ଓଡ଼ିଶାଲାଇଭ୍‍ ପଲିଟିକାଲ ବ୍ୟୁରୋ

ଅଗଷ୍ଟରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲଙ୍କ ଗସ୍ତର ଅସଲ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ କର୍ମୀଙ୍କୁ ଭେଟିବା ଓ ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିବା।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାହୁଲ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଗ୍ରହଣ କରିବା ପରେ ଓ ଗତ ଅପ୍ରିଲରେ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେବା ପରେ ଏହା ହେବ ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଅବଶ୍ୟ ଅତୀତରେ ଅନେକ ଥର ରାହୁଲ ଓଡ଼ିଶା ଆସିଛନ୍ତି ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଲି ଲୋକଙ୍କ ଭିତରେ ଦଳ ପ୍ରତି ବିଶ୍ଵାସ ଜନ୍ମାଇବାର ଉଦ୍ୟମ କରିଛନ୍ତି ରାହୁଲଙ୍କ ଏହି ଗସ୍ତ ଉପରେ କିନ୍ତୁ ଢେର ଗୁରୁତ୍ୱ ଦିଆଯାଉଛି।

ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ ରାହୁଲଙ୍କ ଏହି କାର୍ଯ୍ୟକ୍ରମର ଅସଲ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ କର୍ମୀଙ୍କୁ ଭେଟିବା ଓ ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିବା। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ କଂଗ୍ରେସ କର୍ମୀଙ୍କ ଭିତରେ ଯେଉଁ ନୂଆ ଉତ୍ସାହ ସୃଷ୍ଟି ହୋଇଛି ତାହାକୁ ଆଗେଇ ନେବା ପାଇଁ ରାହୁଲଙ୍କ ଏହି ଗସ୍ତ କାମ ଦେବ ବୋଲି ଦଳର ନେତାମାନେ ଆଶା କରୁଛନ୍ତି।

ଅଗଷ୍ଟ ମାସ ୨୦ ତାରିଖ ପରେ ରାହୁଲ ଆସିବେ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି। ଏଥିପାଇଁ ପିସିସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପିସିସି ସଭାପତି ହେବା ପରେ ବିଗତ ତିନି ମାସ ମଧ୍ୟରେ ନିରଞ୍ଜନ ନିଜେ ବେଶ୍ କିଛି କରିପାରି ନଥିଲେ ହେଁ କଂଗ୍ରେସ ଦଳ ଭିତରେ ଗୋଟିଏ ଧାରଣା ବଳବତ୍ତର ହୋଇଛି ଯେ ନୂଆ ସଭାପତିଙ୍କ ନେତୃତ୍ୱରେ ୨୦୧୯ ଯୁଦ୍ଧରେ ଅବତୀର୍ଣ୍ଣ ହେଲେ ଦଳକୁ କିଛି ଫାଇଦା ନିଶ୍ଚିତ ଭାବରେ ହେବ।

ଏପରିକି କ୍ଷମତାକୁ ଆସିବାର ସ୍ୱପ୍ନ ବି ନେତାମାନେ ଦେଖୁଛନ୍ତି। ଇତି ମଧ୍ୟରେ ବ୍ଲକରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେ ଦିଗରେ କାମ ମଧ୍ୟ ଆଗେଇଛି। ବିଗତ କିଛିଦିନ ଭିତରେ ପିସିସି ସଭାପତି, ଓଡ଼ିଶା ପ୍ରଭାରୀ, ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ମିଶି ବିଭିନ୍ନ ଜିଲ୍ଲାକୁ ମାରାଥନ ଗସ୍ତ କରିଛନ୍ତି। କିନ୍ତୁ ଓଡ଼ିଶା କଂଗ୍ରେସ ପାଇଁ ସମସ୍ୟାଗୁଡ଼ିକ ଯେଉଁଠି ଥିଲା ସେଠି ହିଁ ରହିଛି।

ଦଳ ପାଇଁ ପ୍ରକୃତ ସମସ୍ୟାଟି ହେଉଛି ବହୁ ନେତାଙ୍କ ଆବିର୍ଭାବ ଓ ବହୁ ପଦବୀ ସୃଷ୍ଟି। କଂଗ୍ରେସ ଭିତରେ କିଏ କ’ଣ କରିବ ବା କରୁଛି ସେ ନେଇ କୌଣସି ସ୍ପଷ୍ଟତା ଏବେ ନାହିଁ ଆଗକୁ ଏହି ଦ୍ୱନ୍ଦ୍ୱ ଅଧିକ ହେବାର ଆଶଙ୍କା କରାଯାଉଛି। ନିରଞ୍ଜନଙ୍କୁ ପିସିସି ଦାୟୀତ୍ୱ ଦିଆଯିବା ପରେ ଆଶା କରାଯାଉଥିଲା ସେ ସ୍ୱଚ୍ଛନ୍ଦରେ କାମ କରିପାରିବେ। କିନ୍ତୁ ତାହା ସମ୍ଭବ ହେଉନାହିଁ। ତାଙ୍କୁ ସାହାଯ୍ୟ କରିବା ପାଇଁ ଯେଉଁ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି ସେମାନେ ପ୍ରକୃତରେ ଗୋଟିଏ ଗୋଟିଏ ଖେଞ୍ଚ ହୋଇଛନ୍ତି।

ଇତିମଧ୍ୟରେ ଆହୁରି ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ୩୦ଟି ରାଜସ୍ୱ ଜିଲ୍ଲାର ଦାୟିତ୍ୱରେ ଜଣେ ଜଣେ ବରିଷ୍ଠ ନେତା ରହିବେ। ଖାଲି ସେତିକି ନୁହେଁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଅଲଗା ଅଲଗା ନେତାଙ୍କୁ ନିଯୁକ୍ତି ଦିଆଯିବ। ଭୁଲିଯିବା ଉଚିତ ନୁହେଁ ଯେ ଗତ ସପ୍ତାହରେ ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଭାରୀଙ୍କ ଅଧ୍ୟକ୍ଷତାରେ ୩୧ ଜଣିଆ ଏକ ‘ସମନ୍ୱୟ’ କମିଟି ଗଠନ ବିଷୟ ଘୋଷଣା କରାଯାଇଛି।

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଏହି ସମନ୍ୱୟ କମିଟିର ଆବାହକ ଅଛନ୍ତି। କୌତୁହଳର ବିଷୟ ହେଲା ଗୋଟିଏ ପଟେ କମିଟି ପରେ କମିଟି ଗଠନ ଚାଲିଥିଲେ ହେଁ ପିସିସି ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଉନାହିଁ। ଏହା ଦଳର ନେତା ଓ କର୍ମୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କର୍ମକର୍ତ୍ତାଙ୍କ ନାମ ଘୋଷଣା ନ ହୋଇପାରିବା ଓ ଏଥିରେ ହେଉଥିବା ଅଯଥା ବିଳମ୍ବ ପଛରେ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ଗୋଟିଏ ବଡ଼ କାରଣ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

କାର୍ଯ୍ୟକାରୀ ସଭାପତି ନବ ଦାସ ଏହି ସପ୍ତାହରେ କର୍ମକର୍ତ୍ତା ଘୋଷଣା କରାଯିବ ବୋଲି କହିଥିଲେ ମଧ୍ୟ ବାସ୍ତବରେ ସେ କଥା ହେବ କି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ, କଂଗ୍ରେସ ଦଳ ପାଇଁ ବହୁତ ବାଟ ଯିବାର ଅଛି। ଖାଲି ନେତୃତ୍ୱ ପରିବର୍ତ୍ତନ ହୋଇଗଲେଯେ ଦଳକୁ ପୂରା ଫାଇଦା ହେବ ଏହା ଭାବିବା ନିରର୍ଥକ। ୨୦୧୯ରେ ଦଳର ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ବଢାଇବାକୁ ହେଲେ ରଣନୀତି ବି ସେହିଭଳି ଜୋରଦାର ହେବା ଆବଶ୍ୟକ।

Comment