ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଫେଲ ବିମାନ କିଣା ପ୍ରସଙ୍ଗରେ ମୋଦି ସରକାର ସୁପ୍ରିମକୋର୍ଟରୁ ଶୁକ୍ରବାର ଏକ ବଡ଼ ରିଲିଫ ପାଇଛନ୍ତି। ଆଉ ୬ ମାସ ଭିତରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଏହି ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରୁଛନ୍ତି ରାଜନୈତିକ ବିଶେଷଜ୍ଞ।

କୋର୍ଟ କହିଛନ୍ତି ଯେ ଏହି ସଉଦାରେ କିଛି ଚୁକ୍ତି ହୋଇନାହିଁ  ଓ ଅଧିକ ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ।

ଲଢ଼ୁଆ ରାଫେଲ ବିମାନ କିଣା ଘଟଣାରେ ତଥାକଥିତ ଅନିୟମିତତା ଓ ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ପାଇଁ ଆସିଥିବା ସବୁ ଆବେଦନକୁ  ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି କିଣାରେ କୌଣସି ଦୁର୍ନୀତି ହୋଇନାହିଁ ଓ ସେହି କାରଣରୁ କୋର୍ଟ ତତ୍ୱାବଧାନରେ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ମୋଦି ସରକାର ପାଇଁ ଶୁକ୍ରବାରର ରାୟକୁ ଏକ ବଡ଼ ଆଶ୍ୱସ୍ତି ବୋଲି କୁହାଯିବା ପଛରେ କାରଣ ରହିଛି। ଆଉ ଛଅ ମାସ ଭିତରେ ସାଧାରଣ ନିର୍ବାଚନ ହେବ ଏବଂ ସେହି କାରଣରୁ ଏହି ରାୟ ମୋଦି ସରକାରଙ୍କ ମନୋବଳକୁ ଆଉ ଭାଙ୍ଗିବ ନାହିଁ। ଅବଶ୍ୟ ଏହି ରାୟର ପୁନର୍ବିଚାର ପାଇଁ ପ୍ରଶାନ୍ତ ଭୂଷଣ ପୁଣି ଆବେଦନ କରିପାରନ୍ତି।

ଆସନ୍ତୁ ଏହି ସଉଦା ଉପରେ ଉଠିଥିବା ପ୍ରଶ୍ନ ଓ ସୁପ୍ରିମକୋର୍ଟ ରାୟ ପର୍ଯ୍ୟନ୍ତ କ’ଣ ସବୁ ହେଲା ତାହାରି ଉପରେ ନଜର ପକେଇବା।

ରାଫେଲ ବିମାନ କ’ଣ?

ସର୍ବପ୍ରଥମେ ଜାଣିବା ଦରକାର ଗତ ଦୁଇ ତିନି ବର୍ଷ ଧରି ଏହି ବିମାନ କିଣା ପ୍ରସଙ୍ଗ କାହିଁକି  ବିବାଦୀୟ ହୋଇ ରହିଛି। ୨୦୧୬ ସେପ୍ଟେମ୍ବର ୧୬ ତାରିଖରେ ଭାରତ ଓ ଫ୍ରାନ୍ସ ଦୁଇ ସରକାର ମଧ୍ୟରେ ୩୬ଟି ରାଫେଲ ବିମାନ କିଣିବା ପାଇଁ ଚୁକ୍ତି ହେଲା। ଏହି ବିମାନର ମୂଲ୍ୟ ପ୍ରାୟ ୫୯ ହଜାର କୋଟି ଟଙ୍କା। ଭାରତୀୟ ବାୟୁ ସେନାର ଉନ୍ନତିକରଣ ପାଇଁ ଏହି ବିମାନର ଆବଶ୍ୟକତା ରହିଛି। ଫ୍ରାନ୍ସର ଦସା କମ୍ପାନି ଏହାକୁ ତିଆରି କରିଛି। ଆସନ୍ତା ବର୍ଷ ସେପ୍ଟେମ୍ବର ମାସରୁ ବିମାନ ଡେଲିଭେରୀ ଆରମ୍ଭ ହେବ।

ବିବାଦ କାହିଁକି?

ଏହି ବିମାନ ପାଇଁ ବିଧିବଦ୍ଧ ଚୁକ୍ତି ପୂର୍ବରୁ ହିଁ ବିବାଦ ସୃଷ୍ଟି ହୋଇଯାଇଥିଲା। ୨୩ ସେପ୍ଟେମ୍ବର ୨୦୧୬ରେ ଚୁକ୍ତି ହେଲା। ଏପ୍ରିଲ ୨୦୧୫ରେ ବିବାଦ ଆରମ୍ଭ ହେଲା। ସେହି ବର୍ଷ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇଥିଲେ। ଏହି ଗସ୍ତ ବେଳେ ବିମାନ କିଣା ଉପରେ କଥାବାର୍ତ୍ତା ଶେଷ ହେଲା। ୧୦ ଏପ୍ରିଲ ୨୦୧୫ରେ ମୋଦି ଓ ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଂସୁଆଁ ଓଲାଣ୍ଡ ମିଳିତ ବିବୃତିରେ ଏହି ସଉଦା ବିଷୟ  ଘୋଷଣା କରିଥିଲେ। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ ଅଭିଯୋଗ କଲେ ଯେ ୧୨୬ଟି ବିମାନ କିଣା ହେବା କଥା କିନ୍ତୁ ୩୬ଟି କିଣା ଯାଉଛି। ସେ ଏହି ଅଭିଯୋଗ ମଧ୍ୟ କଲେ ଯେ ସଂସଦୀୟ କମିଟିର ବିନା ମଞ୍ଜୁରିରେ ପ୍ରଧାନମନ୍ତ୍ରୀ  ମୋଦି ଏକପାଖିଆ ଭାବେ ଏହି କିଣାବିକା କରିଛନ୍ତି। ତା’ ପରେ ଆରମ୍ଭ ହେଲା ବୋବାଲ। କଂଗ୍ରେସ ପକ୍ଷରୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଅଣାଗଲା। ଚଢ଼ା ଦାମରେ ଏହି ବିମାନ କିଣା ହୋଇଛି ବୋଲି କଂଗ୍ରେସ ଅଭିଯୋଗ କଲା। ଦସା ସହିତ ଅଫସେଟ ପାର୍ଟନର ଥିବା ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହେଲା।

ମୋଦିଙ୍କୁ ଟାର୍ଗେଟ

ରାହୁଲ ଗାନ୍ଧି ସିଧା ସଳଖ ମୋଦିଙ୍କୁ ଏଥିପାଇଁ ଟାର୍ଗେଟ କଲେ। ଆହୁରି ଅଭିଯୋଗ ହେଲା ଯେ ଏଚଏଏଲକୁ ଅଂଶୀଦାର ନକରି ରିଲାଏନ୍ସକୁ କରିବା ଫଳରେ ଅନୀଲ ଏଥିରେ ଲାଭବାନ ହୋଇଛନ୍ତି। ମୋଦି ସରକାର ଏହି ସବୁ ଅଭିଯୋଗକୁ ଖଣ୍ଡନ କଲେ। ଏପରିକି ‘ଚୌକିଦାର ନିଜେ ଚୋର’ ବୋଲି ମୋଦିଙ୍କ ଉପରେ ଆକ୍ରମଣ ହେଲା। ଦେଖୁ ଦେଖୁ ରାଫେଲ ରାଜୀବ ଗାନ୍ଧି ସରକାରର ବୋଫୋର୍ସ ଭଳି ନିର୍ବାଚନୀ ପ୍ରସଙ୍ଗ ହୋଇପଡ଼ିଲା। ପାଞ୍ଚଟି  ବିଧାନସଭା ନିର୍ବାଚନ ପ୍ରଚାର ବେଳେ ରାହୁଲ ଏହାକୁ ବୁଲି ବୁଲି କହିଲେ। ଅବଶ୍ୟ ଏକଥା କହିବା କଷ୍ଟକର ବ୍ୟାପାର ତିନି ରାଜ୍ୟରେ ବିଜେପି ହାରିବା ପଛରେ ରାଫେଲ ସଉଦାର କେତେ କ’ଣ ଭୂମିକା ଥିଲା।

ସୁପ୍ରିମକୋର୍ଟର କ୍ଲିନ ଚିଟ

ନିକଟରେ ଶେଷ ହୋଇଯାଇଥିବା ବିଧାନସଭା ନିର୍ବାଚନରେ ରାଫେଲ ବିମାନକୁ ଏକ ବଡ଼ ପ୍ରସଙ୍ଗ କରାଯାଇଥିଲା। ଆସନ୍ତା ମେ ମାସରେ ସାଧାରଣ ନିର୍ବାଚନ ଦୃଷ୍ଟିରୁ କଂଗ୍ରେସ ରାଫେଲ କିଣାକୁ ବରାବର ଏଥିପାଇଁ ଉଠାଉଥିଲା ଯେ ମୋଦି ସରକାର ଯେଉଁ ଦାବି କରୁଛନ୍ତି ଯେ ତାଙ୍କ ସରକାରରେ କୌଣସି ବଡ଼ ଦୁର୍ନୀତି ହୋଇନାହିଁ ତାହାକୁ ଭୁଲ ପ୍ରମାଣ କରିବା। ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପରେ ମୋଦି ସରକାର ଏବେ ଶାନ୍ତିରେ ନିଶ୍ୱାସ ମାରିପାରିବେ। ତଥାପି ବିବାଦ ଶେଷ ହୋଇନାହଁ। କଂଗ୍ରେସ ପକ୍ଷରୁ ଏହି ଘଟଣାର ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଯାଞ୍ଚ ହେଉ ବୋଲି ଦାବି କରାଯାଇଛି। ତେବେ ନିର୍ବାଚନ ପର୍ଯ୍ୟନ୍ତ ଏହି ବିବାଦ ଚାଲୁ ରହିବା ସ୍ପଷ୍ଟ ସଂକେତ ମିଳୁଛି। କିନ୍ତୁ ବିଧାନସଭା ନିର୍ବାଚନରେ ବ୍ୟାକଫୁଟରେ ଥିବା ମୋଦି ସରକାର ପାଇଁ ଏହି ରାୟ ମନୋବଳକୁ ଦୃଢ଼ କରିବ ଏଥିରେ ସନ୍ଦେହ ନାହିଁ।

Comment