ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସିଥିବା ସିପିଏମ୍ ନେତା ସୀତାରାମ ୟେଚୁରୀ କଂଗ୍ରେସ, ବିଜେପି, ବିଜେଡିକୁ ଟାର୍ଗେଟ କରିଛନ୍ତି।

“ଓଡ଼ିଶାରେ କଂଗ୍ରେସ ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ। ୨୦୧୯ ନିର୍ବାଚନରେ ଭୁବନେଶ୍ୱର ବିଧାନସଭା ଆସନରୁ ସିପିଏମ୍ ପ୍ରାର୍ଥୀ ଦେବ। ଲୋକଙ୍କ ସହ ଯୋଡ଼ି ହୋଇ ରହୁଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ”, କହିଛନ୍ତି ସୀତାରାମ ୟେଚୁରୀ।

ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଆଜି ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ୨୦୧୯ ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମରେ ମନ୍ତବ୍ୟ ରଖିଥିଲେ।

କଂଗ୍ରେସ ସହ ସିପିଏମ୍ ମେଣ୍ଟ କରିବ ନାହିଁ ବୋଲି ୟେଚୁରୀ କହିବା ପରେ ପ୍ରସ୍ତାବିତ ମହାମେଣ୍ଟକୁ ଝଟକା ଲାଗିଛି।

୨୦୧୯ରେ ବିଜେପିର ବିଜୟ ରଥକୁ ରୋକିବା ପାଇଁ କଂଗ୍ରେସ ବିଭିନ୍ନ ଅଞ୍ଚଳିକ ଦଳ ସହ ମିଶି ମହାମେଣ୍ଟ କରିବାକୁ ଯୋଜନା କରିଥିଲା। ଏହି ମହାମେଣ୍ଟରେ ବାମପନ୍ଥୀ ଦଳ ସାମିଲ ହୋଇ ପାରନ୍ତି ବୋଲି ପୂର୍ବାନୁମାନ କରାଯାଉଥିଲା। କିନ୍ତୁ ୟେଚୁରୀ ଆଜି ଏହି ଅନୁମାନରେ ପୂର୍ଣ୍ଣଛେଦ ପକାଇଛନ୍ତି।

ସେ କହିଛନ୍ତି, “କଂଗ୍ରେସ ସହ ଆମର ମେଣ୍ଟ କରିବାର ନାହିଁ। ଏହାସହ ବିଜେପି ଏବଂ ବିଜେଡିକୁ ମଧ୍ୟ ଆମେ ବିରୋଧ କରୁଛୁ।”

କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରି ୟେଚୁରୀ କହିଛନ୍ତି ଯେ ଗତ ତିନି ବର୍ଷ ଭିତରେ ଦେଶର ଆର୍ଥନୀତି ଭୁଶୁଡ଼ି ପଡ଼ିଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ବଢ଼ୁଥିବାରୁ ଲୋକମାନେ ଚିନ୍ତାରେ ପଡ଼ିଛନ୍ତି। ବିଜେପି ଶାସନ ଅମଳରେ କୃଷକମାନେ ଅବହେଳିତ ହୋଇ ରହିଛନ୍ତି। ସେମାନଙ୍କୁ ଉଚିତ୍ ମୂଲ୍ୟ ମିଳୁନି। ଫଳରେ ସାରା ଦେଶରେ ଚାଷୀମାନେ ବିକ୍ଷୋଭ ଓ ପ୍ରତିବାଦ କରୁଥିଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନି।

କେବଳ ବିଜେପି ନୁହେଁ, ବିଜେଡି ସରକାରକୁ ବି ସମାଲୋଚନା କରିଛନ୍ତି ୟେଚୁରୀ। ତିତ୍‌ଲି ମୁକାବିଲାରେ ରାଜ୍ୟ ସରକାର ଫେଲ୍ ବୋଲି କହିଛନ୍ତି ଏହି ସିପିଏମ୍ ନେତା।

“କେରଳ ପରି ଭୟଙ୍କର କ୍ଷତି ହୋଇନି ଓଡ଼ିଶାରେ। ଯେତିକି ବି କ୍ଷତି ହୋଇଛି ତାହାକୁ ରାଜ୍ୟ ସରକାର ଠିକ୍ ଭାବେ ପରିଚାଳନା କରିପାରୁ ନାହାନ୍ତି। ରାଜ୍ୟ ସରକାର ଯଦି ଠିକ୍ ଭାବେ ପଦକ୍ଷେପ ନେଇଥାନ୍ତେ ତାହାଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା”, କହିଛନ୍ତି ସୀତାରାମ ୟେଚୁରୀ।

LEAVE A REPLY

Please enter your comment!
Please enter your name here