ଓଡ଼ିଶାଲାଇଭ୍‌  ବ୍ୟୁରୋ

କେନ୍ଦ୍ରାପଡ଼ା: ରାଜନଗର ନିର୍ବାଚନମଣ୍ଡଳୀର ବିଜେଡିର ୧୦ ତୁଙ୍ଗ ନେତାଙ୍କୁ ରାଜନଗର ବିଧାୟକଙ୍କ ଓକିଲ ନୋଟିସ୍। ଘନେଇଲା କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ନାମରେ କରାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ମାର୍କଫେଡ ଧାନ କିଣା ଦୁର୍ନୀତିର ଅଭିଯୋଗ। ନିକଟରେ ସିଏଜି ରିପୋର୍ଟ ଧ୍ରୁବ ସାହୁଙ୍କୁ ଏହି ଅଭିଯୋଗରେ କ୍ଲିନ ଚିଟ ଦେଇଥିବା ବେଳେ ବିଧାନସଭାରେ କରାଯାଇଥିବା ଏହି ଅଭିଯୋଗକୁ ଆଧାର କରି ଭିଜଲାନ୍ସ ତଦନ୍ତ ଶେଷ ହୋଇନନାହିଁ। କିନ୍ତୁ ସିଏଜି ରିପୋର୍ଟରେ ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମ୍ପର୍କୀୟମାନେ ଧାନକିଣା ଦୁର୍ନୀତିରେ ସମ୍ପୃକ୍ତି ଥିବା ଦର୍ଶାଇ ଏକ ପ୍ରେସ ରିଲିଜ ଜାରି କରି ଏହି ୧୦ ଜଣ ବିଜେଡି ନେତାମାନେ ଗଣ ମାଧ୍ୟମରେ ଯେଉଁ ଖବର ପ୍ରକାଶିତ କରିଛନ୍ତି ତାହାକୁ ପ୍ରାମାଣିତ କରିବାକୁ ବିଧାୟକ ଆହ୍ୱାନ କରିଛନ୍ତି।

୨୦୧୫-୧୬ ମସିହାରେ ରାଜନଗର ବ୍ଲକରୁ ସରକାରୀ ଦରରେ ଧାନ କିଣିବାକୁ ସରକାର ମାର୍କଫେଡକୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ମାର୍କଫେଡ ଅଳ୍ପ କିଛି ଚାଷୀମାନଙ୍କ ଠାରୁ ଧାନ କିଣି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ଦସ୍ତଖତ ଥିବା ଚିଠା ଅନୁସାରେ କାଗଜ  କଲମରେ ଧାନ କିଣି ଲକ୍ଷଲକ୍ଷ ଟଙ୍କା ଲୁଟି ନେଇଥିଲେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ରାଜନଗର ବିଧାୟକ ବିଧାନସଭାରେ ଆଗତ କରିଥିଲେ।

ବିଧାନସଭାରେ ଏହି ଅଭିଯୋଗ ଆଗତ ହେବା ପରେ ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ମଧ୍ୟ ଏହି ଦୁର୍ନୀତି ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଜବତ କରିଛି। ଯେଉଁଥିରେ କେନ୍ଦ୍ରାପଡ଼ା ବିଜେଡି ସଭାପତି ଧ୍ରୁବ ସାହୁଙ୍କର ଦସ୍ତଖତ ରହିଛି। ଏହି ଘଟଣାରେ ତଦନ୍ତ ରିପୋର୍ଟ ଏଯାଏଁ ଭିଜଲାନ୍ସ ଦେଇ ନାହାନ୍ତି କି ବିଧାନସଭାର ବିଧି ବ୍ୟବସ୍ଥା ଅନୁସାରେ ଭିଜଲାନ୍ସର ତଦନ୍ତ ରିପୋର୍ଟ ବିଧାନସଭାରେ ଆଗତ ହୋଇନାହିଁ। ଇତି ମଧ୍ୟରେ ମାର୍କଫେଡର ଏହି ଧାନ କିଣା ଦୁର୍ନୀତି ଉପରେ  ସିଏଜି ରିପୋର୍ଟ ପ୍ରକାଶ ପାଇଛି। କେନ୍ଦ୍ରପଡ଼ା ବିଜେଡି ସଭାପତି ଧ୍ରୁବ ସାହୁଙ୍କର ଏହି ଦୁର୍ନୀତିରେ ସଂପୃକ୍ତି ନଥିବା ସିଏଜି ଦର୍ଶାଇଛନ୍ତି। ସିଏଜିଙ୍କର ଏହି ରିପୋର୍ଟ ଆଧାରରେ ବିଜୁ ଜନତାଦଳ ଉତ୍ସାହିତ ହୋଇପଡ଼ିଛି।

ଅନ୍ୟପକ୍ଷରେ ଏହି ଧାନ କିଣା ଦୁର୍ନୀତିରେ ରାଜନଗର ବିଧାୟକଙ୍କ ଦାଦା, ଖୁଡ଼ି ଓ କେତେକ ସମ୍ପର୍କିୟଙ୍କ ନାମରେ ମାର୍କଫେଡର ଧାନକିଣାରେ ଲକ୍ଷଲକ୍ଷ ଟଙ୍କା ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ବିଜେଡି।

ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡିର ୧୦ ଜଣ ଛାମୁଆ ନେତା ଏକ ପ୍ରେସ ରିଲିଜ ଜାରି କରି ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରୟ ନକରିପାରି କ୍ଷତି ସହିଥିଲେ। ଏହା କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ଏହାର ଜବାବରେ ଆଜି ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଏହି ଅମୁଳକ ଖବରର ପ୍ରତିବାଦ କରିବା ସହିତ ମାର୍କଫେଡ ଧାନକିଣା ଦୁର୍ନୀତିରେ ତାଙ୍କର କିମ୍ବା ତାଙ୍କର କେହି ସମ୍ପର୍କୀୟଙ୍କର ସମ୍ପୃକ୍ତି ନଥିବା କଥା ସ୍ପଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜେଡି ଯେଉଁମାନଙ୍କ ନାମକୁ ତାଙ୍କ ସମ୍ପର୍କିୟ ଭାବରେ ଯୋଡ଼ିଛି ତାହାକୁ ସେମାନେ ପ୍ରମାଣ କରନ୍ତୁ। ଏହି ମିଥ୍ୟା କପୋଳକଳ୍ପିତ ଖବର ପ୍ରକାଶ ପାଇବା ଦ୍ୱାରା ତାଙ୍କର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି  ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଗୁରୁତର ଭାବରେ ଗ୍ରହଣ କରି ଅଂଶୁମାନ ତାଙ୍କର ଓକିଲ ସରୋଜରାଜ ସିଂହଙ୍କ ଜରିଆରେ ଏହି ୧୦ ଜଣ ବିଜେଡି ନେତାମାନଙ୍କ ନାମରେ ୧ କୋଟି ଟଙ୍କାର ମାନହାନି ନୋଟିସ ଜାରି କରିଛନ୍ତି। ଜଦି ଏହି ୧୦ ଜଣ ବିଜେଡି ନେତା ନିସର୍ତ୍ତ କ୍ଷମା ନମାଗନ୍ତି ତାଙ୍କ ନାମରେ ଏକ କୋଟି ଟଙ୍କାର ମାନହାନି ମାମଲା କରିବେ ବୋଲି ଓକିଲ ତାଙ୍କ ମହକିଲ ଅଂଶୁମାନଙ୍କ ପକ୍ଷରୁ କହିଛନ୍ତି।

ଅଂଶୁମାନଙ୍କ ଓକିଲଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିବା  ଏହି ୧୦ ଜଣ ବିଜେଡି ନେତାମାନେ ହେଲେ – ରାଜନଗର ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର କୁମାର ସାହୁ, ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ଭୋଳାନାଥ ପାଢ଼ି, ରାଜନଗର ବ୍ଲକ ଅଧ୍ୟକ୍ଷ ଜୟରାମ ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ବେହେରା, ପୂର୍ବତନ ରାଜନଗର ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ରାଉତ, ପୂର୍ବତନ ରାଜନଗର ବ୍ଲକ ଅଧ୍ୟକ୍ଷା ଲତିକା ସାହୁ, ପୂର୍ବତନ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷା ବୈଜୟନ୍ତୀବାଳା ଲେଙ୍କା, ରାଜନଗର ବ୍ଲକ ବିଜେଡି ସଭାପତି ପାରେଶ୍ୱର ନାୟକ ଓ ପଟ୍ଟାମୁଣ୍ଡାଇ ନଗର ଯୁବ ବିଜେଡି ସଭାପତି ମିଟୁ ମନୋଜ ନାୟକ।

LEAVE A REPLY

Please enter your comment!
Please enter your name here