ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଵଛ ଭାରତ ଅଭିଯାନ ଓଡ଼ିଶାରେ ସଫଳ ହୋଇପାରିନାହିଁ। କଥା ଏ ପର୍ଯ୍ୟନ୍ତ ଗଲାଣି ଯେ ଏହି ଅଭିଯାନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କେନ୍ଦ୍ର ଓଡ଼ିଶା ସରକାରଙ୍କୁ ଏକରକମ ନିର୍ଦ୍ଦେଶ ଦେଇଛନ୍ତି।

ଆଗାମୀ ରଥଯାତ୍ରା ସମୟରେ ଏ ନେଇ ସଚେତନତାର ବାର୍ତ୍ତା ଲୋକଙ୍କ ପାଖରେ ଯେମିତି ପହଞ୍ଚିବ ସେ ଦିଗରେ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର କହିଛନ୍ତି। ନିକଟରେ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଜଣାପଡ଼ିଛି ଯେ ଘରେ ଘରେ ପାଇଖାନା ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଢେର ପଛରେ ପଡ଼ିଛି। ଓଡ଼ିଶାରେ ସ୍ଵଛ ଭାରତ ମିଶନର ମନ୍ଥର ଗତିକୁ ଦୃଷ୍ଟିରେ ରଖି ରଥଯାତ୍ରା ଅବସରକୁ ଉପଯୋଗ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟର ସଚିବ ପରମେଶ୍ୱର ଆୟାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପାଖକୁ ପତ୍ର ଲେଖି ଜଣାଇଛନ୍ତି।

ରଥଯାତ୍ରା ଭଳି ଏକ ଗଣ ଉତ୍ସବରେ ଲୋକଙ୍କ ପାଖକୁ ପରିମଳର ବାର୍ତ୍ତା ପଠାଯିବା ପାଇଁ ଏହି ପତ୍ରରେ କୁହାଯାଇଛି। ଘରେ ଟୁଇନ-ପିଟ୍ ପାଇଖାନା ନିର୍ମାଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ଯାଇ ଆୟାର ତାଙ୍କ ଚିଠିରେ କହିଛନ୍ତି ଯେ ସ୍ଵଛ ଭାରତ ମିଶନ କାର୍ଯ୍ୟକ୍ରମରେ ଓଡ଼ିଶା ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଅକ୍ଟୋବର ୨୦୧୪ ପରଠାରୁ ରାଜ୍ୟରେ ମାତ୍ର ୩୮ ଲକ୍ଷ ପାଇଖାନା ତିଆରି କରାଯାଇଛି। ଇଣ୍ଡିଭିଜୁଆଲ ହାଉସହୋଲଡ ଲାଟ୍ରିନ୍ ବା ଆଇଏଚଏଚଏଲ କାର୍ଯ୍ୟକ୍ରମରେ ଓଡ଼ିଶାର ଭାଗିଦାରୀ ମାତ୍ର ୫୨ ପ୍ରତିଶତ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଏପରିକି ବିହାର ଭଳି ପଛୁଆ ରାଜ୍ୟ ଓଡ଼ିଶା ତୁଳନାରେ ଭଲ କରିଛି। ଶତକଡା ହିସାବରେ ଘରୋଇ ପାଇଖାନାର ପହଞ୍ଚ ବିହାରରେ ୫୮%।ଦେଶର ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଘରୋଇ ପାଇଖାନା ଲକ୍ଷ୍ୟ ୧୦୦ ପ୍ରତିଶତରେ ପହଁଚିଥିବା ବେଳେ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ଏହା ୮୦ ପ୍ରତିଶତ ହୋଇଛି।

ସେହିଭଳି ବାହାରେ ମଳତ୍ୟାଗ କ୍ଷେତ୍ରରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ୫ ରାଜ୍ୟ ଭିତରେ ଓଡ଼ିଶାର ନାମ ରହିଛି। ମଳତ୍ୟାଗ ମୁକ୍ତ ଗାଁର ସଂଖ୍ୟା ଓଡ଼ିଶାରେ ମାତ୍ର ୨୪ ପ୍ରତିଶତ। ପଡ଼ୋଶୀ ଛତିଶଗଡ଼ ଏ କ୍ଷେତ୍ରରେ ୧୦୦ ପ୍ରତିଶତ ଟାର୍ଗେଟରେ ପହଞ୍ଚି ସାରିଛି। ଓଡ଼ିଶାର କେବଳ ଦୁଇଟି ଜିଲ୍ଲାକୁ ଖୋଲା ମଳତ୍ୟାଗ ମୁକ୍ତ ଜିଲ୍ଲା ଭାବରେ ଟ୍ୟାଗ ମିଳିଛି। ଏ ଦୁଇ ଜିଲ୍ଲା ହେଲା ସମ୍ବଲପୁର ଓ କନ୍ଧମାଳ।

Comment