ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଫିରୋଜ ଖାନ୍ ନିଜ ବିବାହର ୨୦ ବର୍ଷ ପରେ ତାଙ୍କ ପତ୍ନୀ ସୁନ୍ଦରୀଙ୍କୁ ଛାଡ଼ପତ୍ର ଦେଇଥିଲେ।
ରଙ୍ଗିନ ମିଜାଜର ଫିରୋଜ ଖାନ୍ ବାହା ହୋଇଥିଲେ ସୁନ୍ଦରୀଙ୍କୁ, ଯିଏ କି ଆଗରୁ ବିବାହିତ ଥିଲେ। ଏଣେ ବାହାଘରର ୨୦ ବର୍ଷ ପରେ ଅନ୍ୟ ଜଣେ ଯୁବତୀଙ୍କ ପାଇଁ ସୁନ୍ଦରୀଙ୍କୁ ଛାଡ଼ିଥିଲେ ସେ। ଷାଠିଏ, ସତୁରି ଓ ଅଶି ଦଶକର ଜଣେ ଷ୍ଟାଇଲ୍ ଆଇକନ୍ ଥିଲେ ଫିରୋଜ୍ ଖାନ୍। ସେ ଏକାଧାରରେ ଜଣେ ନିର୍ମାତା-ନିର୍ଦ୍ଦେଶକ ଓ ଅଭିନେତା। ଫିରୋଜ ଖାନ୍ ପାଖାପାଖି ୫୧ଟି ସିନେମାରେ ଅଭିନୟ କରିଥିଲେ। ଏଥିମଧ୍ୟରୁ ସବୁଠାରୁ ଅଧିକ ସ୍ମରଣୀୟ ଫିଲ୍ମ ମଧ୍ୟରେ ରହିଛି ସଫର, ମେଲା, ଉପାସନା, ଅପରାଧ, ଖୋଟେ ସିକେ, କାଲା ସୋନା, ଧର୍ମାତ୍ମା, କୁର୍ବାନି, ଜାନ୍ବାଜ୍, ଦୟାବାନ୍, ଜାଁନଶିନ୍ ଏବଂ ‘ୱେଲକମ୍’।
୧୯୩୯ ମସିହା ସେପ୍ଟେମ୍ବର ୨୫ ତାରିଖରେ ଫିରୋଜ ଖାନ୍ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୨ରେ ମୁକ୍ତିଲାଭ କରିଥିବା ଇଂରାଜୀ ଫିଲ୍ମ ‘ଟାର୍ଜନ୍ ଗୋଜ୍ ଟୁ ଇଣ୍ଡିଆ’ରେ ପ୍ରଥମେ ଅଭିନୟ କରିଥିଲେ। ତେବେ ପୁଣି ମଜୁମଦାରଙ୍କ ନିର୍ଦ୍ଦେଶିତ ‘ଉଚ୍ଚେ ଲୋଗ୍’ (୧୯୬୫) ଥିଲା ଫିରୋଜ ଖାନଙ୍କର ଅଭିନୀତ ପ୍ରଥମ ସୁପରହିଟ୍ ସିନେମା।

ଅଭିନେତାରୁ ନିର୍ମାତା ଓ ନିର୍ଦ୍ଦେଶକ ବନିଥିଲେ ଫିରୋଜ ଖାନ୍। ସେ ୧୯୭୫ରେ ‘ଧର୍ମାତ୍ମା’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିବା ସହିତ ଏଥିରେ ଅଭିନୟ କରିଥିଲେ ଓ ନିର୍ଦ୍ଦେଶନା ବି ଦେଇଥିଲେ। ଏହା ବ୍ଲକବଷ୍ଟର ହିଟର ମାନ୍ୟତା ପାଇଥିଲା। ଏହା ପରେ ଫିରୋଜ ଖାନ୍ କୁର୍ବାନୀ, ଜାନ୍ବାଜ୍, ଦୟାବାନ୍, ୟଲଗର୍, ଜାଁନଶିନ୍ ଓ ପ୍ରେମ ଅଚନ୍ ଆଦି ହିନ୍ଦୀ ସିନେମାର ନିର୍ମାଣ ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ।
ଫିରୋଜ୍ ଖାନ୍ ତାଙ୍କ ପୁଅ ଫରଦୀନ୍ ଖାନଙ୍କୁ ବଲିଉଡରେ ହିରୋ ଭାବେ ଲଞ୍ଚ୍ କରିଥିଲେ। ଫରଦୀନଙ୍କ ପ୍ରଥମ ଫିଲ୍ମ ହେଲା ‘ପ୍ରେମ ଅଗନ୍’। ଫରଦୀନ କିନ୍ତୁ ବିଶେଷ ସଫଳତା ହାସଲ କରିନଥିଲେ। ବିବାହ ପୂର୍ବରୁ ଅଭିନେତା ଫିରୋଜ ଖାନ୍ ଖୁବ୍ ରଙ୍ଗିନ ମିଜାଜର ଥିଲେ। ଲେଟ୍ ନାଇଟ୍ ପାର୍ଟିର ଖୁବ୍ ସଉକ ଥିଲା ତାଙ୍କର। କୁହାଯାଏ ଯେ, ସେ ବିଭିନ୍ନ ଯୁବତୀଙ୍କ ସହ ଏହି ସମୟରେ ପ୍ରେମ ସମ୍ପର୍କ ରଖିଥିଲେ।
ଏକ ପାର୍ଟିରେ ଜଣେ ଯୁବତୀଙ୍କ ସହିତ ଫିରୋଜ ଖାନଙ୍କର ସାକ୍ଷାତ ହୋଇଥିଲା। ତାଙ୍କର ନାଆଁ ହେଲା ସୁନ୍ଦରୀ। ସୁନ୍ଦରୀଙ୍କୁ ପ୍ରଥମ ଦେଖାରେ ନିଜର ମନ ଦେଇଥିଲେ ଫିରୋଜ ଖାନ୍। ହେଲେ ତାଙ୍କୁ ଜଣାନଥିଲା ଯେ ସୁନ୍ଦରୀ ବିବାହିତା ଓ ତାଙ୍କର ଏକ କନ୍ୟା ବି ଥିଲା। ଏହା ପରେ ୧୯୬୫ରେ ସୁନ୍ଦରୀଙ୍କୁ ବାହା ହୋଇଥିଲେ ଫିରୋଜ ଖାନ୍।

ଫିରୋଜ ଖାନ୍ ଓ ସୁନ୍ଦରୀଙ୍କର ଦୁଇ ସନ୍ତାନ ଜନ୍ମ ହୋଇଥିଲେ। ୧୯୭୦ ଝିଅ ଲୈଲା ଓ ୧୯୭୪ରେ ପୁଅ ଫରଦୀନ ଖାନ୍ ଜନ୍ମ ହୋଇଥିଲେ। ବିବାହର କିଛି ବର୍ଷ ପରେ ଫିରୋଜଙ୍କ ପତ୍ନୀ ସୁନ୍ଦରୀ ଜାଣିବାକୁ ପାଇଲେ ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କୁ ଡେଟ୍ କରୁଛନ୍ତି। ସେହି ଯୁବତୀ ଜଣକ ହେଲେ ପ୍ରସିଦ୍ଧ ଧନରାଜଗିର ପରିବାରର କନ୍ୟା ଜ୍ୟୋତିକା ଧନରାଜଗିର। ଜ୍ୟୋତିକା ଥିଲେ ଏୟାର ହୋଷ୍ଟେସ ଓ ତାଙ୍କ ପିତା ମହାରାଜ ମହେନ୍ଦ୍ରଗିର ଧନରାଜଗିର। ଏକଥା ଜାଣିବା ପରେ ସୁନ୍ଦରୀ ଫିରୋଜ ଖାନଙ୍କୁ ବୁଝାଇଥିଲେ କି ଜ୍ୟୋତିକାଙ୍କ ସହ ସମ୍ପର୍କ ଛିନ୍ନ କରିବା ପାଇଁ, କିନ୍ତୁ ଫିରୋଜ ଜ୍ୟୋତିକା ପ୍ରେମରେ ଏଭଳି ମସଗୁଲ ଥିଲେ ଯେ ସେ ତାଙ୍କ ସହ ସମ୍ପର୍କ ଛିନ୍ନ କରିବା କଥା ଭାବି ମଧ୍ୟ ପାରିନଥିଲେ। ଏହା ପରେ ସୁନ୍ଦରୀ ବାଧ୍ୟ ହୋଇ ସ୍ୱାମୀଙ୍କଠାରୁ ଅଲଗା ରହିଥିଲେ। ତା’ପରେ ଫିରୋଜ ଖାନ୍ ବେଙ୍ଗାଲୁରୁରେ ଜ୍ୟୋତିକା ସହିତ ଲିଭ ଇନ୍ରେ ରହିବାକୁ ଲାଗିଲେ। ଜ୍ୟୋତିକା ଓ ଫିରୋଜ ପ୍ରାୟ ୧୦ ବର୍ଷ ଯାଏଁ ରିଲେସନ୍ରେ ରହିଲେ। ଯେତେବେଳେ ଜ୍ୟୋତିକା ଫିରୋଜକୁ ବାହା ହେବା ପାଇଁ ଜିଦ୍ ଧରିଲେ ସେତେବେଳେ ଫିରୋଜ ରାଜି ହେଲେନି। ଏହା ପରେ ଜ୍ୟୋତିକା ଲଣ୍ଡନ ସିଫ୍ଟ ହୋଇଗଲେ।
ଅନ୍ୟପକ୍ଷରେ ୧୯୮୫ରେ, ବିବାହର ୨୦ ବର୍ଷ ପରେ ଫିରୋଜ ଖାନ ଓ ସୁନ୍ଦରୀଙ୍କର ବିବାହ ବିଛେଦ ହୋଇଥିଲା।








