ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ହାଇକୋର୍ଟ ଓକିଲଙ୍କୁ ପୋଲିସର ମାଡ଼ ମାରିବା ଅଭିଯୋଗ
  • ହାଇକୋର୍ଟ ବାର୍‌ ଆସୋସିଏସନର ଜରୁରୀ ବୈଠକ
  • କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ଆଇନଜୀବୀ
  • ଆର୍‌ଡିସି ଅଫିସ ସାମ୍ନାରେ ପିସିଆର୍ ଭ୍ୟାନ ଜାଳିଦେଲେ ଓକିଲ

ତେଜିଲା ବିବାଦ। ମୁହାଁମୁହିଁ ହେଲେ ଓକିଲ-ପୋଲିସ। ଓଡ଼ିଶା ହାଇକୋର୍ଟର ଜଣେ ଓକିଲଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ବିବାଦ ଉଗ୍ରରୂପ ଧାରଣ କରିଛି। ଫଳରେ ଆଜି କଟକରେ ଆର୍‌ଡିସି ଅଫିସ ସାମ୍ନାରେ ଲଙ୍କାକାଣ୍ଡ ଘଟାଇଛନ୍ତି ଆଇନଜୀବୀ।

ଆର୍‌ଡିସି ଅଫିସ ସାମ୍ନାରେ ଥିବା ପିସିଆର୍ ଭ୍ୟାନକୁ ପୋଡ଼ି ଦେଇଛନ୍ତି। ଫଳରେ ପରିସ୍ଥିତି ଅଣାୟତ୍ତ ହୋଇଛି। ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲେ ମଧ୍ୟ ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

କାହିଁକି ହେଲା ବିବାଦ?

କଟକ ନୂଆ ବଜାରରେ ମଙ୍ଗଳବାର ସନ୍ଧ୍ୟାରେ ହାଇକୋର୍ଟର ଆଇନଜୀବୀ ଦେବୀ ପଟ୍ଟନାୟକ ନିଜ ବାଇକ ଧରି ଆସୁଥିଲେ। ରାସ୍ତା ଗହଳି ଥିବାରୁ ଦେବୀଙ୍କ ବାଇକ୍ ଦୁଇ ଜଣ ଯୁବକଙ୍କ ଦେହରେ ପିଟି ହୋଇଥିଲା। ଫଳରେ ଯୁବକ ଦୁଇ ଜଣ ତଳେ ପଡ଼ି ଯାଇଥିଲେ। ଦେବୀ ଗାଡ଼ି ରଖି ତଳେ ପଡ଼ିଯାଇଥିବା ଯୁବକଙ୍କୁ ଉଠାଉଥିବା ବେଳେ ଆଉ ଦୁଇ ଜଣ ଯୁବକ ଆସି ଦେବୀଙ୍କ ସହ ଗଣ୍ଡଗୋଳ କରିବା ସହ ମାଡ଼ ମାରିଥିଲେ।

ଗଣ୍ତଗୋଳର ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଡ଼ ମାରୁଥିବା ଯୁବକଙ୍କୁ ଛାଡ଼ି ପୋଲିସ ଆଇନଜୀବୀଙ୍କୁ ଧରିଥିଲା। ରାସ୍ତାରେ କାହିଁକି ଗଣ୍ଡଗୋଳ କରୁଛ ବୋଲି ପ୍ରଶ୍ନ କରିବା ସହ ଥାନାକୁ ନେବାକୁ ଉଦ୍ୟମ କରିଥିଲା। ହେଲେ ଆଇନଜୀବୀ ଦେବୀ ପଟ୍ଟନାୟକ ପୋଲିସ ଯୁକ୍ତିତର୍କ କରିଥିଲେ। ପୋଲିସ ରାସ୍ତା ଉପରେ ଆଇନଜୀବୀଙ୍କ ଉପରକୁ ହାତ ଉଠାଇଥିବା ଅଭିଯୋଗ ହୋଇଛି। ଫଳରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି।

ଏହି ଖବର ଜଣାପଡ଼ିବା ପରେ ଆଜି ସକାଳେ ହାଇକୋର୍ଟ ବାର୍ ଆସୋସିଏସନର ଏକ ବୈଠକ ବସିଥିଲା। ଆଇନଜୀବୀଙ୍କୁ ବିନା କାରଣରେ ପୋଲିସ ମାଡ଼ ମାରିଥିବାରୁ ନିନ୍ଦା କରାଯାଇଥିଲା। ବିବାଦ ସମାଧାନ ନହେବା ଯାଏଁ ଆଇନଜୀବୀ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିବା ସହ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

LEAVE A REPLY

Please enter your comment!
Please enter your name here