ଓଡ଼ିଶାଲାଇଭ୍ ବ୍ୟୁରୋ
ଅନିଶ୍ଚିତତାରେ ପୌର ନିର୍ବାଚନ। ୬୫ଟି ପୌର ପାଳିକା ଏବଂ ବ୍ରହ୍ମପୁର ମହାନଗର ନିଗମରେ ପୌର ପ୍ରଶାସକ ନିଯୁକ୍ତି କରିଛନ୍ତି ସରକାର।
୬୫ଟି ପୌର ପାଳିକା ଏବଂ ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଏସବୁ ଜାଗାରେ ରାଜ୍ୟ ସରକାର ଆଜି ପୌର ପ୍ରଶାସକ ନିଯୁକ୍ତ କରିଛନ୍ତି। ୩୦ ତାରିଖରୁ ପୌର ପ୍ରଶାସକମାନେ ପୌର ପାଳିକା କଥା ବୁଝିବେ। ତେବେ ପୌର ନିର୍ବାଚନ କେବେ ହେବ ସେନେଇ ଅନିଶ୍ଚିତତା ଲାଗି ରହିଛି।
ଗଞ୍ଜାମ ଜିଲ୍ଲାପାଳଙ୍କୁ ବ୍ରହ୍ମପୁର ମହାନଗର ନିଗମର ପୌର ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କୋରାପୁଟ, ଯାଜପୁର, ନୟାଗଡ଼, ପୁରୀ, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, ପାରଳାଖେମୁଣ୍ଡି, ଖୋର୍ଦ୍ଧା, ମାଲକାନଗିରି ମ୍ୟୁନସିପାଲଟିରେ ଜିଲ୍ଲାପାଳମାନଙ୍କୁ ପୌର ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର।
ଆଉ କିଛି ସ୍ଥାନରେ ଉପଜିଲ୍ଲାପାଳ ଏବଂ ଏଡିଏମ୍ଙ୍କୁ ପୌର ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ନିର୍ବାଚିତ ପ୍ରତିନିଧିମାନେ ଦାୟିତ୍ୱ ନେବା ଯାଏଁ ଏମାନେ ପୌର ପାଳିକା କଥା ବୁଝିବେ।
୨୯ ତାରିଖରେ ପୌର ପାଳିକାକୁ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେଉଥିବା ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ନିର୍ବାଚନ ଅଧିକାରୀଙ୍କୁ ଚିଠି କରିଥିଲେ। ଏହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେମାନେ ୩୦ ତାରିଖ ପରଠୁ ଆଉ ପୌର ପାଳିକାର ଦାୟିତ୍ୱ ବୁଝି ପାରିବେନି।
ଏପଟେ ୱାର୍ଡ ସଂରକ୍ଷଣ ଏବଂ ପୁନର୍ଗଠନକୁ ନେଇ ବିଳମ୍ବ ହେଉଥିବାରୁ ଏବଂ ସୁପ୍ରିମକୋର୍ଟରେ ମାମଲା ଥିବାରୁ ପୌର ନିର୍ବାଚନ ରାଜ୍ୟରେ ହୋଇପାରିନି। କେବେ ନିର୍ବାଚନ ହେବ ସେ ସମ୍ପର୍କରେ ସରକାର ଏଯାଏଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ କରିବା ପାଇଁ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ହେଲେ ସୁପ୍ରିମକୋର୍ଟ ଶୁକ୍ରବାର ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଝଟକା ଦେଇଛନ୍ତି। ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ କହି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।








ଅନିଶ୍ଚିତତାରେ ପୌର ନିର୍ବାଚନ। ୬୫ଟି ପୌର ପାଳିକା ଏବଂ ବ୍ରହ୍ମପୁର ମହାନଗର ନିଗମରେ ପୌର ପ୍ରଶାସକ ନିଯୁକ୍ତି କରିଛନ୍ତି ସରକାର।









