ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ-ପୁରୀ ରାଜପଥରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଭଲ ଖବର। ବହୁ ପ୍ରତିକ୍ଷୀତ ବମିଖାଲ ଓଭରବ୍ରିଜ୍ ଆସନ୍ତା ଜାନୁଆରୀ ମାସରେ ଲୋକାର୍ପିତ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଏବେ  ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହା ଫଳରେ ସହିଦ ନଗର, ବମିଖାଲ ଓ ରସୁଲଗଡ଼ର ଲୋକେ ନିର୍ଦ୍ବନ୍ଦ୍ୱରେ ସହର ଭିତରେ ଯିବା ଆସିବା କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହାରେ ଏହି ଓଭରବ୍ରିଜ୍ କାମ ଆରମ୍ଭ ହେବା ପରଠାରୁ ବିଭିନ୍ନ ପ୍ରକାରର ସମସ୍ୟା ଲାଗିରହିଥିଲା। ଏହା ଫଳରେ ସେତୁର କାମ ସରିପାରୁନଥିଲା। ତେବେ ଜାନୁଆରୀ ମାସରେ ଯେ କୌଣସି ପ୍ରକାର ଏହି ରାସ୍ତା ଖୋଲିବ ବୋଲି ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି।

କାର୍ଯ୍ୟ ସମ୍ପାଦନ ମୁଖ୍ୟଯନ୍ତ୍ରୀ ଓଁ ପ୍ରକାଶ ପଟେଲ କହିଛନ୍ତି ଯେ ଓଭବ୍ରିଜ୍‌ର ଶେଷ ପର୍ଯ୍ୟାୟ କାମ ଏବେ ଜୋରସୋର ଚାଲିଛି। ସର୍ବସାଧାରଣ ବ୍ୟବହାର କରିବା ପୂର୍ବରୁ ଏହି ପୋଲ ଉପରେ ଏକ ଟ୍ରାଏଲ ରନ କରାଯିବ। ଆସନ୍ତା ମାସ ଶେଷ ସପ୍ତାହ ଆଡ଼କୁ ଏହି ପୋଲ ପୂରାପୂରି କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।

୨୦୧୫ ମସିହାରୁ ରସୁଲଗଡ଼ ପଟର କାର୍ଯ୍ୟ ଶେଷ ହୋଇଛି ଓ ୨୦୧୬ରୁ ସହିଦ ନଗର ପଟ ରାସ୍ତା କାମ ମଧ୍ୟ ଶେଷ ହୋଇଛି। ହେଲେ ବମିଖାଲକୁ ଯୋଡ଼ିବା ପାଇଁ ପରେ ନିଷ୍ପତ୍ତି ନିଆଯିବା କାରଣରୁ ଅନ୍ୟ ଦୁଇଟି ରାସ୍ତା ଖୋଲା ହୋଇ ପାରୁନଥିଲା। ଏବେ ଏହି ପଟ ଶେଷ ହେବା ଉପରେ ଓ ରଙ୍ଗ କାମ ଚାଲିଛି।

ଓଡ଼ିଶାର ପୋଲ ଇତିହାସରେ ଏହି ଓଭରବ୍ରିଜ୍‌ ସବୁଠାରୁ ସମସ୍ୟାବହୁଳ ପୋଲ ଭାବରେ ବଦନାମ ଅର୍ଜିଛି। ପ୍ରଥମେ ଜମି ଅଧିଗ୍ରହଣକୁ ନେଇ  ସହିଦ ନଗର ଅଞ୍ଚଳରେ ବିବାଦ ସୃଷ୍ଟି ହୋଇଥିଲା। ବମିଖାଲକୁ ସମ୍ପ୍ରସାରଣ କରିବା ପାଇଁ ଯେତେବେକେ ନିଷ୍ପତ୍ତି ହେଲା ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କଲେ। ତାପରେ ୨୦୧୭ ଓ ୨୦୧୮ରେ ଲାଗଲାଗ ଦୁଇଟି ଦୁର୍ଘଟଣା ଘଟିଥିଲା ଓ ଏଥିରେ ଦୁଇ ଜଣପ୍ରାଣ ହରାଇଥିଲେ। ପ୍ରଶାସନିକ, ଜନସାଧାରଣ ଓ ଠିକାଦାରଙ୍କ ସମସ୍ୟା ବ୍ୟତୀତ ପୋଲର ନକ୍ସାକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ପାଣି ଜମିବା ଓ ଆପ୍ରୋଚ ରୋଡକୁ ନେଇ ବିବାଦ ଦେଖା ଦେଇଥିଲା। ଏବେ ଏ ସବୁ ସମସ୍ୟାର ସମାଧାନ ହୋଇଛି।

ଏହି ଓଭରବ୍ରିଜ୍‌ ଲୋକାର୍ପଣ ହେବା ପରେ ଭୁବନେଶ୍ୱରର ଏକ ବଡ଼ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ। ସହିଦ ନଗର, ବମିଖାଲ ଓ ରସୁଲଗଡ଼ ଆଡ଼ୁ ଏଣିକି  ଯିଏ ଯେମିତି ଚାହିଁବେ ଯାଇ ପାରିବେ। ତା’ ଛଡ଼ା କଟକ-ପୁରୀ ମଧ୍ୟରେ ଯାତାୟାତ ସମୟ ମଧ୍ୟ ହ୍ରାସ ପାଇବ। ସବୁଠାରୁ ବଡ଼ କଥା ସହିଦ ନଗର ଲେବୁଲ କ୍ରସିଂ ଠାରେ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ିବ ନାହିଁ।

Comment