ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ଦିନ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ୨୦୧୯ ନିର୍ବାଚନ ପାଇଁ ଘମାଘୋଟ ଆଲୋଚନା କରାଯାଇଥିଲା। ଦେଶର ସର୍ବପୁରାତନ ଦଳର ଏହି ବୈଠକ ଜୁଲାଇ ୨୦ ତାରିଖର ଅନାସ୍ଥା ପ୍ରସ୍ତାବ ପରେ ଅନୁଷ୍ଠିତ ହୋଇଥିବାରୁ ଏହାକୁ ଦଳର ନେତାମାନେ ବେଶ୍ ଗୁରୁତ୍ୱ ଦେଇଥିବା ଜଣାପଡ଼ୁଛି। ଏହି ବୈଠକରେ ୨୦୧୯ ପାଇଁ କଂଗ୍ରେସ ୩୦୦ ଆସନ ଲକ୍ଷ୍ୟ ରଖିଛି।

ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ଏନଡିଏ ବିରୋଧରେ ଏକ ମେଣ୍ଟ ଗଢ଼ିବା ପାଇଁ ବି ନିଷ୍ପତ୍ତି ହୋଇଛି। କିନ୍ତୁ ଏହାର ନେତୃତ୍ୱ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଛଡ଼ା ଆଉ କେହି ନେବେ ନାହିଁ ଏବଂ ମେଣ୍ଟର କେନ୍ଦ୍ରବିନ୍ଦୁ ଭାବରେ କଂଗ୍ରେସ ହିଁ ରହିବ।

ପୂର୍ବତନ ଅର୍ଥ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ପି ଚିଦାମ୍ବରମ ୨୦୧୯ ନିର୍ବାଚନର ରଣନୀତି କ’ଣ ହେବ ତାହାର ଏକ ପ୍ରସ୍ତାବ ଦେଇଥିଲେ। ଚିଦାମ୍ବରମ୍ କହିଥିଲେ ଯେ ୧୨ଟି ରାଜ୍ୟରେ କଂଗ୍ରେସର ସ୍ଥିତି ମଜବୁତ ରହିଛି ଓ ଦଳ ଯଦି ତାର କ୍ଷମତାସୀନ ରାଜ୍ୟରେ ଅଧିକ ପରିଶ୍ରମ କରେ ତେବେ ୧୫୦ ଆସନ ଜିତିବାରେ କୌଣସି ଅସୁବିଧା ହେବ ନାହିଁ। ଏହା ବ୍ୟତୀତ ଅନ୍ୟ ରାଜ୍ୟରେ ମେଣ୍ଟ କରି ଆଉ ୧୫୦ ଆସନରେ ବିଜୟ ହାସଲ କରିବା ଅସମ୍ଭବ ନୁହେଁ।

ମୋଟାମୋଟି ଭାବେ ତିନି ଶହ ଆସନକୁ କେମିତି ଅକ୍ତିଆର କରାଯାଇପାରିବ ତାର ଏକ କୌଶଳ ବା ଫର୍ମୁଲା ଚିଦାମ୍ବରମ୍ ଉପସ୍ଥାପିତ କରିଥିଲେ।

କାର୍ଯ୍ୟକାରୀ କମିଟି ବୈଠକରେ ମହାମେଣ୍ଟ ସମ୍ପର୍କରେ ଆଲୋଚନା ସମୟରେ ତିନି ଜଣ ନେତା ରାହୁଲଙ୍କ ସପକ୍ଷରେ ଜୋରଦାର ମତ ରଖିଥିଲେ। ଏମାନେ ହେଲେ ସଚିନ ପାଇଲଟ, ଶକ୍ତି ସିଂହ ଗୋହିଲ ଓ ରମେଶ ଚେନ୍ନିଥଲା। ଏହି ତିନି ଜଣଙ୍କ କହିବା କଥା ଥିଲା ଯେ ମେଣ୍ଟର କେନ୍ଦ୍ରରେ କଂଗ୍ରେସ ହିଁ ରହିବ ଓ ରାହୁଲ ଗାନ୍ଧି ଏହାର ନେତୃତ୍ବ ନେବା ନିତାନ୍ତ ଆବଶ୍ୟକ।

ଜୁମଲାବାଜିକୁ ନାପସନ୍ଦ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନରେନ୍ଦ୍ର ମୋଦିଙ୍କ ଉପରେ ଜମେଇକି ବର୍ଷିଥିଲେ। ମୋଦିଙ୍କ ନିରନ୍ତର ଆତ୍ମପ୍ରଶଂସାକୁ ସମାଲୋଚନା କରିବା ସହ ଜୁମଲାବାଜି ସଂସ୍କୃତିକୁ ନାପସନ୍ଦ କରିବା ଦେଖାଯାଇଥିଲା। ଜୁମଲାବାଜି ବିକାଶ ପାଇଁ ଠିକ୍ ବାଟ ନୁହେଁ ବୋଲି ମନମୋହନ ସିଂହ ମତ ଦେଇଥିଲେ।

ସୋନିଆ ଗାନ୍ଧି କହିଲେ ଯେ ନରେନ୍ଦ୍ର ମୋଦିଙ୍କ ଭାଷଣ ଓ ମୁଖମଣ୍ଡଳରୁ ଜଣାପଡ଼ୁଛି ଯେ ସେ ବିବ୍ରତ ହୋଇପଡ଼ିଛନ୍ତି। ମୋଦି ସରକାରର ଓଲଟା ଗଣତି ଆରମ୍ଭ ହୋଇଯାଇଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କାର୍ଯ୍ୟକାରୀ କମିଟିରେ ଉଦବୋଧନ ଦେଇଥି କହିଲେ ଯେ ନରେନ୍ଦ୍ର ମୋଦିଙ୍କ ସରକାର ଦଳିତମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଦେଶର ଗରିବ ଲୋକମାନଙ୍କ ପାଇଁ ଲଢ଼ିବାକୁ ସେ ଦଳର ନେତାମାନଙ୍କୁ ଆହ୍ୱାନ ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ କମିଟିରେ ସଭାପତିତ୍ୱ କରିଥିଲେ। କଂଗ୍ରେସ ଦଳକୁ ‘ଭାରତର ଆବାଜ’ ବୋଲି ଅଭିହିତ କରିବା ସହ ଦଳର ଭବିଷ୍ୟତ ଓ ବର୍ତ୍ତମାନ କଥା ଏକାଠି ଚିନ୍ତା କରିବା ପାଇଁ ହେବ ବୋଲି କହିଥିଲେ।

ରାହୁଲ ଆହୁରି କହିଥିଲେ ଯେ କାର୍ଯ୍ୟକାରୀ କମିଟିର ସଦସ୍ୟଙ୍କ ଭିତରେ ଶକ୍ତି ଓ ଅଭିଜ୍ଞତା ଅଛି। ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ ଭିତରେ ଏହି କମିଟି ଏକ ସେତୁ ଭଳି କାମ କରିପାରିବ। ସବୁଠୁ ବଡ଼ କଥା ହେଉଛି ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ବିବେଦୀ ଏବଂ ଦିଗବିଜୟ ସିଂ ବୈଠକରେ ଉପସ୍ଥିତ ନଥିଲେ। କିଛି ଦିନ ତଳେ ପୁନର୍ଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଏହି ଦୁଇ ନେତାଙ୍କୁ ସାମିଲ କରାଯାଇ ନଥିବାରୁ ସେମାନେ ଅନୁପସ୍ଥିତ ଥିବା ଚର୍ଚ୍ଚା ହେଉଛି।

କଂଗ୍ରେସ କାର୍ଯ୍ୟକାରୀ କମିଟି ହେଉଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଫଇସଲା ନେବାର ମୁଖ୍ୟ ଅଙ୍ଗ। ସୋନିଆ ଗାନ୍ଧି ଓ ମନମୋହନ ସିଂହ ଏହି କମିଟିରେ ବର୍ତ୍ତମାନ ସବୁଠାରୁ ବରିଷ୍ଠ ସଦସ୍ୟ। ଚଳିତ ବର୍ଷ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଦଳର କୋର ଟିମ୍ ଗଠନ କରିବା ମଧ୍ୟ କାର୍ଯ୍ୟକାରୀ କମିଟିର ଦାୟୀତ୍ୱ। କମିଟିରେ ଏବେ ୫୧ ଜଣ ସଦସ୍ୟ ଅଛନ୍ତି। ନିକଟରେ ପୁନର୍ଗଠିତ ଏହି କମିଟିରେ ଯୁବ ଓ ବରିଷ୍ଠ ନେତାଙ୍କ ଭିତରେ ସନ୍ତୁଳନ ଆଣିବା ପାଇଁ ରାହୁଲ ଗାନ୍ଧି ଚେଷ୍ଟା କରିଥିଲେ।

Comment