ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ତିନି ତିନି ଥର ଆକ୍ରମଣକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି।
ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ମାଡ଼। ଲଗାତାର ତିନି ତିନୋଟି ସ୍ଥାନରେ ଖାରବେଳଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିରୋଧୀ ଦଳ ଶାସକ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ଖାରବେଳ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଉତ୍କଳ ଭାରତ ଭଳି ଆଞ୍ଚଳିକ ଦଳର ସଭାପତିଙ୍କୁ କାହିଁକି ବାରମ୍ବାର ଆକ୍ରମଣ କରାଯାଉଛି? ପୋଲିସ ଗୋଟିଏ ଆଞ୍ଚଳିକ ଦଳର ଜନସଭାକୁ ସୁରକ୍ଷା ଦେବାରେ କାହିଁକି ବିଫଳ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଳିରୁ କାଶୀପୁର
୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ‘ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା’ ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ୨୪ ତାରିଖରେ କେନ୍ଦ୍ରାପଡ଼ାର ଆଳିରୁ ଖାରବେଳ ଏହି ଯାତ୍ରା ଆରମ୍ଭ କରିଥିଲେ। ନିଜ ସମର୍ଥକଙ୍କୁ ନେଇ ଖାରବେଳ ଆଳିରେ ଯେତେବେଳେ ସଭା କରିଥିଲେ ସେତେବେଳେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।
ସଭାସ୍ଥଳରେ ଖାରବେଳଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ମାଇକ ଫିଙ୍ଗିଦେବା ଭଳି ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖାରବେଳ ଆଳି ଥାନା ଏବଂ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଭେଟି ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରିଥିଲା। କିନ୍ତୁ ପୋଲିସ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଦ୍ୱିତୀୟବାର ଖାରବେଳଙ୍କ ଉପରେ ଆକ୍ରମଣ ହୋଇଥିଲା।
ନଭେମ୍ବର ୧ରେ ଖାରବେଳ ଯାଇଥିଲେ ବାଲେଶ୍ୱର ଜିଲ୍ଲାର ଖଇରା। ଡୁଙ୍ଗୁରା ଗାଁରେ ସଭା କରିବା ବେଳେ ଖାରବେଳଙ୍କ ଉପରେ ଆକ୍ରମଣ ହୋଇଥିଲା। ଏନେଇ ଖାରବେଳ ଥାନାରେ ଅଭିଯୋଗ କରିବା ପରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସେମାନେ ହେଲେ ଡୁଙ୍ଗୁରା ପଞ୍ଚାୟତ ସମିତି ସଭ୍ୟ ପ୍ରକାଶ କୁମାର ଲେଙ୍କା ଏବଂ ୱାର୍ଡ ସଭ୍ୟଙ୍କ ପୁଅ ମନୋରଞ୍ଜନ କୁଅଁର।
ଏହି ଦୁଇଟି ଘଟଣା ପରେ ଖାରବେଳ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ସୁରକ୍ଷା ଲୋଡ଼ିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଖାରବେଳଙ୍କ ଉପରେ ତୃତୀୟ ଥର ଆକ୍ରମଣ ହୋଇଛି।
ଗତ ୨୪ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁରରେ ଖାରବେଳ ସଭା କରୁଥିବା ବେଳେ ଅଚାନକ ଜଣେ ଯୁବକ ଆସି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ କାହିଁକି ସଭା କରୁଛ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଉତ୍କ୍ଷୀପ୍ତ ହୋଇ ଖାରବେଳଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ମୋବାଇଲ କ୍ୟାମେରାରେ କଏଦ ହେବା ପରେ ଏହାକୁ ଖାରବେଳ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଦେଖିବା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବିରୋଧୀ ଶାସକ ଦଳକୁ ଘେରିଛନ୍ତି।
ପୋଲିସର ନିଦ ଭାଙ୍ଗିଲା
ତିନୋଟି ସ୍ଥାନରେ ଖାରବେଳଙ୍କ ଉପରେ ଆକ୍ରମଣ ହେବା ପରେ ପୋଲିସର ନିଦ ଭାଙ୍ଗିଛି। ଆଳି, ଖଇରା ଏବଂ କାଶୀପୁର ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏପଟେ କାଶୀପୁର ଆକ୍ରମଣ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସୁମନ୍ତ ନାୟକଙ୍କୁ ଦୁଇ ଦିନ ତଳେ ପୋଲିସ ଗିରଫ କରି ପଚରା ଉଚରା କରୁଥିବା ବେଳେ ସୋମବାର ପି ଗୋବିନ୍ଦ ରାଓଙ୍କୁ ପୋଲିସ ଗିରଫ କରିଛି। ଏହାସହ ଆଗାମୀ ଦିନରେ ଖାରବେଳ ଯେଉଁଠି ସଭା କରିବେ ସେଠାରେ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେବ ବୋଲି ପୋଲିସ ଡିଜି କହିଛନ୍ତି।
“ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ତିନୋଟି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।
କାହିଁକି ଆକ୍ରମଣ?
ଖାରବେଳ ସ୍ୱାଇଁ ବିଜେପି ଟିକେଟରୁ ବାଲେଶ୍ୱରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ବିଜେପି ନେତାଙ୍କ ସହ ତାଳମେଳ ଅଭାବରୁ ଦଳ ଛାଡ଼ିଥିଲେ ଖାରବେଳେ। ଶେଷରେ ସେ ୨୦୧୦ ଫେବ୍ରୁଆରୀ ୨ରେ ଉତ୍କଳ ଭାରତ ନାମରେ ଆଞ୍ଚଳିକ ଦଳ ଗଢ଼ିଥିଲେ। ଏହାର ସଭାପତି ରହିଥିଲେ ନିଜେ ଖାରବେଳ। ୨୦୧୨ରେ ଉତ୍କଳ ଭାରତ ଆଠଗଡ଼ ଉପ-ନିର୍ବାଚନରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ପରାଜିତ ହୋଇଥିଲେ ପ୍ରାର୍ଥୀ।
ଦଳ ଗଠନ ହେବା ଦିନରୁ ଖାରବେଳ ବିଜେଡି ବିରୋଧରେ ଅଭିଯାନ ଆରମ୍ଭ କରି ଆସୁଛନ୍ତି। ବିଭିନ୍ନ ସ୍ଥାନରେ ସଭା ଆୟୋଜନ କରି ବିଜେଡିର ଦୋଷ ଦୁର୍ବଳତାକୁ ପଦାରେ ପକାଉଛନ୍ତି। ଆଗକୁ ଆସୁଛି ୨୦୧୯ ନିର୍ବାଚନ। ଓଡ଼ିଶାରେ ଏକାସାଙ୍ଗରେ ହେବ ଲୋକସଭା ଏବଂ ବିଧାନସଭା ଭୋଟ। ଏହାକୁ ଦୃଷ୍ଟିରେ ରଖି ଖାରବେଳ ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି। ଏହାସହ ଶାସକ ବିଜେଡିର ୧୮ ବର୍ଷର ବିଫଳତାକୁ ଲୋକଙ୍କ ସମ୍ମୁଖରେ କହୁଛନ୍ତି।
ଖାରବେଳ ଜଣେ ସାଧାରଣ ନେତା ନୁହନ୍ତି। ସେ ଜଣେ ଜ୍ଞାନୀ, ଗୁଣି ତଥା ଅନୁଭବୀ ନେତା ହୋଇଥିବାରୁ ତଥ୍ୟ ଭିତ୍ତିକ କଥା କହି ବିଜେଡିକୁ ଘେରୁଛନ୍ତି। ଫଳରେ ବିଜେଡି ପାଇଁ ଅଡ଼ୁଆ ସୃଷ୍ଟି କରୁଛନ୍ତି। ଏଣୁ ନିର୍ବାଚନ ପୂର୍ବରୁ ଖାରବେଳଙ୍କୁ ଚୁପ୍ କରିବା ପାଇଁ ଏଭଳି ଆକ୍ରମଣ କରାଯାଉଥିବା ଚର୍ଚ୍ଚା ହେଉଛି।
“ଆକ୍ରମଣ ପଛରେ ବିଜେଡି ସମର୍ଥକଙ୍କ ହାତ ରହିଛି। ମୁଁ ଭାଷଣ ଦେଉଥିବା ବେଳେ ଜଣେ ଯୁବକ ହଠାତ୍ ଆସି କାହିଁକି ବିଜେଡି ବିରୋଧରେ କହୁଛ ବୋଲି ପ୍ରଶ୍ନ କରିଥିଲେ। ପରେ ସେ ମତେ ମାଇକ ଷ୍ଟାଣ୍ଡରେ ଆକ୍ରମଣ କରିଥିଲେ”, କାଶୀପୁର ଘଟଣା ପରେ କହିଛନ୍ତି ଖାରବେଳ।
ଆଳି ଏବଂ ଖଇରା ଆକ୍ରମଣ ପଛରେ ବିଜେଡି ସମର୍ଥକଙ୍କ ହାତ ରହିଥିବା ଖାରବେଳ ଅଭିଯୋଗ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନିନ୍ଦା କରିଛନ୍ତି। ହେଲେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ରାଜନେତାଙ୍କୁ ଏମିତି ବାରମ୍ବାର ଆକ୍ରମଣ କରିବା କେତେଦୂର ସମିଚୀନ ତାକୁ ନେଇ ରାଜନୀତି ପଣ୍ଡିତ ପ୍ରଶ୍ନ ଉଠାଇଛନ୍ତି।
ଏହି ତିନୋଟି ଘଟଣା ପରେ ଆଗକୁ ଖାରବେଳକୁ ଓଡ଼ିଶା ପୋଲିସ କେମିତି ସୁରକ୍ଷା ଦେଉଛି ତାହା ଅପେକ୍ଷା କରି ଦେଖିବାର କଥା।








ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ତିନି ତିନି ଥର ଆକ୍ରମଣକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି।









