ଭାସ୍କର ପରିଛା

ଗଣମାଧ୍ୟମ ବା ସମ୍ବାଦିକତାର ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ପୁସ୍ତକର ଆବଶ୍ୟକତା ଥାଏ କି? ଏହିଭଳି ଏକ ପ୍ରଶ୍ନ ଅବାନ୍ତର ମନେ ହୋଇପାରେ, କିନ୍ତୁ ଅପ୍ରସାଙ୍ଗିକ ନୁହେଁ। କାରଣ ଯେଉଁମାନେ ବିଭିନ୍ନ ଗଣମାଧ୍ୟମ ଅନୁଷ୍ଠାନରୁ ସାମ୍ବାଦିକତାରେ ଡିଗ୍ରୀ ହାସଲ କରୁଛନ୍ତି ସେମାନେ ଭଲ ଭାବରେ ଜାଣିଥିବେ ଯେ ସାମ୍ବାଦିକତାରେ ପାଠ ଅପେକ୍ଷା ଶାଠର ଅଧିକ ଆବଶ୍ୟକତା ଥାଏ – ଯାହାକୁ କୁହାଯାଏ ହ୍ୟାଣ୍ଡସ ଅନ ଏକ୍ସପିରିଏନ୍ସ।

ଦୁଇ ବର୍ଷ ସାମ୍ବାଦିକତା ପାଠ ପଢ଼ା ଭିତରେ ପିଲା ଅବଶ୍ୟ କିଛି କିଛି ଥିଓରି ବହି ପଢ଼ିଥାନ୍ତି। କିନ୍ତୁ ସେମାନେ କୁଶଳୀ ହୋଇଥାନ୍ତି ଯେତେବେଳେ କୌଣସି ଖବରକାଗଜ କିମ୍ବା ଟିଭି ସଂସ୍ଥାରେ ପ୍ରକୃତ କାର୍ଯ୍ୟ ଆରମ୍ଭ କରନ୍ତି – ଓଡ଼ିଆରେ ଯାହାକୁ କୁହାଯାଏ ‘ଲେଖୁ ଲେଖୁ କରଣ’।

ଓଡ଼ିଆରେ ସାମ୍ବାଦିକତା ଉପରେ ବେଶୀ ବହି ଦେଖିବାକୁ ମିଳୁନଥିବା ବେଳେ ଖୁସିର ବିଷୟ ଯେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମସି),ଢେଙ୍କାନାଳ ଏ ଦିଗରେ କିଛି ଉଦ୍ୟମ କରିଛନ୍ତି। ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ଏ ବାବଦରେ ଗୋଟିଏ ପୁସ୍ତକ ପ୍ରକାଶ ପାଇଥିଲା। ସଂସ୍ଥାନର ରୌପ୍ୟ ଜୟନ୍ତୀ ଉପଲକ୍ଷେ ସମୀକ୍ଷିତ ପୁସ୍ତକଟି ଏବର୍ଷ ପ୍ରକାଶିତ ହୋଇଛି। ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ମୁଖବନ୍ଧରେ ସ୍ଵୀକାର କରିଛନ୍ତି ଯେ ‘ଓଡ଼ିଆ ଭାଷାରେ ଗଣମାଧ୍ୟମ ସମ୍ପର୍କରେ ଚିନ୍ତାଶୀଳ ନିବନ୍ଧ ବହୁତ କମ୍ ଲେଖାଯାଇଇଛି -ଏହା ଏକ ଅପ୍ରିୟ ସତ୍ୟ’।

ଆଲୋଚ୍ୟ ପୁସ୍ତକଟି ଏକ ପାଠ୍ୟ ପୁସ୍ତକ ନୁହେଁ, ସାମ୍ବାଦିକତା ବିଷୟରେ ‘ଅଧିକ ଜାଣିବା ପାଇଁ’ ଉଦ୍ଦିଷ୍ଟ ସହଚର।ସଂକଳନଟିରେ ଖବର ଓ ଖବରକାଗଜ ସହିତ ଜଡ଼ିତ /ପରିଚିତ ବ୍ୟକ୍ତିମାନେ ଲେଖିଥିବା ପ୍ରବନ୍ଧକୁ ଏକାଠି କରାଯାଇଛି ସତ, ହେଲେ ଏଥିରେ ଗୋଟିଏ ସାଧାରଣ ସୂତ୍ରର ଅଭାବ ପରିଲକ୍ଷିତ ହେଲା। କେଉଁ ଅଭିପ୍ରାୟ ନେଇ ସଂକଳନଟି ପ୍ରସ୍ତୁତ କରାଯାଇଛି ତାହା ଅବୁଝା ରହିଲା।

ସଂକଳନର ଆଉ ଏକ ସଫଳତା କୁହନ୍ତୁ କି ବିଫଳତା କୁହନ୍ତୁ ଏଥିରେ ସାମ୍ବାଦିକଙ୍କ ତୁଳନାରେ ସାହିତ୍ୟିକମାନଙ୍କୁ ଅଧିକ ସ୍ଥାନ ମିଳିଛି। ଏହା ଏକ ଅନୁପ୍ରବେଶ ଭଳି ମନେ ହେଲା। ଅବଶ୍ୟ ଏକଥା ନିଶ୍ଚିତ ଯେ ‘ସାମ୍ବାଦିକତା ହେଉଛି ତରବରିଆରେ ଲେଖାଯାଇଥିବା ସାହିତ୍ୟ’ ଯାହା ମାଥିଉ ଅର୍ଣ୍ଣଲ୍ଡ ଥରେ କହିଥିଲେ। ଏଣୁ ସାହିତ୍ୟିକମାନେ ସାମ୍ବାଦିକତା ଉପରେ ଯାହା ଲେଖିଛନ୍ତି ତାହା ଉପାଦେୟ ନିଶ୍ଚିତରେ। କିନ୍ତୁ ଆଇଆଇଏମସି ଦରକାର କରୁଛି ‘ସିଦ୍ଧାନ୍ତ ଦର୍ପଣ’ ଭଳି ସାମ୍ବାଦିକତା ଉପରେ ଆଧାରିତ କିଛି ମୌଳିକ ପୁସ୍ତକ(ବହୁ ବର୍ଷ ତଳେ ସ୍ୱର୍ଗତ ଚିନ୍ତାମଣି ମହାପାତ୍ର ଏକ ଉଚ୍ଚକୋଟୀର ପୁସ୍ତକ ରଚନା କରିଥିଲେ)।

ରାଧାନାଥ ରଥ (ଶୁଦ୍ଧ ସାମ୍ବାଦିକତା), ଡକ୍ଟର ପ୍ରଦୀପ ମହାପାତ୍ର (ଓଡ଼ିଆ ସମ୍ବାଦିକତାର ଇତିହାସ), ଡକ୍ଟର ଗୌରହରି ଦାସ (ସମ୍ବାଦ ଓ ସାହିତ୍ୟର ସମ୍ପର୍କ), ଅରୁଣ ପଣ୍ଡା (ସଂସଦୀୟ ଗଣତନ୍ତ୍ର ଓ ଗଣମାଧ୍ୟମ), ପ୍ରଭୁ କଲ୍ୟାଣ ମହାପାତ୍ର(ସାମ୍ବାଦିକ ସୁରକ୍ଷା), ଜ୍ୟୋତି ପ୍ରକାଶ ମହାପାତ୍ର (ସାମ୍ବାଦିକତା ଓ ରାଜନୀତି), ସତ୍ୟ ମହାପାତ୍ର (ଜନମତ ସଂଗଠନ), ପ୍ରଦୀପ୍ତ ଦତ୍ତ (ଗୋଷ୍ଠୀ ବେତାର), ରଣଜିତ ଗୁରୁ (ଉଦାରୀକରଣ ପରେ ସାମ୍ବାଦିକତା) ଅଶୋକ ସାହୁ (ସତ୍ୟ-ଉତ୍ତର ଯୁଗରେ ଗଣମାଧ୍ୟମ) – ଏହିସବୁ ହେଉଛି ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକ/ଅଧ୍ୟାପକଙ୍କ ଦ୍ଵାରା ଲିଖିତ ନିବନ୍ଧ ଯାହା ଏଥିରେ ସ୍ଥାନ ପାଇଛି। ଗଣମାଧ୍ୟମର ସ୍ୱାଧୀନତା ଉପରେ ଡକ୍ଟର ଚାଟାର୍ଜୀ ନିଜେ ଗୋଟିଏ ପ୍ରବନ୍ଧ ଲେଖିଛନ୍ତି।

ସାହିତ୍ୟିକମାନଙ୍କ ଭିତରେ ଅଛନ୍ତି ମନୋଜ ଦାସ, ହର ପ୍ରସାଦ ଦାସ, ଡାକ୍ତର ରବି ରଞ୍ଜନ ସାହୁ, ଶକୁନ୍ତଳା ବଳିଆର ସିଂ, ସୌରୀବନ୍ଧୁ କର, ଅଭୟ ଦ୍ୱିବେଦୀ ପ୍ରମୁଖ।

ମୋଟାମୋଟି କହିବାକୁ ଗଲେ, ‘ସମ୍ବାଦ ପ୍ରସଙ୍ଗ’ ଏକ ଲାଭଦାୟକ ପୁସ୍ତକ। ଯେଉଁମାନେ ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ସହାୟକ ପୁସ୍ତକ ହେବ ଏଥିରେ ଦ୍ୱିମତ ନାହିଁ।

ତେବେ ଯେଉଁ କଥା ଆରମ୍ଭରେ କୁହାଯାଇଛି, ସାମ୍ବାଦିକତା କ୍ଷେତ୍ରରେ ଭଲ ଲେଖକ ଓ ଲେଖା ମିଳୁନଥିବା ବେଳେ ଗୁଣାତ୍ମକ ପୁସ୍ତକର ଅପେକ୍ଷା ରଖିବା ଏକ ବୃଥା ପ୍ରୟାସ ମାତ୍ର।

ସମ୍ବାଦ ପ୍ରସଙ୍ଗ
ପରିକଳ୍ପନା ଓ ସମ୍ପାଦନା : ଡକ୍ଟର ମୃଣାଳ ଚାଟାର୍ଜୀ
ସମ୍ପାଦକୀୟ ସହଯୋଗ : ସୌମ୍ୟରଞ୍ଜନ ବିହାରା
ପ୍ରଚ୍ଛଦ: ଜିତେନ୍ଦ୍ର ପତି

ଭାରତୀୟ ଜନ ସଂଚାର ସଂସ୍ଥାନ
ସଂଚାର ମାର୍ଗ, ଢେଙ୍କାନାଳ
ମୂଲ୍ୟ ୨୦୦ ଟଙ୍କା

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here