ଓଡ଼ିଶାଲାଇଭ୍ ବ୍ୟୁରୋ
ପାଣିର ଜବାବ ପାଣିରେ ଦେଇଛି କଂଗ୍ରେସ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅଫିସ(ଏନଏଚଏଆଇ)ରେ ପାଣିମାଡ଼ କରିଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା। ରାଜଧାନୀ ଭୁବନେଶ୍ୱରରେ ଅସରାଏ ବର୍ଷାରେ ଇସ୍କନ ମନ୍ଦିର ରାସ୍ତା ଜଳମଗ୍ନ ହୋଇଯିବାରୁ କଂଗ୍ରେସ ଆଜି ଏହାର ଜବାବ ଦେଇଛି।
ଶନିବାର ଦିନ ଅସରାଏ ବର୍ଷାରେ ଉବୁଟୁବୁ ହୋଇଥିଲା ରାଜଧାନୀ। ଇସ୍କନ ମନ୍ଦିର, ସିଆର୍ପି ଏବଂ ଆଚାର୍ଯ୍ୟବିହାର ରାସ୍ତା ଜଳମଗ୍ନ ହୋଇଯାଇଥିଲା। ରାସ୍ତାରେ ଦୁଇ ଫୁଟ ପାଣି ଚାଲିଥିଲା। ଫଳରେ ଅଟୋ, କାର ଭାସିଥିଲା। ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କଂଗ୍ରେସ ଆଜି ଆନ୍ଦୋଳନକୁ ଜୋରଦାର କରିଥିଲା।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ବରିଷ୍ଠ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏନ୍ଏଚ୍ଏଆଇ ଅଫିସ ଭିତରେ ଧସେଇ ପଶିଥିଲେ। ପାଣି ଟ୍ୟାଙ୍କର ନେଇ ଅଫିସକୁ ପାଣିମାଡ଼ କରିଥିଲେ। ପାଣିମାଡ଼ରୁ ବର୍ତ୍ତିପାରି ନଥିଲେ ଏନଏଚଏଆଇ ଅଫିସର କର୍ମଚାରୀ।
“ବର୍ଷା ପାଣିରେ ରାଜଧାନୀବାସୀ ଭାସୁଛନ୍ତି। ହେଲେ ବିଏମ୍ସି ଏବଂ ଏନଏଚଏଆଇ କର୍ତ୍ତୃପକ୍ଷ ପାଣି ନିଷ୍କାସନର ବାଟ ବାହାର କରିପାରୁ ନାହାନ୍ତି। ଏହାର ପ୍ରତିବାଦରେ ଆମେ ଏନଏଚଏଆଇ ଅଫିସରେ ପାଣିମାଡ଼ କରିଛୁ। ପ୍ରତିକାର ବ୍ୟବସ୍ଥା କରା ନଗଲେ ଆଗାମୀ ଦିନରେ ବିଏମ୍ସି ଅଫିସ ଏବଂ ନବୀନ ନିବାସରେ ଅନୁରୂପ ଢଙ୍ଗରେ ପ୍ରତିବାଦ କରିବୁ”, କହିଛନ୍ତି ମାନସ ଚୌଧୁରୀ।
ରାଜଧାନୀ ଜଳଭଗ୍ନ ହେବା ପାଇଁ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା ଏନ୍ଏଚ୍ଏଆଇ ଉପରେ ଦୋଷ ଲଦିଥିଲେ।
କଂଗ୍ରେସର ଏନ୍ଏଚ୍ଏଆଇ ଅଫିସରେ ପାଣିମାଡ଼କୁ ସମାଲୋଚନା କରିଛି ବିଜେପି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ କଂଗ୍ରେସ ବିଜେଡିର ଆଶାବାଡ଼ି ହୋଇ କାମ କରୁଛି। କଂଗ୍ରେସ ବିଜେଡି ସରକାରର ବିଫଳତାକୁ ଲୁଚାଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛି।


















