ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ କରିବା ସମ୍ପର୍କରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ପୁରୀ ଜିଲ୍ଲା ଓ ଦୌରା ଜଜ୍। ଏହି ରିପୋର୍ଟକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିରର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ତଥ୍ୟ ୱେବସାଇଟରେ ଅପଡେଟ୍ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ଭିତରେ ସମସ୍ତ ତଥ୍ୟ ଅପଡେଟ୍ କରିବାକୁ କୁହାଯାଇଛି।
ସୁପ୍ରିମକୋର୍ଟ ନିଯୁକ୍ତି କରିଥିବା ଆମିକସ୍ କ୍ୟୁରି ରଥଯାତ୍ରା ପରେ ପୁରୀ ଆସିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆମିକସ୍ କ୍ୟୁରି ସମସ୍ତ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ସୁପ୍ରିମକୋର୍ଟକୁ ରିପୋର୍ଟ ଦେବେ। ରିପୋର୍ଟ ଆଧାର କରି ପରବର୍ତ୍ତୀ ଶୁଣାଣି ହେବ।
ଶ୍ରୀମନ୍ଦିରରେ ସେବାୟତମାନେ ଭକ୍ତମାନଙ୍କୁ କରୁଥିବା ଶୋଷଣ ରୋକିବା ଏବଂ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ମୃଣାଳିନୀ ପାଢ଼ୀ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ଜୁନ୍ ୮ରେ ସୁପ୍ରିମକୋର୍ଟରେ ଏହି ମାମଲା ଉପରେ ଶୁଣାଣି ହୋଇଥିଲା।
ସୁପ୍ରିମକୋର୍ଟ କହିଥିଲେ ଯେ ସେବାୟତମାନେ କୌଣସି ଶ୍ରଦ୍ଧାଳୁମାନଙ୍କଠାରୁ ସିଧାସଳଖ ଦାନ ଦକ୍ଷିଣା ନେଇପାରିବେ ନାହିଁ। ଯେଉଁ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦକ୍ଷିଣା ଦେବାକୁ ଚାହୁଁଥିବେ ସେମାନେ ହୁଣ୍ଡିରେ ଦେଇପାରିବେ।
ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ କ’ଣ ଅସୁବବିଧା ଭୋଗୁଛନ୍ତି? ସେବାୟତମାନଙ୍କ ବ୍ୟବହାର କେମିତି ଏବଂ କ’ଣ କଲେ ନୀତିକାନ୍ତି ଶୃଙ୍ଖଳିତ ହୋଇପାରିବ ସେ ବିଷୟରେ ରିପୋର୍ଟ ଦେବାକୁ ଜିଲ୍ଲା ଓ ଦୌରା ଜଜ୍ଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଏହାସହ ଦେଶର ପ୍ରମୁଖ ମନ୍ଦିରରେ କେମିତି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ତାହା ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ କହିଥିଲେ।











