ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ।

ଚାଷୀଙ୍କୁ ବୋନସ୍ ଏବଂ କୃଷି ଋଣ ଛାଡ଼ ଦାବିରେ କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀ ଲୋୟର ପିଏମ୍‌ଜିରେ ଏକାଠି ହୋଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

କ୍ଷୁଦ୍ର ଚାଷୀଙ୍କୁ ବାର୍ଦ୍ଧକ୍ୟ ସମୟରେ ଭତ୍ତା, ଚାଷଜମିକୁ ମାଗଣା ବିଦ୍ୟୁତ, କୃଷି ଋଣ ଛାଡ଼, ସାର, ସବାଇ ଘାସ, ଶାଳ ପତ୍ର ଉପରୁ ଜିଏସ୍‌ଟି ଛାଡ଼, ରାଜ୍ୟ ଏବଂ ବ୍ଲକ ସ୍ତରରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ଦାବି କରିଛି କଂଗ୍ରେସ।

“ରାଜ୍ୟ ଏବଂ କେନ୍ଦ୍ର ସରକାର ହେଉଛନ୍ତି ଚାଷୀ ବିରୋଧୀ। ଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଚାଷୀ ଦୁର୍ଦ୍ଦିନରେ ଦିନ କାଟୁଥିବା ବେଳେ ତାଙ୍କ କଥା କେହି ଶୁଣୁ ନାହାନ୍ତି। କୃଷିଋଣ ଛାଡ଼ ପାଇଁ ଦାବି କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର କିଛି ପ୍ରତିକାର କରୁ ନାହାନ୍ତି। କଂଗ୍ରେସ ସରକାରକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ ହେବ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆଜିର ଏହି ଚାଷୀ ସମାବେଶରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ନେତା ସୁରେଶ ରାଉତରାୟ ପ୍ରମୁଖ ଯୋଗ ଦେଇ ଚାଷୀ ମାରଣ ନୀତିକୁ ସମାଲୋଚନା କରିଥିଲେ।

କିଛିଦିନ ହେଲା ରାଜ୍ୟ ରାଜନୀତିରେ ଚାଷୀ ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଛନ୍ତି। କର୍ଣ୍ଣାଟକ ସରକାର କୃଷି ଋଣ ଛାଡ଼ ଘୋଷଣା କରିବା ପରେ ଓଡ଼ିଶାରେ ଅନୁରୂପ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ। ହେଲେ ରାଜ୍ୟ ସରକାର କୃଷିଋଣ ଛାଡ଼ କରିବା ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ବିରୋଧୀ ଘେରିଛନ୍ତି।

LEAVE A REPLY

Please enter your comment!
Please enter your name here