ଓଡ଼ିଶାଲାଇଭ୍ ବ୍ୟୁରୋ
ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ୍ ମିଲି ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ମିଲି କଂଗ୍ରେସରେ ସାମିଲ୍ ହୋଇଛନ୍ତି।
ମିଲି ପଣ୍ଡା ୨୦୧୩ରେ ଜନ ମଞ୍ଚ ଓଡ଼ିଶା ଗଠନ କରିଥିଲେ। ହେଲେ ୨୦୧୪ରେ ସେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଓଡ଼ିଶା ପାର୍ଟିରେ ଯୋଗ ଦେଇଥିଲେ। ୨୦୧୪ରେ ମିଲି ଆମ ଓଡ଼ିଶା ପାର୍ଟି ଟିକେଟରେ ନୟାଗଡ଼ ଜିଲ୍ଲା ରଣପୁରରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ସେ ଆଜି କଂଗ୍ରେସରେ ସାମିଲ୍ ହୋଇଛନ୍ତି।
“କଂଗ୍ରେସ ହେଉଛି ଏକ ଜାତୀୟ ଦଳ। ଲୋକଙ୍କ ପାଇଁ ଅଧିକରୁ ଅଧିକ କାମ କରିବା ପାଇଁ ମୁଁ ଏହି ଦଳରେ ଯୋଗ ଦେଇଛି। ମୁଁ ଯେଉଁଭଳି ଭାବେ ଲୋକଙ୍କର କାମ କରୁଥିଲି ଆଗକୁ ମଧ୍ୟ ତାହା ବଳବତ୍ତର ରହିବ। କେବଳ ରଣପୁର ନିର୍ବାଚନମଣ୍ଡଳୀ ନୁହେଁ, ଓଡ଼ିଶାବାସୀଙ୍କ ପାଇଁ ମୁଁ କାମ କରିବି। କୌଣସି ସର୍ତ୍ତ ରଖି ମୁଁ କଂଗ୍ରେସରେ ସାମିଲ୍ ହୋଇନାହିଁ। ଦଳର ନିଷ୍ପତ୍ତି ଅନୁସାରେ ମୁଁ କାମ କରିବି”, ଓଡ଼ିଶାଲାଇଭ୍କୁ କହିଛନ୍ତି ମିଲି ପଣ୍ଡା।
ଏହାସହ ନୀଳଗିରି ରାଣି ମନୋଜା ମଞ୍ଜରୀ ଦେବୀ ମଧ୍ୟ କଂଗ୍ରେସରେ ସାମିଲ୍ ହୋଇଛନ୍ତି। ପିସିସି ସଭାପତି ଏବଂ ପ୍ରଭାରୀ ଉଭୟଙ୍କୁ ଦଳକୁ ସ୍ୱାଗତ କରିଥିଲେ।


















