ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ମହାପ୍ରଭୁଙ୍କ ରାଇ ଦାମୋଦର ବେଶ। ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ଭିଡ଼।
ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ ମାସ। ବିଶ୍ୱାସ ରହିଛି ଏହି ମାସରେ ହବିଷ କଲେ ପୂଣ୍ୟ ମିଳିଥାଏ। କୁମାର ପୂର୍ଣ୍ଣିମା ପରଦିନ ଏହି ବ୍ରତ ଆରମ୍ଭ ହୁଏ। ଏହି କାର୍ତ୍ତିକ ବ୍ରତରେ ସକାଳୁ ଚଉରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର କରି ପୂଜା ଆରମ୍ଭ କରନ୍ତି ହବିଷ୍ୟାଳିମାନେ।
ଗୁରୁବାର ଶ୍ରୀକ୍ଷେତ୍ରରେ ହବିଷ୍ୟାଳିମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜିଠାରୁ ମହାପ୍ରଭୁଙ୍କ ରାଇ ଦାମୋଦର ବେଶ ଆରମ୍ଭ ହୋଇଛି।

ଗୁରୁବାର ହବିଷ୍ୟାଳିମାନେ ଭୋର ୪ରୁ ଉଠି ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବେ। ତାହାପରେ ଦେହରେ ଚନ୍ଦନ ଲଗାଇ ଭାଗବତ ପାଠ କରିବେ। ଏହା ପରେ ତୁଳସୀ ଚଉରା ମୂଳେ ମୁରୁଜ ପକାଇବେ। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ ଆଦି ଚିତ୍ର କରିବେ। ଏହାପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ସେବନ କରିବେ।

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରହିବାଠାରୁ ଆରମ୍ଭକରି ମହାପ୍ରସାଦ ସେବନ ପାଇଁ ଏବଂ ବିଭିନ୍ନ ପୂଜା ଉପକରଣର ବ୍ୟବସ୍ଥା କରାଯାଇଛି।

















