ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାର ଦୁଇ ମାସ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିସିସି ଟିମ୍ ଗଠନ କରିବାରେ ସେ ସମର୍ଥ ହୋଇ ନାହାନ୍ତି।
ଓଡ଼ିଶା କଂଗ୍ରେସର ଦଳୀୟ ସଂଗଠନ କୁଆଡ଼େ ଗଲା? ଏଭଳି ଏକ ପ୍ରଶ୍ନ ରାଜନୀତି ମହଲରେ ଉଠିଛି। ଗତ ମାସ ୯ ତାରିଖରେ ଏଆଇସିସି ପକ୍ଷରୁ କାର୍ଯ୍ୟକାରୀ ସଭାପତି ଓ ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା ହୋଇ ସାରିଥିଲେ ହେଁ ପିସିସି ପୁନର୍ଗଠିତ ହୋଇପାରିନାହିଁ। ଦଳ ପକ୍ଷରୁ ପ୍ରଥମେ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ପରେ ଏହା ଜୁନ ୩୦କୁ ଘୁଞ୍ଚିଲା। କିନ୍ତୁ ଆଜି ଯାଏଁ ପିସିସି ଟିମ୍ ଗଠନ ହୋଇପାରି ନାହିଁ।
ଦଳର ନେତାମାନେ ଏବେ ଜିଲ୍ଲା ସ୍ତରରେ ଥିବା ମତଭେଦ ଓ ଗୋଷ୍ଠୀକନ୍ଦଳକୁ ସଜାଡ଼ିବା କାମରେ ଲାଗିଛନ୍ତି। ତା’ ଛଡା ଯେଉଁମାନେ ଦଳ ଛାଡ଼ି ଚାଲିଯାଇଥିଲେ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି। ଏମାନେ ଫେରିବା ସହିତ ତୃଣମୂଳ ସ୍ତରରେ ସବୁକିଛି ଠିକ୍ କରିବା ପାଇଁ ସମୟ ଲାଗୁଛି ବୋଲି ଜଣେ ନେତା କହିଛନ୍ତି।
ଇତି ମଧ୍ୟରେ ଏଆଇସିସି ପାଖରୁ ସବୁ ପିସିସି ସଭାପତିଙ୍କ ନିକଟକୁ ଚିଠି ଆସିଛି। ଏଥିରେ କୁହାଯାଇଛି ୨୦୧୯ ନିର୍ବାଚନ ପାଇଁ କି ପ୍ରକାର ପ୍ରସ୍ତୁତି କରିଛ ଜଣାଅ। ଜୁଲାଇ ତୃତୀୟ ସପ୍ତାହରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏନେଇ ସମୀକ୍ଷା ବୈଠକ କରିବେ ଓ ପିସିସି ସଭାପତିମାନେ ନିଜ ନିଜ ରାଜ୍ୟର ସ୍ଥିତି ଉପସ୍ଥାପନ କରିବେ।
କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଦଳର ସାଧାରଣ ସମ୍ପାଦକ, ବିଭିନ୍ନ ରାଜ୍ୟର ପ୍ରଭାରୀ, ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ପ୍ରମୁଖ ଯୋଗ ଦେବେ। ଆଶା କରାଯାଉଛି ବିଭିନ୍ନ ରାଜ୍ୟରେ ଦଳର ସଂଗଠନ କେଉଁ ସ୍ତରରେ ଅଛି ଓ ବିଜେପି ତଥା ସେହି ରାଜ୍ୟର ସରକାରଙ୍କୁ ମୁକାବିଲା କରିବା ପାଇଁ କ’ଣ କରିବାକୁ ହେବ ସେନେଇ ବିସ୍ତୃତ ଆଲୋଚନା ହେବ।








ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାର ଦୁଇ ମାସ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିସିସି ଟିମ୍ ଗଠନ କରିବାରେ ସେ ସମର୍ଥ ହୋଇ ନାହାନ୍ତି।









