତାହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି
“ପୁରୁଷ ବିଶ୍ୱକପ୍ ହକିକୁ ନେଇ ଯେଉଁ ପ୍ରସ୍ତୁତି ଚାଲିଛି ସେଥିରେ ଆମେ ସମସ୍ତେ ଖୁସି। କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ପଡ଼ିଆରେ ନୂଆ ଟର୍ଫ ପକାଯାଉଛି। ଫ୍ଲଡ ଲାଇଟକୁ ମରାମତି କରାଯାଉଛି। ନୂଆ ଗେଟ୍ ସହ ସିସିଟି ଳଗାଇବାର ବ୍ୟବସ୍ଥା କରାଯାଉଛି”, କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ବିଶାଲ ଦେବ।
ବିଶ୍ୱକପ୍ରେ ୧୬ଟି ଟିମ୍ ଭାଗ ନେବେ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ୩୬ଟି ମ୍ୟାଚ ଖେଳାଯିବ।

















