ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶା ମୁହାଁ ହେଉଛନ୍ତି ମାଓବାଦୀ
  • ଦେବ୍ରିଗଡ଼ ଜଙ୍ଗଲରେ ମାଓବାଦୀଙ୍କ ଠୁଳ
  • ମାଓବାଦୀଙ୍କ ପାଇଁ ଓଡ଼ିଶା ନିରାପଦ ସ୍ଥାନ

ଛତିଶଗଡ଼ରୁ ଓଡ଼ିଶା ଭିତରକୁ ଗଳି ପଶି ଆସୁଛନ୍ତି ମାଓବାଦୀ। ଜଙ୍ଗଲ ରାସ୍ତା ସବୁ ଖୋଲିଯିବା ପରେ ବହୁଳ ସଂଖ୍ୟାରେ ମାଓବାଦୀମାନେ ଓଡ଼ିଶାର ଜଙ୍ଗଲ ଭିତରେ ଛପି ରହିଥିବା ଚାଞ୍ଚଲ୍ୟକର ଖବର ଆସୁଛି। ଏପରିକି ଇକୋ-ଟୁରିଜମ ପାଇଁ ଜଣାଶୁଣା ଦେବ୍ରିଗଡ଼ ଜଙ୍ଗଲରେ ମଧ୍ୟ ମାଓବାଦୀ ଠୁଳ ହେବାରେ ଲାଗିଛନ୍ତି। ଦେବ୍ରିଗଡ଼ ଏଭଳି ଏକ ଇଲାକା ଯେଉଁଠି ଘଞ୍ଚ ଅରଣ୍ୟ ରହିବା ସହ ଜୈବ ବିବିଧତା ଓ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧି ଅର୍ଜନ କରିଛି। ହେଲେ ଏହି ଅଞ୍ଚଳରେ ହିଁ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।

ଖବର ମିଳିଛି ଯେ, ଛତିଶଗଡ଼ ଜଙ୍ଗଲରେ ରହୁଥିବା ମାଓବାଦୀମାନେ ଚାଲି ଚାଲି ମାଇଲ ମାଇଲ ରାସ୍ତା ଦେଇ ଆସିବା ପରେ ଓଡ଼ିଶାର ଜଙ୍ଗଲ ଭିତରେ ଲୁଚିବା ଆରମ୍ଭ କରିଛନ୍ତି। ଉତ୍ତରାଞ୍ଚଳ ପୋଲିସ ରେଞ୍ଜ ପକ୍ଷରୁ ଅବଶ୍ୟ ଏହା ଉପରେ ନଜର ରଖାଯାଇଛି। ତେବେ ଆଗାମୀ ଦିନରେ ଏହା ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।

ମାଓବାଦୀମାନେ ଆଖପାଖ ଅନ୍ୟ ଜଙ୍ଗଲ ଭିତରେ ରହିବା ସହିତ ନିଜର ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରୁଛନ୍ତି। ସଂଗଠିତ ହେବା ପରେ ଯେତେବେଳେ ପରିସ୍ଥିତି ସୁବିଧାଜନକ ହେବ ପୁଣି ଛତିଶଗଡ଼ ଜଙ୍ଗଲ ମଧ୍ୟକୁ ଫେରିଯାଇ ପାରନ୍ତି ବୋଲି ଆକଳନ କରାଯାଇଛି।

ସିଆରପିଏଫ ପାଖରେ ପହଞ୍ଚିଥିବା ଖବର ଅନୁଯାୟୀ, ଛତିଶଗଡ଼ ସରକାରଙ୍କ ପକ୍ଷରୁ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ସେମାନେ ଓଡ଼ିଶା ମୁହାଁ ହେବାରେ ଲାଗିଛନ୍ତି। ସିଆରପିଏଫ ଯବାନମାନଙ୍କୁ କ୍ରମାଗତ ଭାବେ ହତ୍ୟା କରିବା ପରେ ମାଓବାଦୀଙ୍କ ବିରୋଧରେ ରମଣ ସିଂହ ସରକାରଙ୍କ ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ ହୋଇଥିଲା ବେଳେ ଅନ୍ୟ ଉପାୟ ନପାଇ ମାଓବାଦୀ ଓଡ଼ିଶାକୁ ନିରାପଦ ସ୍ଥାନ ବୋଲି ଧରି ନେଇଛନ୍ତି।

ଏଣେ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖା ଯାଇଥିଲେ ହେଁ ଏ ଦିଗରେ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ଆଣିଛନ୍ତି ସରକାର। ସୀମାନ୍ତ ଅଞ୍ଚଳରେ ପହରାରେ ଅବସ୍ଥା ଗୁରୁତର ହୋଇଥିବା ଦର୍ଶାଇ ଆଉ ଦୁଇଟି ବାଟାଲିୟନ କେନ୍ଦ୍ର ସଶସ୍ତ୍ର ବଳ ଯୋଗାଇବା ପାଇଁ ଅନେକ ଦିନରୁ ଚିଠି ଲେଖା ଯାଇଥିବା କଥା କହିଛନ୍ତି ଜଣେ ଅଧିକାରୀ।

ମାଓବାଦୀ ପ୍ରବଣ ଅଞ୍ଚଳରେ କେନ୍ଦ୍ର ସରକାର ସୁରକ୍ଷା କର୍ମଚାରୀଙ୍କ ନିୟୋଜନ କ୍ଷେତ୍ରରେ ମଧ୍ୟ ଭେଦଭାବ ପ୍ରଦର୍ଶନ କରାଯାଉଛି ବୋଲି କହିଛନ୍ତି ଜଣେ ଅଧିକାରୀ। ଛତିଶଗଡ଼ରେ ୬୫ ବାଟାଲିୟନ ସେଣ୍ଟ୍ରାଲ ଫୋର୍ସ ଥିବାବେଳେ ଓଡ଼ିଶାରେ ମାତ୍ର ୧୬ଟି ବାଟାଲିୟନ ନିୟୋଜିତ ଅଛନ୍ତି। ରାଜ୍ୟ ଗୁଇନ୍ଦା ବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଓଡ଼ିଶାରେ ଯେତେ ସବୁ ମାଓବାଦୀ କାର୍ଯ୍ୟକଳାପ ଚାଲିଛି ତାହା ଝାଡ଼ଖଣ୍ଡ ଅଥବା ଛତିଶଗଡ଼ର ମାଓବାଦୀଙ୍କ ଦ୍ୱାରା କରାଯାଉଛି।

“ଓଡ଼ିଶାରେ ଯୁବକମାନେ ଏବେ ଆଉ ମାଓବାଦୀଙ୍କ ପାଲରେ ପଡ଼ୁ ନ ଥିବାରୁ ଛତିଶଗଡ଼ର ଯୁବକ, ଯୁବତୀମାନଙ୍କୁ ମାଓ କ୍ୟାଡ଼ର ହିସାବରେ ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି”, ଜଣେ ପୋଲିସ ଅଧିକାରୀ। ଏପରିକି ଆଗରୁ ଓଡ଼ିଶାର ଯେଉଁମାନେ ମାଓ ସମର୍ଥକ ହୋଇ ତାଙ୍କ ସହିତ ହାତ ମିଳାଇଥିଲେ ସେମାନେ ଆଉ ଜଙ୍ଗଲ ଭିତରକୁ ଯାଉ ନାହାନ୍ତି।

ଓଡ଼ିଶାକୁ ଲାଗି ସୀମାନ୍ତ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଆଉ ଦୁଇଟି ସିଆରପିଏଫ ବାଟାଲିୟନ ଯୋଗାଇ ଦେବାକୁ ଦାବି ହେଉଛି। ଗୃହ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି ଦୋହରାଇଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରକାର ପଦକ୍ଷେପ ନିଆ ଯାଇନଥିବା ଖବର ମିଳିଛି।

Comment