ଓଡ଼ିଶାଲାଇଭ୍ ବ୍ୟୁରୋ

କେଜରିୱାଲଙ୍କ ବିଜୟ। ମୋଦିଙ୍କ ପତିଆରାକୁ ବଡ଼ ଧକ୍କା। ଦିଲ୍ଲୀ ଶାସନର ଡୋର କାହା ହାତରେ ରହିବ ଫଇସଲା କଲେ ସୁପ୍ରିମକୋର୍ଟ।
- ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଫଇସଲା
- ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେନି ଉପରାଜ୍ୟପାଳ
- ମନ୍ତ୍ରୀ ପରିଷଦ କାର୍ଯ୍ୟ ମାନିବାକୁ ଉପରାଜ୍ୟପାଳ ବାଧ୍ୟ
- ଦିଲ୍ଲୀର ଲୋକ ବାଛିଥିବା ସରକାର ହିଁ ମୁଖ୍ୟ
- ଦିଲ୍ଲୀକୁ ରାଜ୍ୟପାହ୍ୟା ଦେଇ ହେବନି: ସୁପ୍ରିମକୋର୍ଟ
- ନିର୍ବାଚିତ ସରକାରଙ୍କ ହାତରେ ସବୁ କ୍ଷମତା ରହିବ
କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ କେନ୍ଦ୍ର ନା ନିର୍ବାଚିତ ରାଜ୍ୟ ସରକାର କାହାର ଶାସନ ଚାଲିବ ତାକୁ ନେଇ ଲାଗିରହିଥିବା ରାଜନୈତିକ ଲଢ଼େଇର ଏକପ୍ରକାର ଅବସାନ ଘଟିଛି। ଏ ନେଇ ସର୍ବୋଚ୍ଚ ନ୍ୟାୟଳୟର ସାମ୍ବିଧାନିକ ଖଣ୍ଡପୀଠ ଐତିହାସିକ ରାୟ ଶୁଣାଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ନେତୃତ୍ୱରେ ୫ ଜଣ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ବୁଧବାର ଦିନ କହିଛନ୍ତି, “ଦିଲ୍ଲୀକୁ ଗୋଟିଏ ରାଜ୍ୟର ମାନ୍ୟତା ଦେଇ ହେବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୁସମ୍ପର୍କ ରହିବା ଉଚିତ। ସମ୍ବିଧାନକୁ ମାନିବା ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ। ଉପରାଜ୍ୟପାଳ ରାଜ୍ୟ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ କାମ କରିବା ଉଚିତ। ଦିଲ୍ଲୀର ଲୋକ ବାଛିଥିବା ସରକାର ହିଁ ଗୁରୁତ୍ଵପୂର୍ଣ୍ଣ। ମନ୍ତ୍ରୀ ପରିଷଦର କାର୍ଯ୍ୟକୁ ଉପରାଜ୍ୟପାଳ ମାନିବା ବାଧ୍ୟ।”
ପ୍ରଶାସନିକ ମୁଖ୍ୟ ହୋଇଥିବା କାରଣରୁ ଉପରାଜ୍ୟପାଳ ମନ୍ତ୍ରିମଣ୍ଡଳ ଗ୍ରହଣ କରୁଥିବା ସମସ୍ତ ନିଷ୍ପତ୍ତି ବିଷୟରେ ଅବଗତ ହେବା ଉଚିତ। ଏହାର ଅର୍ଥ ନୁହେଁ ଯେ ସବୁବେଳେ ତାଙ୍କର ସମ୍ମତି ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି।
ଉପରାଜ୍ୟପାଳ ସବୁ ପ୍ରସଙ୍ଗ ବ୍ୟବସ୍ଥାନୁସାରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ଅନୁଚିତ। ଏହା କରିବା ପୂର୍ବରୁ ସେ ନିଜର ବୁଦ୍ଧି ଖଟାଇବା ଆବଶ୍ୟକ। ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିବାର ସରକାରଙ୍କ ପ୍ରତି ଉପରାଜ୍ୟପାଳ ସମ୍ମାନ ପ୍ରଦର୍ଶନ କରିବା ଉଚିତ।
ଉପରାଜ୍ୟପାଳ ଦିଲ୍ଲୀର ସର୍ବୋଚ୍ଚ ଶାସକ ବୋଲି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ କେଜ୍ରିଓ୍ଵାଲ୍ଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ସରକାର ସୁପ୍ରିମକୋର୍ଟରେ ଆବେଦନ ଏକ ପିଟିସନ ଦାଖଲ କରିଥିଲେ। ଡିସେମ୍ବର ୬ ତାରିଖ ଦିନ ସୁପ୍ରିମକୋର୍ଟ ଏ ମାମଲା ଉପରେ ରାୟ ସଂରକ୍ଷଣ ରଖିଥିଲେ। ବୁଧବାରଦିନ ଏହି ମାମଲାର ଶୁଣାଣି ହୋଇଛି।
ଗତ କିଛିଦିନ ହେବ ଦିଲ୍ଲୀରେ ଆମଆଦମୀ ପାର୍ଟି ସରକାର ଓ ଉପରାଜ୍ୟପାଳଙ୍କୁ ନେଇ ବାରମ୍ବାର ମତଭେଦ ଦେଖାଦେଇଥିଲା।


















