ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀରେ ଊର୍ଦ୍ଧ୍ୱବାହୁ ହୋଇ ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଥିବା ବେଳେ ଓଡ଼ିଆରେ ଟୁଇଟ୍ କରି ଅମିତ ଶାହ ଓଡ଼ିଶାବାସୀଙ୍କ ନିକଟର ହେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।

ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଲୀଳାଖେଳା ଦେଖିବା ପାଇଁ ଲୋକଙ୍କ ଭିଡ଼। ହେଲେ ଏହି ଭିଡ଼ରୁ ରାଜନୀତି ଫାଇଦା ନେବା ପାଇଁ ନେତା କୌଣସି ସୁଯୋଗକୁ ହାତଛଡ଼ା କରି ନାହାନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ରଥଯାତ୍ରାରେ ସାମିଲ୍ ହୋଇଥିଲେ। ତାଙ୍କ ସହ ମନ୍ତ୍ରିମଣ୍ଡଳର ବହୁ ମନ୍ତ୍ରୀଙ୍କୁ ମଧ୍ୟ ପୁରୀରେ ଦେଖିବାକୁ ମିଳିଥିଲା। ତେବେ ଏହି ଭିଡ଼ ଭିତରେ ସମସ୍ତଙ୍କୁ ଚକିତ କରିଥିଲା ବିଜେପି ନେତାଙ୍କ ଉପସ୍ଥିତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସମର୍ଥକଙ୍କୁ ନେଇ ପୁରୀରେ ପହଞ୍ଚିଥିଲେ। ହେଲେ ବଡ଼ଦାଣ୍ଡରେ ସେ ଯେଉଁ ଭାବଭଙ୍ଗୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ତାହା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଧର୍ମେନ୍ଦ୍ର ଏବଂ ତାଙ୍କ ସମର୍ଥକମାନେ ବଡ଼ଦାଣ୍ଡରେ ଊର୍ଦ୍ଧ୍ୱବାହୁ ହୋଇ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ଖାଲି ସେତିକି ନୁହେଁ, ଧର୍ମେନ୍ଦ୍ର ବଡ଼ଦାଣ୍ଡରେ ରଥାରୂଢ଼ ତିନି ଦିଅଁଙ୍କୁ ଆଣ୍ଠୁମାଡ଼ି ପ୍ରଣାମ କରିଥିଲେ। ଶଙ୍କରାଚାର୍ଯ୍ୟଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। ପୁରୀ ରଥଯାତ୍ରା ସମ୍ପର୍କୀତ ଧର୍ମେନ୍ଦ୍ରଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ରାଜନୀତି କରିଡ଼ରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଓଡ଼ିଶା ବିଜେପିର ପୋଷ୍ଟରବୟ ଭାବେ ବିବେଚନା କରାଯାଉଥିବା ଧର୍ମେନ୍ଦ୍ର ପୁରୀ ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଅହମ୍ମଦାବାଦ ରଥଯାତ୍ରାରେ ସାମିଲ ହୋଇ ସମସ୍ତଙ୍କ ନଜରକୁ ଆସିଛନ୍ତି।

ଅମିତ ଶାହ ଶନିବାର ସକାଳୁ ଅହମ୍ମଦାବାଦ ଗସ୍ତ କରି ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ମହାପ୍ରଭୁଙ୍କୁ ଆଳତୀ କରି ନୂଆଦିଲ୍ଲୀ ଫେରି ଆସିଛନ୍ତି ଶାହ।

କଥାରେ ଏତିକିରେ ଶେଷ ହୋଇନି, ଓଡ଼ିଆ ଲୋକଙ୍କ ମନ ଜିଣିବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଓଡ଼ିଆରେ ଟୁଇଟ୍ କରି ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ସବୁବେଳେ ଥାଉ ଲେଖି ଚର୍ଚ୍ଚାରେ ରହିଛନ୍ତି ଶାହ। ଜଗନ୍ନାଥ ଓଡ଼ିଆଙ୍କର ଆରାଧ୍ୟ ଦେବତା ହୋଇଥିବାରୁ ଅହମ୍ମଦାବାଦ ରଥଯାତ୍ରାରେ ସାମିଲ୍ ହୋଇ ଶାହ ଓଡ଼ିଶାବାସୀଙ୍କ ମନକୁ ଛୁଇଁବା ପାଇଁ ଚେଷ୍ଟା କରିଥିବା ଆଲୋଚନା ହେଉଛି।

ସବୁଠୁ ବଡ଼ କଥା ହେଉଛି ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଓଡ଼ିଶା ଆସି ଉଦବୋଧନ ଦିଅନ୍ତି ସେତେବେଳେ ଜଗନ୍ନାଥଙ୍କ ନାଁ ନେଇଥାନ୍ତି। ଏଣୁ ରଥଯାତ୍ରାରେ ସାମିଲ ହୋଇ ଶାହ ଓଡ଼ିଶାବାସୀଙ୍କ ଭାବାବେଗ ସହ ଯୋଡ଼ି ହେବାକୁ ଚାହିଁଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ କରି ରଥଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି।

ଆଗକୁ ରହିଛି ୨୦୧୯ ସାଧାରଣ ନିର୍ବାଚନ ସମେତ ଓଡ଼ିଶା ବିଧାନସଭା ନିର୍ବାଚନ। ଅମିତ ଶାହଙ୍କ ଫୋକସ୍‌ରେ ଓଡ଼ିଶା ରହିଛି। ଓଡ଼ିଶାରେ ବିଜେପିକୁ ଶାସନଗାଦିକୁ ଆଣିବା ପାଇଁ ଶାହ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ବାରମ୍ବାର ଓଡ଼ିଶା ଗସ୍ତରେ ଆସି କର୍ମକର୍ତ୍ତାଙ୍କୁ ନେଇ ମନ୍ଥନ କରୁଛନ୍ତି। ୧୨୦ରୁ ଅଧିକ ଆସନ ହାସଲ କରିବା ପାଇଁ କର୍ମୀଙ୍କୁ ସାଙ୍ଗଠନିକ ପାଠ ପଢ଼ାଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପର୍ବପର୍ବାଣୀ ସହ ଯୋଡ଼ି ହେଉଛନ୍ତି। ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରୁଛନ୍ତି। ରଥଯାତ୍ରା ଅବସରରେ ଏହି ଦୁଇ ନେତା ଓଡ଼ିଶାବାସୀଙ୍କ ନିକଟତର ହେବା ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଥିବା ଚର୍ଚ୍ଚା ହେଉଛି।

Comment