ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବଇର ଅନ୍ଧେରୀ ରେଳ ଷ୍ଟେସନ ନିକଟରେ ମଙ୍ଗଳବାର ସକାଳୁ ଏକ ଅଘଟଣ। ଫୁଟ୍ ଓଭର ବ୍ରିଜର ସ୍ଳାବ ଖସି ପଡ଼ି ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ମୁମ୍ବଇର ଅନ୍ଧେରୀ ରେଳ ଷ୍ଟେସନ ନିକଟରେ ମଙ୍ଗଳବାର ସକାଳୁ ଏକ ଫୁଟ୍ ଓଭର ବ୍ରିଜର ସ୍ଳାବ ଖସି ପଡ଼ି ଦୁର୍ଘଟଣା ଘଟିଛି। ଫଳରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସ୍ଲାବ ଭୁଶୁଡ଼ି ପଡିବାରୁ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି। ବିଶେଷ କରି ଅନ୍ଧେରୀ ରେଳ ଷ୍ଟେସନର ବିଲ ପାର୍ଲିରୁ ଦକ୍ଷିଣକୁ ଯାଇଥିବା ଟ୍ରାକ ଉପରେ ବ୍ରିଜର ସ୍ଳାବ ଖସି ପଡ଼ିଥିବାରୁ ସେହି ଦିଗକୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।
ଦମକଳ ବାହିନୀର ୪ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥିପାଇଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି। ଏ ପର୍ଯ୍ୟନ୍ତ ମୃତଙ୍କ ସଂପର୍କରେ କିଛି ସୂଚନା ମିଳି ନାହିଁ। ତେବେ ୧୦ରୁ ୧୫ ଜଣ ଆହତ ହୋଇଥିବା ଅନୁମାନ କରାଯାଉଛି।
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରେ ଏନଡିଆଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ରେଳ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି, “ଟ୍ରାକ ମରାମତି କାର୍ଯ୍ୟ ଜାରି ରହିଛି ଖୁବ ଶ୍ରୀଘ୍ର ରେଳ ଚଳାଚଳ ସ୍ଵଭାବିକ ହେବ।”
ମୁମ୍ବାଇରେ କିଛି ଦିନ ଧରି ଚାଲିଥିବା ଲଗାଣ ତଥା ପ୍ରବଳ ବର୍ଷା ଯୋଗୁଁ ଏହି ଅଘଟଣ ଘଟିଛି। ଏହି ବ୍ରିଜ ଅନ୍ଧେରୀ ପୂର୍ବରୁ ଅନ୍ଧେରୀ ପଶ୍ଚିମକୁ ସଂଯୋଗ କରିଛି। ଖୁବଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ସରକାରୀ ଭାବେ କୁହାଯାଇଛି। ତେବେ ଏହି ଦୁର୍ଘଟଣା କାରଣରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।


















