ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ ଦିଲ୍ଲୀରେ ମନ୍ଥନ କରିଛନ୍ତି ରାହୁଲ୍ ଗାନ୍ଧି। ସବୁ ରାଜ୍ୟର ପିସିସି ସଭାପତି ଏବଂ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି।
ଦିଲ୍ଲୀରେ ଆଜି ଦିନ ତମାମ୍ ଚାଲିଲା କଂଗ୍ରେସର ମନ୍ଥନ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁ ରାଜ୍ୟର ପିସିସି ସଭାପତିଙ୍କୁ ଭେଟି ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ କଲେ ରଣନୀତି। ଶାସକ ବିଜେପିକୁ ଘେରିବା ପାଇଁ କଂଗ୍ରେସ ୨୦୧୯ରେ ରାଫେଲ୍ ଦୁର୍ନୀତିକୁ ମୁଖ୍ୟ ଅସ୍ତ୍ର କରିବ ବୋଲି ସୂଚନା ମିଳିଛି। ଏହାସହ ଯେଉଁ ରାଜ୍ୟରେ କଂଗ୍ରେସ କ୍ଷମତାରେ ନାହିଁ ସେଠାକାର ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିବା ପାଇଁ ରାହୁଲ ଗୁରୁମନ୍ତ୍ର ଦେଇଛନ୍ତି।
ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂ ଦିଲ୍ଲୀ ବୈଠକରେ ଯୋଗ ଦେଇଛନ୍ତି। ରାହୁଲଙ୍କ ମନ୍ତ୍ରକୁ ଓଡ଼ିଶାରେ କାର୍ଯ୍ୟକାରୀ କରି ଉଭୟ ବିଜେପି ଏବଂ ବିଜେଡିକୁ ଘେରିବା ପାଇଁ ଯୋଜନା କରିଛି କଂଗ୍ରେସ।
ରାଫେଲ୍ ଦୁର୍ନୀତିକୁ ଅସ୍ତ୍ର କରି କଂଗ୍ରେସ ଓଡ଼ିଶାରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
“ଜେଟ୍ ବିମାନ ଯଦି ସୁନାବେଡ଼ା ହାଲରେ ନିର୍ମାଣ ହୋଇଥାନ୍ତା ତାହାଲେ ଓଡ଼ିଶାର ବହୁ ଯୁବକ ନିଯୁକ୍ତି ପାଇଥାନ୍ତେ। କିନ୍ତୁ ଏନଡିଏ ସରକାର ତାହା କଲେ ନାହିଁ। ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ବିଜେପି ସରକାର ଚାହୁଁନାହିଁ। ଏହାକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ”, କହିଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ।
ଏହାସହ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଓଡ଼ିଶାରେ ତିନି ଦିନ ଧରି ମାରାଥନ ବୈଠକ ହେବ। ଜିଲ୍ଲା କମିଟି ସଭାପତି, ପିସିସି ଟିମ୍ର ନୂଆ ସଦସ୍ୟମାନଙ୍କୁ ନେଇ ବୈଠକ ହେବ। ରାଜ୍ୟ ନିର୍ବାଚନ କମିଟିର ମଧ୍ୟ ବୈଠକ ହେବ। ଦିନକ ପରେ ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜାଯିବ
“ରାଫେଲ୍ ଦୁର୍ନୀତି ହେଉଛି ଦେଶର ବଡ଼ ଦୁର୍ନୀତି। ଏହାକୁ ଜିଲ୍ଲା ସ୍ତରକୁ ନେବ କଂଗ୍ରେସ। ବିଜେପି ସରକାରର ଅସଲ ମୁଖା ଖୋଲିବା ପାଇଁ କଂଗ୍ରେସ ଆନ୍ଦୋଳନ କରିବ”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।








