ଓଡ଼ିଶାଲାଇଭ୍ ବ୍ୟୁରୋ

- ଦୁଇ ମାସ ପରେ ଖୋଲିଲା ସ୍କୁଲ୍
- ମନ ଖୁସିରେ ସ୍କୁଲକୁ ଆସିଲେ ପିଲା
- ଏପ୍ରିଲ ୨୫ରୁ ଛୁଟି ଥିଲା ସ୍କୁଲ୍
ଦୁଇ ମାସର ଗ୍ରୀଷ୍ମ ଅବକାଶ ପରେ ମଙ୍ଗଳବାର ଖୋଲିଛି ରାଜ୍ୟର ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲ୍। ଆଜି ସକାଳୁ ମେଘୁଆ ପାଗ ଓ ଝିପ ଝିପ ବର୍ଷା ଥିବା ସତ୍ତ୍ୱେ ପିଲାଏ ସ୍କୁଲ ମୁହାଁ ହୋଇଛନ୍ତି। ଟାଣ ଖରା ଏବଂ ଗୁଳୁଗୁଳି ଯୋଗୁ ସରକାର ଖରା ଛୁଟି ବଢ଼ାଇଥିଲେ। ଦୁଇ ମାସ ଛୁଟି କାଟିବା ପରେ ଆଜିଠାରୁ ସ୍କୁଲ ଖୋଲିଛି ଓ ପାଠପଢ଼ା ଆରମ୍ଭ ହୋଇଛି।
ଝିପି ଝିପି ବର୍ଷା ହେଉଥିବାରୁ କିଏ ରେନକୋଟ ପିନ୍ଧିଥିଲା ତ ଆଉ କିଏ ଛତା ଧରି ସ୍କୁଲ ଆସିଥିଲା। ଛୋଟ ଛୋଟ ପିଲାମାନେ ସ୍କୁଲ ଭ୍ୟାନ ଓ ବସରେ ଖରାଛୁଟି ପରେ ଆଗ୍ରହର ସହ ସ୍କୁଲ ଆସୁଥିବା ଦେଖିବାକୁ ମିଳିଥିଲା। ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ସରକାରୀ ଏବଂ ଘରୋଇ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଏପ୍ରିଲ ୨୫ ତାରିଖରେ ରାଜ୍ୟ ସରକାର ସ୍କୁଲଗୁଡ଼ିକରେ ଖରାଛୁଟି ଘୋଷଣା କରିଥିଲେ। କିନ୍ତୁ ଖରା ଓ ଗରମର ପ୍ରକୋପ ବଢ଼ିବାରୁ ଦୁଇ ଥର ଗ୍ରୀଷ୍ମ ଅବକାଶକୁ ବୃଦ୍ଧି କରାଯାଇଥିଲା।
ପ୍ରଥମେ ସରକାର ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରିଥିଲେ। ପରେ ଏହାକୁ ଜୁନ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେଲେ ରାଜ୍ୟରେ ତାପମାତ୍ରା ଅଧିକ ରହୁଥିବାରୁ ଖରା ଛୁଟିକୁ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ ସରକାର।
ଇତିମଧ୍ୟରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଗାଇଡଲାଇନ ଅନୁଯାୟୀ ପାଠପଢ଼ା ଆରମ୍ଭ କରିବା ସହ ସମସ୍ତ ନିରାପତ୍ତା ନିର୍ଦ୍ଦେଶନାମାକୁ ପାଳନ କରିବା ଲାଗି ସୋମବାର ଦିନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


















