ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବିଧାନରେ ‘ଅହିଂସା’ ଶବ୍ଦ ଯୋଡ଼ାଯିବା ନେଇ ଏକ ପ୍ରସ୍ତାବ ମଙ୍ଗଳବାର ଦିନ ବିଧାନସଭାରେ ଗୃହୀତ ହୋଇଯାଇଛି।

ଓଡ଼ିଶା ସବୁବେଳେ ଆଗରେ ରହିବା ଲକ୍ଷ୍ୟରୁ ପଛକୁ ହଟିବାର ନାଁ ଧରୁନାହିଁ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରି ସମଗ୍ର ଦେଶରେ ‘ପ୍ରଥମ’ ହେବାର ଦାବି କରି ଆସୁଥିବା ନବୀନ ପଟ୍ଟନାୟକଙ୍କ ସରକାର ମୁଣ୍ଡରେ ଏବେ ଆଉ ଏକ ପର ଖଞ୍ଜି ହୋଇଯାଇଛି। ତାହା ହେଉଛି ଗାନ୍ଧିଜୀଙ୍କ ଅହିଂସା ମାର୍ଗ। ସମ୍ବିଧାନରେ ‘ଅହିଂସା’ ଶବ୍ଦଟି ଯୋଡ଼ାଯିବା ସଂକ୍ରାନ୍ତ ଏକ ପ୍ରସ୍ତାବ ମଙ୍ଗଳବାର ଦିନ ବିଧାନସଭାରେ ଗୃହୀତ ହୋଇଯାଇଛି।

ଏହି ପ୍ରସ୍ତାବରେ କୁହାଯାଇଛି ଯେ ଭାରତର ସମ୍ବିଧାନର ପ୍ରସ୍ତାବନା(ପ୍ରିଆମ୍ବଲ)ରେ ଅହିଂସା ଶବ୍ଦଟି ଯୋଡ଼ାଯାଉ। ପ୍ରସ୍ତାବଟିକୁ ବିରୋଧୀ କଂଗ୍ରେସ ଓ ବିଜେପି ବିରୋଧ କରି ନଥିଲେ କିନ୍ତୁ ଅଲୋଚନା ବେଳେ କକ୍ଷ ତ୍ୟାଗ କରିଥିଲେ। ବିରୋଧୀ ଦଳର ଯୁକ୍ତି ଥିଲା ଯେ ଏହି ପ୍ରସ୍ତାବ ଉପରେ ଅଧିକ ଆଲୋଚନା ଓ ଅଧ୍ୟୟନ ଦରକାର। ଯେଉଁଭଳି ଏହାକୁ ତରବରିଆ ଭାବରେ ବିଧାନସଭା ରେ ପାସ କରି ନିଆଗଲା ତାହା ଠିକ୍ ନୁହେଁ।

ବିରୋଧୀ ଦଳର ନେତା ନରସିଂହ ମିଶ୍ର ତାଙ୍କ ଚିରାଚରିତ ଢଙ୍ଗରେ କହିଛନ୍ତି ଯେ ପ୍ରସ୍ତାବର ବାକ୍ୟ ଗଠନ ଠିକ ନାହିଁ ଓ ସେଥିରୁ କିଛି ବୁଝାପଡ଼ୁନାହିଁ। ସେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ ଓଡ଼ିଆ ସରକାରୀ ଭାଷା ହେବା ପରେ ବି କାହିଁକି ପ୍ରସ୍ତାବଟି ଓଡ଼ିଆରେ ଆସିଛି। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ କହିଲେ ଯେ ଏହି ପ୍ରସ୍ତାବକୁ ତନ୍ନତନ୍ନ କରି ପଢ଼ାଯିବା ଦରକାର। କିନ୍ତୁ ଏସବୁ ଯୁକ୍ତିକୁ ନଶୁଣି ବାଚସ୍ପତି ପ୍ରଦୀପ ଅମାତ ଏହାକୁ ସଂଖ୍ୟା ଗରିଷ୍ଠ ମତରେ ଗୃହୀତ କରାଇ ନେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପ୍ରସ୍ତାବ ଆଗତ କରିଥିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ସେ କହିଛନ୍ତି, “ଏ ବର୍ଷ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବର୍ଷିକୀ ପାଳନ କରାଯାଉଛି। ଏଥିପାଇଁ ମେ ୨ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ। ମହାତ୍ମା ଗାନ୍ଧିଙ୍କ ଜନ୍ମର ଶତାବ୍ଦୀ ଅର୍ଦ୍ଧ ପାଳନ ବେଳେ ଏହା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଅହିଂସା ବିନା କୌଣସି ସାମାଜିକ ବା ଅର୍ଥନୈତିକ ପ୍ରଗତି ସମ୍ଭବ ନୁହେଁ। ଏଣୁ ଏହାକୁ ସମ୍ବିଧାନର ଆରମ୍ଭରେ ଯୋଡ଼ା ଯିବା ଆବଶ୍ୟକ।”

ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଅପେକ୍ଷା କରି ଦେଖିବା ଦରକାର। ଯେହେତୁ ଓଡ଼ିଶାର କଥାକୁ କେନ୍ଦ୍ର ସରକାର ଖୁବ୍ ଗୁରୁତ୍ୱ ଦେଇ ଆସିଛନ୍ତି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତା ଛଡ଼ା ଅନ୍ୟ କୌଣସି ରାଜ୍ୟ ଏହି ଭଳି ଏକ ମହତ କଥା ଉତ୍ଥାପନ କରିନାହାନ୍ତି।

Comment