ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସକୁ ଲାଗିଛି ଜୋରଦାର ଝଟକା। ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଆଜି ଦଳରୁ ଦେଇଛନ୍ତି ଇସ୍ତଫା।

‘ହସିବ ଓଡ଼ିଶା ଉଠିବ କଂଗ୍ରେସ’ର ନାରା ଦେଇ ନୂଆ ଇନିଂସ୍ ଆରମ୍ଭ କରିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବଡ଼ ଝଟକା ଲାଗିଛି। ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଆଜି ଦଳ ଛାଡ଼ିଛନ୍ତି।

ଦଳରୁ ଇସ୍ତଫା ଦେବା ସହ କଂଗ୍ରେସ ନେତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଦଳ ତାଙ୍କୁ ଦୀର୍ଘ ଦିନ ଧରି ଅଲୋଡ଼ା କରି ରଖିଛି ଏବଂ ସେ ନିଜ ନିର୍ବାଚନମଣ୍ଡଳୀରେ ସଙ୍ଗଠନ ସଜାଡ଼ୁଥିବା ବେଳେ କିଛି ନେତାଙ୍କୁ ଧୋକା ଦେଇଥିବା କହିଛନ୍ତି।

ଦୁଷ୍ମନ୍ତଙ୍କ ଏହି ଅଭିଯୋଗ ଏବଂ ଇସ୍ତଫା ପରେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଥମି ନଥିବା ଜଣାପଡ଼ିଛି। ଦଳରେ କନ୍ଦଳ ଲୁଚାଇବା ପାଇଁ ନୂଆ ପିସିସି ସଭାପତିଙ୍କୁ ହାଇକମାଣ୍ଡ ନିଯୁକ୍ତ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଚର୍ଚ୍ଚା ହେଉଛି।

ବିଜେଡିରେ ଯୋଗ ଦେବେ କି ପ୍ରଶ୍ନର ଉତ୍ତରରେ ଦୁଷ୍ମନ୍ତ କହିଛନ୍ତି ଯେ ସେ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ।

ଦୁଷ୍ମନ୍ତ ଥିଲେ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ବଡ଼ ସମର୍ଥକ। ଲୁଲୁଙ୍କ ଦେହାନ୍ତ ପରେ ଦୁଷ୍ମନ୍ତଙ୍କୁ ଦଳ ଅଲୋଡ଼ା କରି ରଖିଥିଲା। ୨୦୦୯ରେ ଦୁଷ୍ମନ୍ତ ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଦୁଷ୍ମନ୍ତଙ୍କ ଇସ୍ତଫା କଂଗ୍ରେସ ପାଇଁ ବଡ଼ ଝଟକା ବୋଲି ଚର୍ଚ୍ଚା ହେଉଛି।

Comment