ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନୂଆ ଓଡ଼ିଆ ଚଳଚ୍ଚିତ୍ର ୧୦୦% ଲଭ୍‌ର ୧୯ ସେପ୍ଟେମ୍ବରରେ ଶୁଭ ମହୁରତ୍ ହୋଇଛି। ଆସନ୍ତୁ ଜାଣିବା ଏହି ଚଳଚ୍ଚିତ୍ର ସମ୍ପର୍କରେ…

କଟକର ବାଦାମବାଡ଼ିସ୍ଥିତ ଚାଣକ୍ୟ ପାଲାମଣ୍ଡପର ଗ୍ରାଣ୍ଡ୍ ରେସିଡେନ୍ସିରେ ୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲା ଓଲିଉଡ୍ ଫିଲ୍ମ୧୦୦% ଲଭ୍‌ର ଶୁଭ ମହୁରତ୍। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏସ୍.ଏସ୍.ଫିଲ୍ମସ୍ ଏଣ୍ଟରଟେନମେଣ୍ଟର ଏହା ହେଉଛି ପ୍ରଥମ ଅବଦାନ। ବୁଦ୍ଧଦେବ ସାହୁ, ବିରେନ୍ ମହାପାତ୍ରଙ୍କ ପ୍ରଯୋଜନା ଏବଂ ଲୁବୁନ୍- ଟୁବୁନ୍‌ଙ୍କୁ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟିର ଶୁଭାରମ୍ଭ ହୋଇସାରିଛି।

ଚଳଚ୍ଚିତ୍ରର କାହାଣୀ ଓ ସଂଳାପ ବାପୁ ଗୋସ୍ୱାମୀ ଲେଖିଥିବା ବେଳେ ନୃତ୍ୟ ଓ ଚିତ୍ରନାଟ୍ୟରେ ଲୁବୁନ୍-ଟୁବୁନ୍ ଏବଂ ଲଳିତ୍ କୁମାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହାଛଡ଼ା ବାପୁ ଗୋସ୍ୱାମୀ, ଡକ୍ତର ନିର୍ମଳ ନାୟକ ଏବଂ ସୁଦୀପ୍ତ ସୁନ୍ଦର ଗୀତ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଆଶୁତୋଷ, ଅମ୍ରିତା, ଅର୍ପିତା, ଦୀପ୍ତିରେଖା ଏବଂ ଅସୀମା ପଣ୍ଡା।

ଏହି ଚଳଚ୍ଚିତ୍ରରେ ଓମ୍, ଅଙ୍କିତା ଭୋମିକ, ସମତା(ନବାଗତା), କୁନା ତ୍ରିପାଠୀ, ସମରେଶ୍ ରାଉତରାୟ, ସରୋଜ ଦାସ, ବ୍ରଜ ସିଂ, ପ୍ରଜ୍ଞା, ଗୁଡୁ, ପ୍ରିୟଙ୍କା ପଟ୍ଟନାୟକ, କାଳିଆ, ଏବଂ ସଲିଲ୍ ମିତ୍ର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହାବ୍ୟତୀତ ନବାଗତ/ନବାଗତା ଭାବେ କେ.କେ., ନିଶି, ଅଭିତୋଷ, ଶୁଭଶ୍ରୀ, ପ୍ରିୟଙ୍କା, ମନସ୍ୱିନୀ, ଶିଶୁ କଳାକାର ଭାବରେ ଭୂମି, କ୍ରିଷ୍ଣା, ସାନବୀ ଏହି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଛନ୍ତି।

ଏହି ଚଳଚ୍ଚିତ୍ରରେ ମୁଖ୍ୟତଃ ରୋମାନ୍ସ୍ ଏବଂ କମେଡିକୁ ପ୍ରାଧାନ୍ୟ ଦିଆଯାଇଛି। ଆଜିକାଲି ସମସ୍ତେ ନିଜ ନିଜ ଜୀବନକୁ ନେଇ ଖୁବ୍ ବ୍ୟସ୍ତ। ତେଣୁ ୧୦୦% ଲଭ୍ ମାଧ୍ୟମରେ ଦର୍ଶକଙ୍କ ଚିନ୍ତା କିଛି ମାତ୍ରାରେ କମ୍ ହେବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ଏବଂ ପ୍ରଯୋଜକ।

ନିର୍ଦ୍ଦେଶକ ଲୁବୁନ୍- ଟୁବୁନ୍ କହିଛନ୍ତି, “ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଏକ ନୂଆ ବିଷୟବସ୍ତୁ ଉପରେ ଆଧାରିତ। ଏଥିରେ କୌଣସି ଚଳଚ୍ଚିତ୍ରର ନକଲ କରାଯାଇନାହିଁ। ବାପୁ ଗୋସ୍ୱାମୀ ଅତି ସୁନ୍ଦର ଭାବେ ଚଳଚ୍ଚିତ୍ରର କାହାଣୀଟି ଲେଖିଛନ୍ତି।

ଏହାଛଡ଼ା କୁନା ତ୍ରିପାଠୀ କହିଛନ୍ତି, “ଆଜିକାଲି ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ କେହି ପସନ୍ଦ କରୁନାହାନ୍ତି। କାରଣ ଆଗ ଭଳି ଏବେ ଆଉ ଓଡ଼ିଆ ଚଳଚ୍ଚିତ୍ର ଭଲ ହେଉନାହିଁ।  ଯଦି ଆପଣମାନେ ଚଳଚ୍ଚିତ୍ର ଦେଖିବା ପାଇଁ ଯାଉନାହାନ୍ତି, ତେବେ ଚଳଚ୍ଚିତ୍ରଟି ଭଲ ହେଉନାହିଁ ବୋଲି କହିବାର ଅଧିକାର ଆପଣମାନଙ୍କୁ କିଏ ଦେଇଛି? ସମସ୍ତେ ସିନେମା ହଲ୍‌କୁ ଯାଇ ଏହି ଚଳଚ୍ଚିତ୍ରକୁ ଦେଖନ୍ତୁ। କେବଳ ଏଇ ଗୋଟିଏ ନୁହେଁ ସବୁ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତୁ। ଏହାପରେ ଯଦି ଖରାପ ଲାଗେ, ତେବେ ଆମମାନଙ୍କ ପାଖରେ ଏ କଥା ପହଞ୍ଚାନ୍ତୁ। ତା’ହେଲେ ଆମେ ଆମ ଭୁଲ୍‌କୁ ସୁଧାରିବାର ପ୍ରୟାସ କରିବୁ।“

ଏହାଛଡ଼ା ନିର୍ଦ୍ଦେଶକ ଲୁବୁନ୍-ଟୁବୁନ୍ ଏବଂ ପ୍ରଯୋଜକ ବୁଦ୍ଧଦେବ ସାହୁ, ବିରେନ୍ ମହାପାତ୍ର ଚଳଚ୍ଚିତ୍ରଟିକୁ ନୂଆ ବର୍ଷରେ ଦର୍ଶକଙ୍କୁ ଉପହାର ଭାବେ ଭେଟି ଦେବେ ବୋଲି ଆଶା ରଖିଛନ୍ତି। ତେବେ ଦେଖାଯାଉ ୧୦୦% ଲଭ୍ ଦର୍ଶକଙ୍କ ଭିତରେ କେତେ ପରିମାଣରେ ଲଭ୍ ଭରିପାରୁଛି ଏବଂ କେତେଦୂର ଦର୍ଶକଙ୍କ ହୃଦୟକୁ ଛୁଇଁପାରୁଛି ।

Comment