ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରବିବାର ଦିନ ବିଜେପି କର୍ମକର୍ତ୍ତାଙ୍କୁ କି ମନ୍ତ୍ର ଫୁଙ୍କିବେ ତା’ ଉପରେ ନଜର।
୨୦୧୭ ସେପ୍ଟେମ୍ବର ୫ ତାରିଖ। ଭୁବନେଶ୍ୱରରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ବୁଦ୍ଧିଜୀବୀ ସମ୍ମିଳନୀରେ ଉଦବୋଧନ ଦେବା ସହ ୬ ତାରିଖରେ ଜନତା ମଇଦାନରେ ଉଦବୋଧନ ଦେଇଥିଲେ। ବିଜେଡି ସରକାରଙ୍କୁ ଓପାଡି ଫିଙ୍ଗି ଦେବାକୁ ଆହ୍ୱାନ ଦେଇଥିଲେ ଶାହ। ଏହାସହ ମିଶନ-୧୨୦ ହାସଲ ପାଇଁ କର୍ମୀଙ୍କୁ ଦେଇଥିଲେ ଗୁରୁମନ୍ତ୍ର।
ଶାହଙ୍କ ମନ୍ତବ୍ୟକୁ ନେଇ ସେତେବେଳେ ରାଜ୍ୟ ରାଜନୀତି ହୋଇଥିଲା ସରଗରମ୍। ଦଳୀୟ କର୍ମୀମାନଙ୍କୁ ଜୋସ୍ ଦେଇଥିଲେ ରାଷ୍ଟ୍ରୀୟ ସଭାପତି।
୯ ମାସ ପରେ ପୁଣି ଶାହ ଆସୁଛନ୍ତି ଭୁବନେଶ୍ୱର। ହେଲେ ଶାହ ସାଧାରଣ ସଭାରେ ଦେବେନି ଉଦବୋଧନ। ତିନୋଟି ଲୋକସଭା ଅଧୀନର ପଞ୍ଚାୟତ ପ୍ରତିନିଧି ଏବଂ ସାଙ୍ଗଠନିକ କର୍ମକର୍ତ୍ତାଙ୍କୁ ଭେଟି ଦିଲ୍ଲୀ ଫେରିଯିବେ ଶାହ। ହେଲେ ଶାହ ତୃଣମୂଳ ସ୍ତରର କର୍ମୀଙ୍କୁ କି ମନ୍ତ୍ର ଫୁଙ୍କିବେ ତାକୁ ନେଇ ବଢ଼ିଛି ଚର୍ଚ୍ଚା।
୨୦୧୭ ସେପ୍ଟେମ୍ବର ମାସରେ ଶାହଙ୍କ ଗସ୍ତକୁ ନେଇ ବିଜେପି କର୍ମୀମାନେ ଯେତିକି ଉତ୍ସାହିତ ଥିଲେ ତାହା ଏବେ ଦେଖିବାକୁ ମିଳିନି। ଶାହ ଯେଉଁ ସମୟରେ ଭୁବନେଶ୍ୱର ଆସିଥିଲେ ସେତେବେଳେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିଲା। ଆଉ ଏହି ନିର୍ବାଚନରେ ବିଜେପି ପୂର୍ବ ତୁଳନାରେ ଭଲ ପ୍ରଦର୍ଶନ କରିଥିଲା। କଂଗ୍ରେସକୁ ପଛକୁ ଠେଲି ବିଜେପି ଦ୍ୱିତୀୟ ସ୍ଥାନକୁ ଆସିଥିଲା। ଏହି ଫଳାଫଳରେ ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କ ସମେତ କେନ୍ଦ୍ର ନେତୃବୃନ୍ଦ ଉତ୍ସାହିତ ହୋଇଥିଲେ। ଓଡ଼ିଶାବାସୀ ବିଜେପିକୁ ଗ୍ରହଣ କରୁଥିବା ଚର୍ଚ୍ଚା ହେଲା।
ପଞ୍ଚାୟତ ଫଳାଫଳକୁ ଦୃଷ୍ଟିରେ ରଖି ଶାହ ୨୦୧୯ ନିର୍ବାଚନ ପାଇଁ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। କର୍ମୀଙ୍କ ମନରେ ଜୋସ୍ ଭରିଥିଲେ। ସେଥିପାଇଁ କହିଥିଲେ, ‘ନବୀନ ସରକାର ପୋଡ଼ା ଟ୍ରାନ୍ସଫର୍ମର, ତାକୁ ଓପାଡ଼ିକି ଫିଙ୍ଗି ଦିଅ’।
ହେଲେ ଏବେ ଓଡ଼ିଶା ରାଜନୀତି ପାଣିପାଗ ବଦଳି ଯାଇଛି। ୯ ମାସ ଭିତରେ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିଯାଇଛି। ଶାହଙ୍କ ସେପ୍ଟେମ୍ବର ଗସ୍ତର ଠିକ୍ ଚାରି ମାସ ପରେ ବିଜେପୁର ଉପ-ନିର୍ବାଚନ ହୋଇଥିଲା। ଆଶା କରାଯାଉଥିଲା ବିଜେପି ପ୍ରଭାବ ବିଜେପୁରବାସୀଙ୍କ ଉପରେ ପଡ଼ିବ। ଏଥିପାଇଁ ବିଜେପି ପୂରା ଦମ୍ ଲଗାଇ ଦେଇଥିଲା। କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ପ୍ରଚାରରେ ଲଗାଇଥିଲା। କିନ୍ତୁ ଫଳ ଓଲଟିଗଲା। ପଦ୍ମ ଫୁଟିବା ବଦଳରେ ବିଜେପୁରରେ ଶଙ୍ଖ ବାଜିଲା। ଏହି ଫଳାଫଳ ଉତ୍ସାହିତ ବିଜେପି ଶିବିରରେ ନିରୁତ୍ସାହ ଭରି ଦେଇଥିଲା।
ନିକଟରେ ମହାନଦୀକୁ ଅସ୍ତ୍ର କରି ବିଜେଡି ବିଜେପିକୁ ଟାର୍ଗେଟ କରିଛି। ମହାନଦୀ ଅବାବହିକାର ୧୫ଟି ଜିଲ୍ଲାରେ ଆନ୍ଦୋଳନ କରି ବିଜେଡି ଜନ ସମର୍ଥନ ହାସଲ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହାନଦୀ ଶୁଖିବା ପାଇଁ ଉଭୟ ଛତିଶଗଡ଼ ଏବଂ କେନ୍ଦ୍ରର ବିଜପେି ସରକାରଙ୍କୁ ଦାୟୀ କରିଛନ୍ତି। ୨୦୧୯ ପାଇଁ ବିଜେପି ମହାନଦୀକୁ ଅସ୍ତ୍ର କରିଛି। ଫଳରେ ବିଜେପି ପଛରେ ପଡ଼ି ଯାଇଛି। ଏପରିସ୍ଥଳେ ଅମିତ ଶାହ ବିଜେପି କର୍ମକର୍ତ୍ତାଙ୍କୁ କିପ ମନ୍ତ୍ର ଦେବେ ତା’ ଉପରେ ସମସ୍ତଙ୍କ ନଜର।
କୁହାଯାଉଛି ଶାହ ତିନୋଟି ପର୍ଯ୍ୟାୟାରେ ଆଲୋଚନା କରିବେ। ସେ ପ୍ରଥମ ପର୍ଯ୍ୟାୟରେ ସାଙ୍ଗଠନିକ କର୍ମକର୍ତ୍ତା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବିସ୍ତାରକ ଏବଂ ତୃତୀୟ ପର୍ଯ୍ୟାୟରେ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟିବେ। ହେଲେ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ତାହା ସ୍ପଷ୍ଟ ହୋଇନି।








ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରବିବାର ଦିନ ବିଜେପି କର୍ମକର୍ତ୍ତାଙ୍କୁ କି ମନ୍ତ୍ର ଫୁଙ୍କିବେ ତା’ ଉପରେ ନଜର।








